Image Courtesy of Zee News
ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଜି ଜାତିସଂଘରେ ରୁଷ୍ ବିରୋଧରେ ଗର୍ଜିଛନ୍ତି। ୟୁକ୍ରେନ୍ରେ ଅନାବଶ୍ୟକ ଏବଂ ବର୍ବର ଯୁଦ୍ଧ କରି ରୁଷ୍ ଅତ୍ୟନ୍ତ ନିର୍ଲଜ ଭାବେ ଜାତିସଂଘର ନୀତି ଏବଂ ଆଦର୍ଶକୁ ଉଲ୍ଲଂଘନ କରିଛି। ରୁଷ୍ ବର୍ବରତାର ସୀମା ଲଙ୍ଘିଯାଇଛି। ଜାତିସଂଘ ମୁଖ୍ୟାଳୟରେ ଜାତିସଂଘ ସାଧାରଣ ଅଧିବେଶନର ୭୭ତମ ଅଧିବେଶନରେ ଉଦ୍ବୋଧନ ଦେଇ ବାଇଡେନ କହିଛନ୍ତି, ୟୁକ୍ରେନ୍ ନାଗରିକଙ୍କ ଉପରେ ରୁଷ୍ ଯେଭଳି ଅମାନୁଷିକ ଆକ୍ରମଣ କରିଛି ତାହା ଅକଳ୍ପନୀୟ। ବାଇଡେନ କହିଛନ୍ତି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁରୋପକୁ ଦେଇଥିବା ନୂଆ ପରମାଣୁ ଧମକ ମଧ୍ୟ ପରମାଣୁ ନିରସ୍ତ୍ରୀକରଣ ଚୁକ୍ତିର ଉଲ୍ଳଂଘନ କରିଛି। ପରମାଣୁ ନିରସ୍ତ୍ରୀକରଣ ଚୁକ୍ତିରେ ରୁଷ୍ ସ୍ବାକ୍ଷର କରିଛି। କିନ୍ତୁ ପୁଟିନଙ୍କ ଏଭଳି ଘୋଷଣା ରୁଷ୍ର ଦାୟିତ୍ବହୀନତାକୁ ପଦାରେ ପକାଇଛି। ବାଇଡେନ କହିଛନ୍ତି, ପରମାଣୁ ଯୁଦ୍ଧରେ କେହି ବିଜୟୀ ହେବେନି କି ଏହି ଯୁଦ୍ଧ କେବେ ବି ନ ଲଢ଼ିବା ଉଚିତ।
ମୋଦୀଙ୍କୁ ପ୍ରଶଂସା କଲେ ମାକ୍ରନ୍
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଜାତିସଂଘରେ ପ୍ରଶଂସା କରିଛନ୍ତି। ଏସ୍ସିଓ ସମ୍ମିଳନୀ ଅବସରରେ ମୋଦୀ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବା ପାଇଁ ଯେଉଁ ପରାମର୍ଶ ଦେଇଥିଲେ ସେହି ପ୍ରସଙ୍ଗsb ମାକ୍ରନ୍ ତାଙ୍କ ଜାତିସଂଘ ଉଦ୍ବୋଧନରେ ଉଲ୍ଲେଖ କରି ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ଏବେ ଯୁଦ୍ଧ ସମୟ ନାହିଁ ବୋଲି ମୋଦୀ ପୁଟିନଙ୍କୁ ଯେଭଳି ଚେତାଇ ଦେଇଥିଲେ ତାହା ଠିକ୍ ବୋଲି ମାକ୍ରନ କହିଛନ୍ତି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ‘ପାର୍ସିଆଲ ମୋବିଲାଇଜେସନ୍’ ଘୋଷଣା କରିବା ପରେ ବିଶ୍ବ ନେତାମାନେ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରୁଷ୍ର ଏହି କାର୍ଯ୍ୟ ଦୁର୍ବଳତାର ଲକ୍ଷଣ ବୋଲି ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରସଂଘ କହିଛନ୍ତି।
Follow Us