ନୂଆଦିଲ୍ଲୀ: ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବରେ ଗତକାଲି ଗଣମାଧ୍ୟମକୁ ଡକାଇ ପ୍ରଧାନ ବିଚାରପତିଙ୍କ ବିରୋଧରେ ସୁପ୍ରିମ୍କୋର୍ଟର ଚାରି ବରିଷ୍ଠ ବିଚାରପତି ବିଷୋଦ୍ଗାର କରିବା ପରେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଦେଶର ନ୍ୟାୟପାଳିକାରେ ସଙ୍କଟ ଦେଖା ଦେଇଥିଲା। କେନ୍ଦ୍ର ସରକାର ଏହି ବିବାଦରୁ ନିଜକୁ ଦୂରେଇ ରଖି କହିଥିଲେ କି ଏହା ନ୍ୟାୟପାଳିକାର ନିଜସ୍ୱ ବ୍ୟପାର, ତେଣୁ ସମାଧାନ ନ୍ୟାୟପାଳିକା ହିଁ କରିବ।
ତେଣେ ପରିସ୍ଥିତିକୁ ସୁଧାରିବା ଲାଗି ଉଦ୍ୟମ ଆରମ୍ଭ କରିଛି ବାର କାଉନ୍ସିଲ୍ ଅଫ୍ ଇଣ୍ଡିଆ। ଶନିବାର ବାର କାଉନ୍ସିଲ ପ୍ରଧାନ ବିଚାରପତି ଏବଂ ୪ ବରିଷ୍ଠ ବିଚାରପତିଙ୍କ ଭିତରେ ମଧ୍ୟସ୍ଥତା କରିବା ଲାଗି ଏକ ୭ ଜଣିଆ କମିଟି ଗଠନ କରିଛି। ବାର୍ କାଉନ୍ସିଲ ଅଫ ଇଣ୍ଡିଆର ଏକ ଜରୁରିକାଳୀନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
Hindustan Timesଆମେ ଆମ ତରଫରୁ ନିଷ୍ପତ୍ତି କରି ଏହି ୭ଜଣିଆ କମିଟି ଗଠନ କରିଛୁ, ଏହି କମିଟି ସୁପ୍ରିକକୋର୍ଟର ବିଚାରପତିଙ୍କୁ ଭେଟିବ। ଆମେ ଚାହୁଁଛୁ, ଏହି ବିବାଦର ଶୀଘ୍ର ସମାଧାନ ହେଉ। ବାର କାଉନ୍ସିଲର ଅଧ୍ୟକ୍ଷ ମନନ୍ କୁମାର ମିଶ୍ର ଉପରୋକ୍ତ ମତ ରଖିଛନ୍ତି। ଏଥିସହ ସେ କହିଛନ୍ତି ଯେ ନ୍ୟାୟପାଳିକାର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉ ବୋଲି ଆମେ ଚାହୁଁନାହୁଁ। ସାଧାରଣ ଜନତାଙ୍କର ନ୍ୟାୟିକ ବ୍ୟବସ୍ଥା ଉପରେ ଯେଉଁ ଅସ୍ଥା ଓ ବିଶ୍ୱାସ ରହିଛି ତାହା ବଜାୟ ରହିବା ଦରକାର। ଏହି ଘଟଣାର ରାଜନୀତିକରଣକୁ ନିନ୍ଦା କରିଛନ୍ତି ସେ।
ଅନ୍ୟପକ୍ଷରେ ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଲ ଆଶା ପ୍ରକାଶ କରିଛନ୍ତି ଯେ ସୋମବାର ସୁଦ୍ଧା ସୃଷ୍ଟି ହୋଇଥିବା ଏହି ବିବାଦର ଅବସାନ ହେବ। ଯଦି ଯୋଜନା ଅନୁସାରେ ସବୁ ଠିକଠାକ୍ ରହେ ତେବେ ପ୍ରଧାନ ବିଚାରପତି ଓ ସୁପ୍ରିମକୋର୍ଟର ୪ ବରିଷ୍ଠ ବିଚାରପତିଙ୍କ ମଧ୍ୟରେ ହୋଇଥିବା ମତାନ୍ତରର ସମାଧାନ ହୋଇଯିବ।
ଶନିବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଚିବ ନୃପେନ୍ଦ୍ର ମିଶ୍ରଙ୍କୁ ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ଘର ସାମ୍ନାରେ ଦେଖିବାକୁ ମିଳିଥିଲା। ଏହାକୁ ନେଇ ଜୋରଦାର ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଥିଲା। ମାତ୍ର ପରେ ଜାଣିବାକୁ ମିଳିଛି କି ପ୍ରଧାନ ବିଚାରପତି ଦୀପକ ମିଶ୍ର ନୃପେନ୍ଦ୍ରଙ୍କୁ ସାକ୍ଷାତ କରିବାକୁ ମନା କରି ଦେଇଛନ୍ତି।
Follow Us