The Hindu
ନୂଆଦିଲ୍ଲୀ: ‘ଟାଇମ୍’ ମାଗାଜିନ୍ ଭବିଷ୍ୟତର ଉଦୀୟମାନ ନେତା ତାଲିକା ପ୍ରକାଶ କରିଛି । ଏଥିରେ ମୋଟ ୧୦୦ ଜଣ ନେତାଙ୍କ ନାମ ରହିଛି । ଏହି ତାଲିକାରେ ଜଣେ ମାତ୍ର ଭାରତୀୟ ରହିଥିବା ବେଳେ ୫ ଜଣ ଭାରତୀୟ ବଂଶୋଦ୍ଭବଙ୍କ ନାମ ରହିଛି । ଭବିଷ୍ୟତର ଉଦୀୟମାନ ନେତାଙ୍କ ତାଲିକାରେ ରହିଥିବା ଭାରତୀୟ ଜଣଙ୍କ ହେଉଛନ୍ତି ଭୀମ ଆର୍ମିର ନେତା ଚନ୍ଦ୍ରଶେଖର ଆଜାଦ । ଏହା ସହ ବିଦେଶରେ ରହୁଥିବା ୫ ଜଣ ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରେ ରହିଛନ୍ତି ଟ୍ୱିଟରର ବରିଷ୍ଠ ଓକିଲ ବିଜୟା ଗାଡଡେ ଓ ବ୍ରିଟେନ୍ ଅର୍ଥମନ୍ତ୍ରୀ ଋଷି ସୁନକ , ଇନଷ୍ଟାକାର୍ଟର ସଂସ୍ଥାପକ ତଥା ସିଆଇଓ ଅପୂର୍ବା ମେହତା, ଏନଜିଓ ‘ଗେଟ୍ ଅସ୍ ପିପିଆଇ’ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଶିଖା ଗୁପ୍ତା ଓ ଏନଜିଓ ‘ଅପସୋଲଭ’ର ରୋହନ ପଭୁଲୁରୀ ।
ବୁଧବାର ଜାରି ହୋଇଥିବା ‘୨୦୨୧ ଟାଇମ ନେକ୍ସଟ୍’ ସାରା ବିଶ୍ୱର ୧୦୦ ଜଣ ଭବିଷ୍ୟତ ପ୍ରଭାବଶାଳୀ ନେତାଙ୍କ ନାମ ପ୍ରକାଶ ପାଇଛି । ଏଥିରେ ସ୍ଥାନ ପାଇଥିବା ୧୦୦ ଜଣ ନେତା ଯେଉଁମାନେ କି ଭବିଷ୍ୟତକୁ ନୂଆ ରୂପ ଦେଉଛନ୍ତି । ଏ ନେଇ ‘ଟାଇମ୍ ୧୦୦’ ର ସଂପାଦକୀୟ ନିର୍ଦ୍ଦେଶକ ଡେନ୍ ମ୍ୟାକସାଇ କହିଛନ୍ତି କି ଏହି ତାଲିକାରେ ସ୍ଥାନ ପାଇଥିବା ସମସ୍ତ ବ୍ୟକ୍ତି ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ଅଛନ୍ତି । ଏହା ସହ ଏମାନଙ୍କ ମଧ୍ୟରୁ ଅନେକ ନେତା ଇତିହାସ ସୃଷ୍ଟି କରିସାରିଛନ୍ତି ବୋଲି ସେ କହିଛନ୍ତି।
ଏହି ପତ୍ରିକାରେ ଭୀମ୍ ଆର୍ମି ନେତା ଆଜାଦଙ୍କ ବାବଦରେ କୁହାଯାଇଛି କି ସେ ଦଳିତ ସମୁଦାୟଙ୍କୁ ଶିକ୍ଷା ମାଧ୍ୟମରେ ଗରିବିରୁ ମୁକ୍ତି ଦେବାକୁ ସହଯୋଗ କରିବା ପାଇଁ ସ୍କୁଲ ଚଳାଉଛନ୍ତି। ସେ ବାଇକ୍ ରାଲି କରି ଜାତି ଆଧାରରେ ହିଂସାର ଶିକାର ହେଉଥିବା ଲୋକଙ୍କୁ ନ୍ୟାୟ ଦେବାକୁ ଗାଁ ଗାଁରେ ପହଞ୍ଚିଯାଆନ୍ତି।
Follow Us