ନୂଆଦିଲ୍ଲୀ : ଓମିକ୍ରନ୍ର ବିଏଫ୍.୭ ଉପକିସମ ଦ୍ରୁତ ସଂକ୍ରମଣଶୀଳ, କିନ୍ତୁ ମାରାତ୍ମକ ନୁହେଁ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍)ର ପୂର୍ବତନ ବୈଜ୍ଞାନିକ ଡ. ସମୀରଣ ପଣ୍ଡା କହିଛନ୍ତି। ସେ କହିଛନ୍ତି ଯେ ବିଏଫ୍.୭ର ମାରାତ୍ମକତା ନେଇ ସରକାର ବିଭ୍ରାନ୍ତକାରୀ ସୂଚନା ପ୍ରସାରଣରୁ ଦୂରରେ ରହନ୍ତୁ। ସରକାର ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ ରଖିବା ସହ ଔଷଧ ଓ ଅମ୍ଳଜାନର ଉପଲବ୍ଧତା ଓ ବୁଷ୍ଟର ନେବା ଉପରେ ଯେଉଁ ଗୁରୁତ୍ବ ଦେଉଛନ୍ତି ତାହା ଯଥାର୍ଥ। କିନ୍ତୁ ଓମିକ୍ରନ୍ ଉପକିସମର ମାରାତ୍ମକତା ନେଇ ସୂଚନା ପ୍ରସାରଣ କରିବା ଉଚିତ ନୁହେଁ।
ସେ କହିଛନ୍ତି, ସମ୍ପ୍ରତି ସାମାଜିକ ଗଣମାଧ୍ୟମର ବିଭିନ୍ନ ପ୍ଲାଟଫର୍ମ ଓ ‘ହ୍ବାଟ୍ସଆପ୍ ୟୁନିଭର୍ସିଟି’ରେ ବିଏଫ୍.୭ ନେଇ ଆତଙ୍କ ସୃଷ୍ଟିକାରୀ ଭୁଲ୍ ବାର୍ତ୍ତା ଓ ଭିଡିଓମାନ ପ୍ରସାରିତ ହେଉଛି। ସରକାର ଓ ଦାୟିତ୍ବଶୀଳ ଅନୁଷ୍ଠାନଗୁଡ଼ିକ ଲୋକଙ୍କୁ ଠିକ୍ ବାର୍ତ୍ତା ଦେଇ ମନରୁ ଆତଙ୍କ ଦୂର କରିବା ଉଚିତ। ସେମାନେ ଏହି ବାର୍ତ୍ତା ଲୋକଙ୍କୁ ଦେବା ଉଚିତ ଯେ ବିଏଫ୍.୭ ଦ୍ରୁତ ସଂକ୍ରମଣଶୀଳ, ମାତ୍ର ମାରାତ୍ମକ ନୁହେଁ। ସେ କହିଛନ୍ତି ଯେ ଭାରତ ବିଏଫ୍.୭ ଯୋଗୁ ଚୀନ୍ ପରି ଦଶା ଭୋଗିବ ନାହିଁ, କାରଣ ଭାରତୀୟମାନଙ୍କର ‘ହାଇବ୍ରିଡ୍ ଇମ୍ୟୁନିଟି’ (ପ୍ରାକୃତିକ, ଟିକା-ଜନିତ ଓ ରୋଗସଂକ୍ରମଣ-ଜନିତ ଉନ୍ନତ ରୋଗନିରୋଧକ କ୍ଷମତା) ରହିଛି। ଭାରତର ମଧ୍ୟ କୋଭିଡ୍-୧୯ ମହାମାରୀ ପରିଚାଳନା କରିବାର ଅଢ଼େଇ ବର୍ଷର ଅଭିଜ୍ଞତା ରହିଛି। ଭାରତର ଅଧିକାଂଶ ଲୋକ ଦୁଇ ଡୋଜ୍ ଟିକା ନେଇସାରିଛନ୍ତି ଓ ଅନେକ ଲୋକ ବୁଷ୍ଟର ବି ନେଇଛନ୍ତି। ଯେଉଁମାନେ ବୁଷ୍ଟର ନେଇନାହାନ୍ତି ସେମାନେ ଏହା ନେବା ବିଷୟରେ ଚିନ୍ତା କରିବା ଉଚିତ। ବୁଷ୍ଟର ନେବା ଅତି ଜରୁରୀ। ବିଶେଷତଃ ବୟସ୍କ ଲୋକ ଓ ଯେଉଁମାନେ ଡାଇବେଟିସ୍, ବ୍ଲଡ୍ପ୍ରେସର ଆଦି ଅନ୍ୟାନ୍ୟ ରୋଗରେ ପୀଡ଼ିତ ସେମାନେ ନିଶ୍ଚୟ ପ୍ରିକସନ ଡୋଜ୍ ନେବା ଉଚିତ।
ଚୀନ୍ ବିଷୟରେ ପଣ୍ଡା କହିଛନ୍ତି ଯେ ସେମାନଙ୍କର ରୋଗନିରୋଧକ କ୍ଷମତା ଭାରତୀୟଙ୍କଠାରୁ ଊଣା। ସେମାନେ ନେଇଥିବା ସ୍ବଦେଶୀ ଟିକାର ପ୍ରଭାବ କମ୍। ଚୀନ୍ବାସୀମାନେ ମଧ୍ୟ ଜିରୋ କୋଭିଡ୍ ନୀତି ଯୋଗୁ ପୂର୍ବରୁ ଭୂତାଣୁ ସଂସ୍ପର୍ଶରେ ଆସିନାହାନ୍ତି। ତେଣୁ ବିଏଫ୍.୭ ଉପକିସମ ସେ ଦେଶରେ ଆତଙ୍କ ସୃଷ୍ଟି କରିଛି।
Follow Us