କାହିଁକି ହେଲା ଦଳାଚକଟା ? ସଙ୍ଗମ୍ ସ୍ଥଳରେ ଏକାଠି ହୋଇଥିଲେ ୨୫ ଲକ୍ଷ ଲୋକ । ବାହାରିବାକୁ ବାଟ ନଥିଲା, ଭିଡର ଜୁଆର ଧକ୍କା ଦେଇଥିଲା...

ଲକ୍ଷ ଲକ୍ଷ ଲୋକଙ୍କୁ ଆଡେଇ ବାହାରିବା ସେମାନଙ୍କ ପାଇଁ ସମ୍ଭବ ନଥିଲା ଆଉ ଏତିକି ବେଳେ ଏକ ଭିଡର ଜୁଆର ସେମାନଙ୍କୁ ଧକ୍କା ଦେଇଥିଲା ଯାହା ପରେ ଜନଜୁଆର ସଂଗମ ଘାଟରେ ଥିବା ଲୋକଙ୍କ ଉପରେ ମାଡି ଯାଇଥିଲା ।

2 stamped

Photograph: (SAMBAD.IN )

ପ୍ରୟାଗରାଜ: ଚାରିଆଡେ ପଡିଥିଲା ଚପଲ, ପାଣିରେ ଭାସୁଥିଲା ମାଳମାଳ ଜୋତା, ଏଣେତେଣେ ପଡିଥିଲା କମ୍ବଳ ଓ ପିନ୍ଧିବାକୁ ଆଣିଥିବା ପୋଷାକ... କିଏ ତା ବାପାକୁ ଜୋରରେ ଜାବୁଡି ଧରିଥିଲା ତ ପୁଣି କିଏ ନିଜ ସ୍ବାମୀର ହାତ ଧରି ଛାଡୁ ନଥିଲା ଆଉ କିଏ ନିଜ ବୃଦ୍ଧ ବାପାମାଆଙ୍କୁ ବାହୁରେ ଭିଡଠୁ ସୁରକ୍ଷା ଦେଉଥିଲା... ଭିଡର ଭୟଙ୍କର ରୂପ ଆଗରେ ଅସହାୟ ହୋଇପଡିଥିଲା ମଣିଷ, ନିଜର ଲୋକଙ୍କୁ ହରେଇଦେବା ଭୟରେ ହାତର ବଳ କମି ଆସୁଥିଲେ ବି ହାତ ଛାଡୁ ନଥିଲା । ତଥାପି ଅସମ୍ଭବ ଭିଡ ଆଗରେ ଅସହାୟ ହୋଇପଡିଲା । ବିପରୀତ ଦିଗରୁ ମାଡି ଆସୁଥିବା ଏକ ଭିଡର ସାମ୍ନା କରି କିଏ ବାପାକୁ ହରେଇଦେଲା ତ ପୁଣି କିଏ ମାଆ, ଭାଇ, ବନ୍ଧୁ ପରିଜନଙ୍କୁ... ମହାକୁମ୍ଭ ଦଳାଚକଟା ଘଟଣାର ଗୋଟେ ଗୋଟେ ହୃଦୟ ବିଦାରକ କାହାଣୀ ଆସିବାରେ ଲାଗିଛି ତାହା ପଢି ଛାତି ଥରି ଯାଉଛି । ଭାବିଲେ ଦୂରଦୂରାନ୍ତରରୁ ଆସିଥିବା ଲୋକଙ୍କ ସହ ଯେତେବେଳେ ଏମିତି ଏକ ଘଟଣା ଘଟିଥିବ ସେତେବେଳେ ସେମାନେ କେତେ ଅସହାୟ ହୋଇପଡିଥିବେ ।

ଦଳାଚକଟା ଘଟଣାରେ ମୋଟ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ଆହତ ହୋଇଥିବା ପ୍ରଶାସନ ସ୍ପଷ୍ଟ କରିଛି । କିନ୍ତୁ ଏତେ ବଡ ଘଟଣା କାହିଁକି ଘଟିଲା ତା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ । ଆଉ ସେହି କାରଣଟି ହେଉଛି ଅସମ୍ଭାଳ ଭିଡରୁ ମୁକୁଳିବାକୁ ସେଠି ବାଟ ହିଁ ନଥିଲା । ମୌନୀ ଅମାବାସ୍ୟା ଥିବାରୁ ପବିତ୍ର ଦିନରେ ସଂଗମ ସ୍ଥଳରେ ବୁଡ ପକାଇ ପୂଣ୍ୟ ଅର୍ଜିବାକୁ ୧୦ କୋଟି ଲୋକଙ୍କ ସମାଗମ ହୋଇଥିବା ବେଳେ ସଙ୍ଗମ ଘାଟ ପାଖରେ ଖାଲି ୨୫ ଲକ୍ଷ ଲୋକ ଏକାଠି ହୋଇଥିଲେ । କିଏ ରାତିରୁ ବୁଡ ପକାଇ ସାରିଥିଲା ତ ଆଉ କିଏ ପବିତ୍ର ମୁହୂର୍ତ୍ତରେ ବୁଡ ପକାଇବାକୁ ଅପେକ୍ଷା କରିଥିଲା । ଯେଉଁମାନେ ବୁଡ ପକାଇ ସାରିଥିଲେ ସେମାନେ ଫେରିବାକୁ ବାଟ ପାଇ ନଥିଲେ... ଲକ୍ଷ ଲକ୍ଷ ଲୋକଙ୍କୁ ଆଡେଇ ବାହାରିବା ସେମାନଙ୍କ ପାଇଁ ସମ୍ଭବ ନଥିଲା ଆଉ ଏତିକି ବେଳେ ଏକ ଭିଡର ଜୁଆର ସେମାନଙ୍କୁ ଧକ୍କା ଦେଇଥିଲା ଯାହା ପରେ ଜନଜୁଆର ସଂଗମ ଘାଟରେ ଥିବା ଲୋକଙ୍କ ଉପରେ ମାଡି ଯାଇଥିଲା । ସ୍ଥିତି ଏମିତି ଥିଲା ଯେ ଜଣଙ୍କ ଉପରେ ପାଖାପାଖି ୨୦ରୁ ୨୫ ଜଣ ପଡିଥିଲେ ଆଉ ସେହି ଭିଡ ଅନେକ ଲୋକଙ୍କ ଜୀବନ ନେଇଗଲା ବୋଲି ଦେଖଣାହାରୀ କହିଛନ୍ତି ।

ତେବେ କଣ ଏହି ଅଘଟଣକୁ ଏଡାଇ ଦିଆଯାଇ ପାରିଥାନ୍ତା କି ? କାହିଁକି ହେଲା ଏତେ ବଡ ଅଘଟଣ ? କଣ ରହିଛି କାରଣ ? ଅଘଟଣ ପାଇଁ ଦାୟୀ କିଏ ? ବୋଲି ଯେତେବେଳେ ପ୍ରଶ୍ନ ଉଠୁଛି ସେତେବେଳେ ପ୍ରଶାସନ ଲୋକଙ୍କ ଉପରେ ଦୋଷ ଲଦିଛି । ଲୋକେ ପ୍ରଶାସନ କଥା ଶୁଣୁନଥିଲେ, ମାଇକରେ ନିୟମ ମାନିବାକୁ କହୁଥିଲେ ବି କେହି ମାନୁ ନଥିଲେ, ଆପପାଖରେ ଥିବା ଘାଟରେ ସ୍ନାନ ନକରି ସମସ୍ତେ ସଙ୍ଗମ୍ ଘାଟ ମୁହାଁ ହୋଇଥିଲେ ବୋଲି ପ୍ରଶାସନ ଶ୍ରଦ୍ଧାଳୁଙ୍କ ମୁଣ୍ଡରେ ଅଠା ବୋଳି ଖସିବାକୁ ଚେଷ୍ଟା କରୁଥିୂବା ବେଳେ ଲୋକେ କିନ୍ତୁ ପ୍ରଶାସନ ଭିଡ ନିୟନ୍ତ୍ରଣରେ ବିଫଳ ହେଲା ବୋଲି ଅଭିଯୋଗ ଆଣିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe