ଉତ୍ତର ପ୍ରଦେଶ ଝିଅକୁ ବାହା ହୋଇ ମଧ୍ୟ କନିଅାଁ ନ ନେଇ ଫେରିଲା ଆଫଗାନୀ ବର

Advertisment
ଉତ୍ତର ପ୍ରଦେଶ ଝିଅକୁ ବାହା ହୋଇ ମଧ୍ୟ କନିଅାଁ ନ ନେଇ ଫେରିଲା ଆଫଗାନୀ ବର

ଗୋରଖପୁର: ସନ୍ଥ କବୀର ନଗରର ଜଣେ ଝିଅ ପ୍ରେମରେ ପଡ଼ି ଜଣେ ଆଫଗାନୀ ଯୁବକ ବାହା ହେଲା ସତ, କିନ୍ତୁ କନିଅାଁକୁ ନ ନେଇ ପାରି ସପରିବାର ସୋମବାର ଦିନ ନିଜ ଦେଶକୁ ଫେରିଗଲେ। ଉଭୟ ପରିବାରଙ୍କ ସମ୍ମତିକ୍ରମେ ବାହାଘର ହୋଇଥିଲେ ବି ଝିଅକୁ ଦେଶ ବାହାରକୁ ବିଦା କରିବାକୁ ପରିବାର ଓ ଆତ୍ମୀୟ ଚାହିଁଲେ ନାହିଁ।

ପ୍ରାୟ ବର୍ଷେ ତଳେ ଫେସ୍‌ବୁକ୍‌ ଜରିଆରେ ୨୯ ବର୍ଷିୟ ଆଫଗାନୀ ଯୁବକ ଫରୀଦୁଲ୍‌ ରଫ୍‌ତାଇଙ୍କର ସନ୍ଥ କବୀର ନଗର ଜିଲ୍ଲା ଅନ୍ତର୍ଗତ ଖଲିଆବାଦର ଜଣେ ଯୁବତୀଙ୍କ ସହ ସମ୍ପର୍କ ହୋଇଥିଲା। ସେବେଠାରୁ ଦୁହେଁ ଚାଟିଙ୍ଗ୍‌ କରନ୍ତି। ଉଭୟ ବିବାହ କରିବାକୁ ସ୍ଥିର କଲେ ଏବଂ ସେମାନଙ୍କ ପିତାମାତା ମଧ୍ୟ ଏଥିରେ ରାଜିହେଲେ। ଶନିବାର ଦିନ ଫରୀଦୁଲ୍‌ ନିଜ ବାପା ୬୦ ବର୍ଷିୟ ମହମଦ୍‌ କାଦିର୍‌ ଏବଂ ୫୭ ବର୍ଷୀୟ ମାଆ ଆଦିଲା ରଫ୍‌ତିଆ, ଭଉଣୀ ୨୩ ବର୍ଷୀୟା ନାଦିଆ, ମାମୁ ୭୦ ବର୍ଷିୟ କାସିମ୍‌ ଆଫଗାନିସ୍ଥାନ ଓ ନେଦର୍‌ଲାଣ୍ଡ୍‌ରୁ ଆସି ପହଞ୍ଚିଲେ ବିବାହ ଅନୁଷ୍ଠାନକୁ। କିନ୍ତୁ ସୋମବାର ଦିନ ନିକା ପ୍ରକ୍ରିୟା ଆରମ୍ଭ ହେବା ପରେ ଝିଅଘରର ଅନେକ ସମ୍ପର୍କୀୟ ବିବାହା ବିରୋଧରେ ପ୍ରତିବାଦ କଲେ। ଝିଅକୁ ବିଭା ଦେଇ ଦେଶ ବାହାରକୁ ସେମାନେ ଇଚ୍ଛା ନ କରିବାକୁ ଝିଅର ପିତାମାତା ବାହାଘର ବନ୍ଦ କରିବାକୁ ସ୍ଥିର କଲେ।

ପରେ ଝିଅର ବାପା ସାମ୍ବାଦିକମାନଙ୍କୁ କହିଲେ କି, ଝିଅ ଡାକ୍ତରୀ ପଢୁ ବୋଲି ତାଙ୍କର ଇଚ୍ଛା। ତେଣୁ ତାକୁ ଦେଶ ବାହାରେ ବାହା ଦେବା ଠିକ୍‌ ନିଷ୍ପତ୍ତି ନୁହେଁ। ସ୍ଥାନୀୟ ଗୁଇନ୍ଦା ଠାରୁ ସୂଚନା ପାଇ ଜିଲ୍ଲା ପୁଲିସ ମଧ୍ୟ ପଦକ୍ଷେପ ଗ୍ରହଣ କରିବାକୁ ଆଗେଇ ଆସିଥିଲେ। ଆଫଗାନିସ୍ଥାନ ଓ ନେଦର୍‌ଲାଣ୍ଡ୍‌ସ୍‌ରୁ ଆସିଥିବା ବରଘର ସଦସ୍ୟଙ୍କ ଭିସା ଏବଂ ପାସ୍‌ପୋର୍ଟ ଠିକ୍‌ଠାକ୍‌ ଥିଲା। ଏହା ପାରିବାରିକ ଘଟଣା ଥିବାରୁ ପରିବାର ନିଷ୍ପତ୍ତି ନେଇଥିଲେ ବୋଲି ସନ୍ଥ କବୀର ନଗର ଏସ୍‌ପି ଆକାଶ ତୋମାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe