DTNext
ଇନ୍ଦୋର : ମଧ୍ୟପ୍ରଦେଶର ଶାଜାପୁର ଜିଲ୍ଲାର ଏକ ଗାଁରେ ଉଚ୍ଚଜାତିର ଲୋକମାନଙ୍କ ଦ୍ବାରା ଗଢ଼ାଯାଇଥିବା ନିୟମକୁ ନ ମାନି ୧୬ ବର୍ଷର ଝିଅକୁ ସ୍କୁଲ୍ ପଠାଇଥିବାରୁ ଏକ ଦଳିତ ପରିବାର ସଦସ୍ୟଙ୍କୁ ମାଡ଼ ମରାଯାଇଛି।
ଝିଅଟି ଥାନାରେ ଦେଇଥିବା ଏତଲା ଅନୁସାରେ ସେ ସ୍କୁଲ୍ରୁ ଫେରିବା ବେଳେ ଗାଁର କିଛି ଯୁବକ ତାକୁ ଅଟକାଇଥିଲେ। ତାକୁ ଧମକେଇ ପଚାରିଥିଲେ, ଆମ ଗାଁର କୌଣସି ଝିଅ ସ୍କୁଲ୍କୁ ଯିବା ଲାଗି ଅନୁମତି ନାହିଁ, ତୁ କେମିତି ଯିବାକୁ ସାହସ କଲୁ? ଝିଅଟି ଘରକୁ ଯାଇ ଏ କଥା କହିବାରୁ ଘର ଲୋକମାନେ ଗାଁ ଲୋକଙ୍କୁ ପ୍ରତିବାଦ ଜଣାଇଲେ। କିନ୍ତୁ କିଛି ଉଚ୍ଚଜାତିର ଲୋକ ତାଙ୍କୁ ମାରଧର କରିଥିବା ଝିଅଟି ଏତଲାରେ ଦର୍ଶାଇଛି। ଏହି ମାଡ଼ରେ ଝିଅ ପରିବାରର ୫ ଜଣ ସଦସ୍ୟ ଆହତ ହୋଇଛନ୍ତି।
ତେବେ ଜିଲ୍ଲା ଅଧିକାରୀମାନଙ୍କ ପକ୍ଷରୁ କୁହାଯାଇଛି ଯେ ଗାଁରେ ଝଗଡ଼ା ଓ ମାରଧର ଘଟଣା ଘଟିଛି ସତ ମାତ୍ର ତାହା ଝିଅ ସ୍କୁଲ୍କୁ ଯିବାକୁ କେନ୍ଦ୍ର କରି ନୁହେଁ। ଏହା ମଧ୍ୟ କୌଣସି ଜାତିଆଣ ଦ୍ବେଷ ଓ ହିଂସା ନୁହେଁ। ଗଣ୍ଡଗୋଳ ହୋଇଛି ଏକ କୂଅ ଓ ରାସ୍ତାକୁ ନେଇ। କିଛି ଲୋକଙ୍କ ପ୍ରରୋଚନାରେ ଘଟଣାକୁ ଭିନ୍ନ ଢଙ୍ଗରେ ଚିତ୍ରିତ କରାଯାଉଛି। ତେବେ ଉକ୍ତ ମାମଲା ଉପରେ ତଦନ୍ତ ଚାଲିଛି ଓ ଦୋଷୀକୁ ଉପଯୁକ୍ତ ଦଣ୍ଡ ମିଳିବ।
Follow Us