The Indian Express
ନୂଆଦିଲ୍ଲୀ : ଦିଲ୍ଲୀର ରାମଲୀଳା ମୈଦାନରେ ଅନୁଷ୍ଠିତ କଂଗ୍ରେସର ‘ଭାରତ ବଚାଓ’ ରୢାଲିରେ ଓଡ଼ିଶାର ଶତାଧିକ କଂଗ୍ରେସ କର୍ମୀମାନେ ଯୋଗଦେଇଥିଲେ। ଏହି ରୢାଲିରେ ଓଡ଼ିଶାର ପଞ୍ଚାୟତ, ବ୍ଲକ୍, ଜିଲ୍ଲା ଓ ରାଜ୍ୟ ସ୍ତରରୁ ପହଞ୍ଚିଥିବା କଂଗ୍ରେସ ନେତାମାନେ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନ ବିରୋଧୀ ନୀତି ନେଇ ସ୍ବର ଉତ୍ତୋଳନ କରିଥିଲେ। ପିସିସି ସଭାପତି ନିରଞ୍ଚନ ପଟ୍ଟନାୟକଙ୍କ ନେତୃତ୍ବରେ ପହଞ୍ଚିଥିବା ଶତାଧିକ କଂଗ୍ରେସ କର୍ମୀମାନେ ରାମଲୀଳା ମୈଦାନରେ ଆଜିର ‘ଭାରତ ବଚାଓ’ ରୢାଲିର ବାର୍ତ୍ତାକୁ ଓଡ଼ିଶାର କୋଣ-ଅନୁକୋଣରେ ପହଞ୍ଚାଇବା ସହିତ ଆଗାମୀ ଦିନରେ କଂଗ୍ରେସ କିଭଳି ଲୋକମାନଙ୍କର ଆସ୍ଥାଭାଜନ ହୋଇପାରିବ ସେନେଇ ସଂକଳ୍ପ ନେଇଥିଲେ। ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ କହିବା ଅନୁଯାୟୀ ‘ଭାରତ ବଚାଓ’ ରୢାଲିର ଅଭୂତପୂର୍ବ ସଫଳତା କଂଗ୍ରେସକୁ ଦେଶରେ ମଜବୁତ କରିବ। ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଜନତାଙ୍କର ଯେଉଁ ଅସନ୍ତୋଷ ରହିଛି ତାହା ଆଜିର ରୢାଲିରେ ପ୍ରମାଣିତ ହୋଇଛି। ଆଜିର ରୢାଲିରେ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲକା, ବିଧାୟକ ତାରା ପ୍ରସାଦ ବାହିନୀପତି, ସୁରେଶ ରାଉତରାୟ, ମହମ୍ମଦ ମୋକିମ, ଜୟଦେବ ଜେନା, ଶରତ ପଟ୍ଟନାୟକ, ହେମାନନ୍ଦ ବିଶ୍ବାଳ, ଜର୍ଜ ତୀର୍କୀ, ବିଜୟଲକ୍ଷ୍ମୀ ସାହୁ, ଯଜ୍ଞେଶ୍ବର ବାବୁ, ସସ୍ମିତା ବେହେରା, ପ୍ରଦୀପ ମାଝି, ସତ୍ୟପ୍ରକାଶ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ରାମଲୀଳା ମୈଦାନରେ ରୢାଲି ଶେଷ ହେବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇଆଇସି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ଓଡ଼ିଶା ଦାୟିତ୍ବରେ ଥିବା ଏଆଇସିସିର ସମ୍ପାଦକ ଓ ଅନ୍ୟ ବରିଷ୍ଠ ନେତାମାନେ ଏଆଇସିସି କାର୍ଯ୍ୟାଳୟରେ ବୈଠକ କରି ଆଗାମୀ ଦିନରେ ରାଜ୍ୟରେ କିଭଳି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଫଳତାକୁ ନେଇ ଜନସାଧାରଣଙ୍କୁ ଅବଗତ କରାଯିବ ସେନେଇ ଆଲେଶଚନା କରିଥିଲେ।
Follow Us