କୃଷି ଆଇନକୁ କୃଷକଙ୍କ ଦେଶବ୍ୟାପୀ ବିରୋଧ : ଆଜି ଭାରତ ବନ୍ଦ

Advertisment

୧୧ଟାରୁ ୩ଟା ଚକା ଜାମ୍‌, ୧୮ ରାଜନୈତିକ ଦଳଙ୍କ ସମର୍ଥନ

୧୧ଟାରୁ ୩ଟା ଚକା ଜାମ୍‌, ୧୮ ରାଜନୈତିକ ଦଳଙ୍କ ସମର୍ଥନ

କୃଷି ଆଇନକୁ କୃଷକଙ୍କ ଦେଶବ୍ୟାପୀ ବିରୋଧ : ଆଜି ଭାରତ ବନ୍ଦ

Zee News

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ମଙ୍ଗଳବାର କୃଷକ ସଂଗଠନ ଗୁଡ଼ିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଭାରତ ବନ୍ଦକୁ କଂଗ୍ରେସ ସମେତ ୧୮ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। ବନ୍ଦକୁ କଂଗ୍ରେସ, ଡିଏମ୍‌କେ, ଏନ୍‌ସିପି, ସମାଜବାଦୀ ପାର୍ଟି, ବାମଦଳ, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି, ଆସାମ ଗଣ ପରିଷଦ, ତେଲେଙ୍ଗାନା ରାଷ୍ଟ୍ର ସମିତି, ଆମ୍‌ ଆଦ୍‌ମି ପାର୍ଟି, ଶିବସେନା ପ୍ରମୁଖ ରାଜନୈତିକ ଦଳମାନେ ସମର୍ଥନ ଘୋଷଣା କରିଛନ୍ତି।

ମଙ୍ଗଳବାର ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବାକୁ କୃଷକ ସଂଗଠନମାନେ ନି‌ବେଦନ କରିଛନ୍ତି। ବନ୍ଦ ଯୋଗୁଁ ଯେପରି ସାଧାରଣ ଲୋକ ହଇରାଣ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ଭାରତୀୟ କିଷାନ ସଂଘର ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି। ଶାନ୍ତିପୂର୍ଣ୍ଣ ଉପାୟରେ ବନ୍ଦ ପାଳନରେ ଲୋକେ ସହଯୋଗ କରିବାକୁ କୃଷକ ସଂଗଠନମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସକାଳ ୮ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ। କିନ୍ତୁ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚକା‌ ଜାମ୍‌ ହେବ ବୋଲି ଜଣାଯାଇଛି।

ନୂଆ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ କୃଷକ ସଂଗଠନମାନେ ଅଟଳ ରହିଥିବା ବେଳେ ଆଇନରେ କେତେକ ସଂଶୋଧନ ପାଇଁ ସରକାର ରାଜି ହୋଇଛନ୍ତି। ମାତ୍ର ‌ସରକାର ଓ କୃଷକ ନେତାଙ୍କ ମଧ୍ୟରେ ପାଞ୍ଚଥର ଆଲୋଚନା ହୋଇଥିଲେ ମଧ୍ୟ ସମାଧାନର ପନ୍ଥା ବାହାରି ପାରିନାହିଁ। ଆସନ୍ତା ୯ ତାରିଖରେ ସରକାର ଏବଂ କୃଷକ ନେତାଙ୍କ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ହେବାକୁ ଯାଉଛି।

publive-image Outlook India

ଭାରତ ବନ୍ଦକୁ ଦୃଷ୍ଟିରେ ରଖି ମଙ୍ଗଳବାର ହେବାକୁ ଥିବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପେପର-୧ ପରୀକ୍ଷାକୁ ଆସନ୍ତା ୧୧ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ବୋଲି ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ସ ଅଫ୍‌ ଇଣ୍ଡିଆ’ ପକ୍ଷରୁ କୁହାଯାଇଛି। ସେହିଭଳି ଆସନ୍ତାକାଲି ଦେଶର ବ୍ୟାଙ୍କ ସେବା ବନ୍ଦ ରହିବ ବୋଲି ‘ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ’ (ଏଆଇବିଇଏ) ପକ୍ଷରୁ କୁହାଯାଇଛି। ଏହା ସହିତ ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌, ସିଆ‌ଇଟିୟୁ, ଏଆଇୟୁଟିୟୁସି, ଟିୟୁସିସି ଭଳି ଶ୍ରମିକ ସଂଗଠନ ଆସନ୍ତାକାଲିର ବନ୍ଦକୁ ପୂର୍ଣ୍ଣ ସମର୍ଥନ ଘୋଷଣା କରିଛନ୍ତି। ଫଳରେ ସମଗ୍ର ଦେଶରେ ଟ୍ରକ୍‌ ପରିବହନ ବନ୍ଦ ରହିବ ବୋଲି ‘ମୋଟର ପରିବହନ ସଂଘ’ ଘୋଷଣା କରିଛି। କେତେକ କ୍ୟାବ ଡ୍ରାଇଭର, ମଣ୍ଡି ବ୍ୟବସାୟୀ ଏବଂ ବିଭିନ୍ନ କୃଷକ ସଂଗଠନ ବନ୍ଦରେ ସାମିଲ ହୋଇଥିବାରୁ ଦିଲ୍ଲୀ ସମେତ ଦେଶର କେତେକ ସ୍ଥାନରେ କ୍ଷୀର, ପନିପରିବା, ତେଜରାତି ସାମଗ୍ରୀ ଯୋଗାଣ ପ୍ରଭାବିତ ହେବା ଆଶଙ୍କା ରହିଛି। ସେହିଭଳି ଅଟୋ ରିକ୍ସା ଓ ଟ୍ୟାକ୍ସି ମଧ୍ୟ ବନ୍ଦରେ ସାମିଲ ହେବେ ବୋଲି ‘ଦିଲ୍ଲୀ ଟ୍ୟାକ୍ସି ପର୍ଯ୍ୟଟନ ପରିବହନ ସଂଘ’ର ସଭାପତି ସଞ୍ଜୟ ସମ୍ରାଟ ଘୋଷଣା କରିଛନ୍ତି।

ଆସନ୍ତାକାଲି ଦେଶର ସମସ୍ତ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ‘ଭାରତୀୟ କିଷାନ୍‌ ସଂଘ’ର ସାଧାରଣ ସମ୍ପାଦକ ହରିନ୍ଦର ସିଂହ ଲାଖୋୱାଲ କହିଛନ୍ତି।

ବନ୍ଦ ସଂକ୍ରାନ୍ତରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ପାଇଁ ଉପଦେଶାବଳୀ ଜାରି କରାଯାଇଛି। କୌଣସି ପ୍ରକାର ଅପ୍ରୀତିକର ଘଟଣା ଯେଭଳି ନଘଟିବ ସେଥିପାଇଁ ସତର୍କତା ମୂଳକ ପଦକ୍ଷେପ ନେବାକୁ କୁହାଯାଇଛି। ଏଥିସହିତ ବନ୍ଦ ପାଳନ ବେଳେ କୋଭିଡ୍‌-୧୯ ନିୟମାବଳୀକୁ ଯେଭଳି କଡ଼ାକଡ଼ି ପାଳନ କରାଯିବ ତାହାକୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନେ ନିଶ୍ଚିତ କରିବେ ବୋଲି ଗୃହ ମନ୍ତ୍ରାଳୟ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe