Alankar Agnihotri Photograph: (sambad.in)
ବରେଲି: ଉତ୍ତର ପ୍ରଦେଶର ପିସିଏସ୍ ଅଧିକାରୀ ଅଳଙ୍କାର ଅଗ୍ନିହୋତ୍ରୀଙ୍କୁ ନେଇ ଗୋଟିଏ ପରେ ଗୋଟିଏ ନୂଆ ଖବର ଆସିବାରେ ଲାଗିଛି। ଇସ୍ତଫା ଦେବା, ସରକାରଙ୍କ ଦ୍ୱାରା ନିଲମ୍ବିତ ହେବା ପରେ ଏବେ ସେ ମଧ୍ୟରାତ୍ରିରେ ତାଙ୍କର ସରକାରୀ ବାସଭବନ ଖାଲି କରି କାହାକୁ ଦାୟିତ୍ୱ ହସ୍ତାନ୍ତର ନକରି ସହର ଛାଡି ଚାଲିଯାଇଛନ୍ତି। ପ୍ରଶାସନ ପାଖରେ ତାଙ୍କର ନୂଆ ଠିକଣା ବିଷୟରେ କୌଣସି ସୂଚନା ନାହିଁ। ବରେଲି ସିଟି ମାଜିଷ୍ଟ୍ରେଟ୍ ଅଳଙ୍କାର ଅଗ୍ନିହୋତ୍ରୀ ରବିବାର ଓ ସୋମବାର ମଧ୍ୟରାତ୍ରି ପ୍ରାୟ ସାଢ଼େ ୧୨ଟା ସମୟରେ ତାଙ୍କ ସରକାରୀ ବାସଭବନରୁ ତାଙ୍କର ଅଧିକାଂଶ ଜିନିଷପତ୍ର ବାହାର କରିଦେଇଥିଲେ। ରିପୋର୍ଟ ଅନୁଯାୟୀ ଏକ ଗାଡ଼ିରେ ତାଙ୍କ ଜିନିଷପତ୍ର ଲୋଡ୍ କରିବା ପରେ ସେ ନିଜେ ତାଙ୍କ ଗାଡ଼ିରେ ଚାଲିଯାଇଥିଲେ। ପ୍ରଶାସନିକ ନିୟମ ଅନୁଯାୟୀ ଔପଚାରିକତା ପୂରଣ କରିବାର ଆବଶ୍ୟକତା ଥିଲା। ପ୍ରଶାସନ ଏବେ ତାଙ୍କର ନୂଆ ଠିକଣା ଜାଣିବାକୁ ଚେଷ୍ଟା କରୁଛି।
ଆଇଆଇଟି ସ୍ନାତକରୁ ପିସିଏସ୍ ପର୍ଯ୍ୟନ୍ତ ଯାତ୍ରା
ଅଳଙ୍କାର ଅଗ୍ନିହୋତ୍ରୀ ୨୦୧୯ ବ୍ୟାଚର ଜଣେ ପିସିଏସ୍ ଅଧିକାରୀ। ପ୍ରଶାସନିକ ସେବାରେ ଯୋଗଦେବା ପୂର୍ବରୁ, ସେ ଆଇଆଇଟି ବିଏଚ୍ୟୁରୁ ବି.ଟେକ୍ ଡିଗ୍ରୀ ହାସଲ କରିଥିଲେ ଓ ପ୍ରାୟ ୧୦ ବର୍ଷ ଧରି ଆଇଟି କ୍ଷେତ୍ରରେ କାର୍ଯ୍ୟ କରିଥିଲେ। ତାଙ୍କ ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ, ସେ ମହାମନା ମଦନ ମୋହନ ମାଲବ୍ୟଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନସାଧାରଣଙ୍କ ସେବା କରିଥିଲେ। କିନ୍ତୁ, ସାମ୍ପ୍ରତିକ ଘଟଣାକ୍ରମ ତାଙ୍କ କ୍ୟାରିୟର ଉପରେ କଳଙ୍କ ବୋଳିଛି। କାରଣ ତାଙ୍କ ବୟାନ ପରେ ମଧ୍ୟ ସରକାର ତାଙ୍କୁ ନିଲମ୍ବିତ କରିଛନ୍ତି ଓ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି
ଇସ୍ତଫା ପଛରେ ୟୁଜିସି ଓ ଶଙ୍କରାଚାର୍ଯ୍ୟ ବିବାଦ
ଅଳଙ୍କାର ତାଙ୍କର ପାଞ୍ଚ ପୃଷ୍ଠାର ଚିଠିରେ ଅନେକ ଗମ୍ଭୀର ସାମାଜିକ ଓ ଧାର୍ମିକ ପ୍ରସଙ୍ଗ ଉଠାଇଥିଲେ। ସେ ମୁଖ୍ୟତଃ ଦୁଇଟି କାରଣ ପାଇଁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଥିଲେ। ପ୍ରୟାଗରାଜ ମାଘ ମେଳାରେ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଶିଷ୍ୟମାନଙ୍କ କେଶ ଟାଣିବା ଘଟଣାରେ ସେ ଗଭୀର ଆଘାତ ପାଇଥିବା କହିଥିଲେ । ସେ ଏହାକୁ ବ୍ରାହ୍ମଣ ଓ ସନ୍ଥମାନଙ୍କ ସାଂସ୍କୃତିକ ପରିଚୟ ପ୍ରତି ଅପମାନ ବୋଲି ଉଲ୍ଲେଖ କରିଥିଲେ। ସେହିପରି ସେ ଅଭିଯୋଗ କରିଥିଲେ ଯେ, ନୂତନ ୟୁଜିସି ନିୟମ ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ବିପଦରେ ପକାଇଛି।
ଅଗ୍ନିହୋତ୍ରୀଙ୍କ ବଡ଼ ଅଭିଯୋଗ
ଅଗ୍ନିହୋତ୍ରୀ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ ଆଣି କହିଥିଲେ ଯେ, ତାଙ୍କୁ ପ୍ରାୟ ୪୫ ମିନିଟ୍ ପାଇଁ ଡିଏମ୍ଙ୍କ ବାସଭବନରେ ବଳପୂର୍ବକ ବନ୍ଧକ ରଖାଯାଇଥିଲା। ତାଙ୍କୁ ମାନସିକ ଚାପ ଦିଆଯାଇଥିଲା। ଲକ୍ଷ୍ନୌରୁ ଆସିଥିବା ଏକ ଫୋନ୍ କଲ୍ରେ ତାଙ୍କ ବ୍ରାହ୍ମଣ ପରିଚୟ ବିଷୟରେ ଅପମାନଜନକ ମନ୍ତବ୍ୟ ଦିଆଯାଇଥିଲା। ଇସ୍ତଫା ପତ୍ରରେ ସେ ପ୍ରଶ୍ନ କରିଥିଲେ ଯେ ,ଅମଲାତନ୍ତ୍ରର ଉଚ୍ଚପଦସ୍ଥ ଅଧିକାରୀମାନେ କାହିଁକି କୌଣସି ବାବାଙ୍କ ଇସାରାରେ କାମ କରୁଛନ୍ତି। ଏଭଳି କାର୍ଯ୍ୟ ପ୍ରଶାସନିକ ଗରିମାର ବିପରୀତ।
ଅଭିଯୋଗକୁ ଖଣ୍ଡନ କଲା ପ୍ରଶାସନ
ଜିଲ୍ଲା ପ୍ରଶାସନ ସିଟି ମାଜିଷ୍ଟ୍ରେଟଙ୍କ ଦ୍ୱାରା କରାଯାଇଥିବା ଏହି ଅଭିଯୋଗଗୁଡ଼ିକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହି ଖଣ୍ଡନ କରିଥିଲା। ଏଡିଏମ୍ ଦୀପକ ସିଂହଙ୍କ ଅନୁଯାୟୀ, ଅଳଙ୍କାର ଅଗ୍ନିହୋତ୍ରୀଙ୍କୁ କେବଳ ଏକ ସାଧାରଣ ପ୍ରଶାସନିକ ଆଲୋଚନା ପାଇଁ ଡକାଯାଇଥିଲା। ପ୍ରଶାସନ କହିଥିଲା, ଏସ୍ଏସ୍ପି ଓ ଅନ୍ୟ ଏଡିଏମ୍ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ତାଙ୍କୁ କେବଳ ତାଙ୍କ କ୍ୟାରିଅର ଓ ସ୍ଥିତି ବିଷୟରେ ସୂଚନା ଦିଆଯାଉଥିଲା। ଏଡିଏମ୍ ସ୍ପଷ୍ଟ କରିଛନ୍ତି ଅଳଙ୍କାରଙ୍କୁ ସମ୍ମାନର ସହିତ ଚା, କଫି ଓ ମିଠା ଖାଇବାକୁ ଦିଆଯାଇଥିଲା। ବନ୍ଧକ ରଖାଯିବା ଭଳି ପରିସ୍ଥିତି ନଥିଲା।
Follow Us