ନୂଆଦିଲ୍ଲୀ: ପେଟରେ ଯନ୍ତ୍ରଣା ହେବାରୁ ବୁଧବାର ବିଳମ୍ବିତ ରାତ୍ରରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କୁ ଦିଲ୍ଲୀସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ସମ୍ପ୍ରତି ଜାତୀୟ ରାଜଧାନୀର ସରିତା ବିହାର ଅଞ୍ଚଳରେ ଅବସ୍ଥିତ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ମୁଖ୍ୟମନ୍ତ୍ରୀ ମାନ୍ଙ୍କର ପେଟରେ ସଂକ୍ରମଣ ହୋଇଛି। ତେବେ କିଛି ଦିନ ତଳେ ମାନ୍ ପିଇଥିବା ଦୂଷିତ ପାଣି ପାଇଁ ତାଙ୍କ ପେଟରେ ସଂକ୍ରମଣ ହୋଇଥିବା ଚର୍ଚ୍ଚା ଆରମ୍ଭ ହୋଇଛି।
ଆମ୍ ଆଦମୀ ପାର୍ଟିର ପଞ୍ଜାବ ୟୁନିଟ୍ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ ଭଗୱନ୍ତ ମାନ ଏକ ଗ୍ଲାସରେ ପଞ୍ଜାବରେ ଥିବା କାଲୀ ବେଁ ନାଳରୁ ପାଣି ଆଣି ପିଉଥିବାର ନଜର ଆସିଛନ୍ତି। ପଞ୍ଜାବ ୟୁନିଟ୍ ଦ୍ୱାରା ସେୟାର କରାଯାଇଥିବା ଭିଡିଓର କ୍ୟାପସନରେ ପଞ୍ଜାବୀରେ ଲେଖାଯାଇଛି, 'ସୁଲତାନପୁର ଲୋଧିରେ ପବିତ୍ର ଜଳ ପିଇବା ସହ ଗୁରୁ ନାନକ ସାହେବଙ୍କ ଭୂମିରେ ମୁଖ୍ୟମନ୍ତ୍ରୀ ପ୍ରଣାମ କରିଛନ୍ତି। ଭଗୱନ୍ତ ମାନ ଏବଂ ରାଜ୍ୟସଭା ସଦସ୍ୟ ସନ୍ତ ସିଚେୱାଲାଜୀ ପବିତ୍ର ସ୍ଥାନ ସଫା କରିବାର ଦାୟିତ୍ବ ନେଇଛନ୍ତି।
ଏହି ଭିଡିଓ ଜୁଲାଇ ୧୭ରେ ଟ୍ୱିଟ କରାଯାଇଥିଲା। କାଳୀ ବେଇଁ ନାଳର ସଫେଇ ଅଭିଯାନ ପାଇଁ ପରିବେଶବିତ୍ ତଥା ରାଜ୍ୟସଭା ସାଂସଦ ବଲବୀର ସିଂ ସିଚେୱାଲ ମୁଖ୍ୟମନ୍ତ୍ରୀଙ୍କୁ ଡାକିଥିଲେ। ଏହି ସମୟରେ ଭଗୱନ୍ତ ମାନ ନାଳରୁ ଏକ ଗ୍ଲାସ ପାଣି ଆଣି ପିଇଥିଲେ। ନିକଟସ୍ଥ ସହର ଏବଂ ଗ୍ରାମଗୁଡିକରୁ ବାହାରୁଥିବା ଦୂଷିତ ଜଳ ଏହି ନାଳରେ ମିଶୁଥିବା ନେଇ କୁହାଯାଉଥିବା ବେଳେ ଏହି ନାଳର ଦୂଷିତ ଜଳ ପିଇ ଭଗୱନ୍ତ ମାନ ଅସୁସ୍ଥ ହୋଇଥିବା କୁହାଯାଉଛି। ତେବେ ଏ ସମ୍ପର୍କରେ ଆମ୍ ଆଦମୀ ପାର୍ଟି କିମ୍ବା ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ବିବୃତି ଜାରି କରାଯାଇ ନାହିଁ।
Follow Us