କଳ୍ପନା ସୋରେନଙ୍କ ପାଇଁ ଅଗ୍ନି ପରୀକ୍ଷା

କଳ୍ପନା ସୋରେନଙ୍କ ପାଇଁ ଅଗ୍ନି ପରୀକ୍ଷା

ରାଞ୍ଚି: ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମେ ୨୦ ତାରିଖରେ ଗଣ୍ଡେ ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଥିବା ବେଳେ ଏହି ଆସନରୁ ଲଢ଼ୁଛନ୍ତି ଜେଲରେ ଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ମୁର୍ମୁ। ପ୍ରଥମ ଥର ପାଇଁ ଶ୍ରୀମତୀ ସୋରେନ ରାଜନୀତି କ୍ଷେତ୍ରରେ ପ୍ରବେଶ କରିଛନ୍ତି ଏବଂ ମନିଲଣ୍ଡରିଂ ମାମଲାରେ ଜେଲରେ ଥିବା ତାଙ୍କ ସ୍ୱାମୀଙ୍କ ସହାନୁଭୂତି ଭୋଟ୍ ଉପରେ ଭରସା କରୁଛନ୍ତି।

ରାଜ୍ୟର ଲୋକସଭା ଆସନ ଅପେକ୍ଷା ଗଣ୍ଡେ ଏକ ଅଧିକ ହାଇପ୍ରୋଫାଇଲ ଆସନରେ ପରିଣତ ହୋଇଛି, ଯେଉଁଠାରେ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସମେତ ଇଣ୍ଡି ମେଣ୍ଟର ଅନେକ ବଡ଼ ନେତା ତାଙ୍କ ସମର୍ଥନରେ ପ୍ରଚାର କରୁଛନ୍ତି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ମଧ୍ୟ ଜେଏମ୍ଏମ୍ ପ୍ରାର୍ଥୀଙ୍କ ପାଇଁ ଗଣ୍ଡେରେ ପ୍ରଚାର କରୁଛନ୍ତି। ସୋରେନ୍ ପରିବାରର ପ୍ରତିଷ୍ଠା ଓ ସମ୍ମାନ ବିପଦରେ ପଡ଼ିଥିବାରୁ ଏମ୍‌ବିଏ ଡିଗ୍ରି ହାସଲ କରିଥିବା ଦୁଇ ସନ୍ତାନର ମା’ ଶ୍ରୀମତୀ ସୋରେନ୍ ଉପନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ସେ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ଦିଲୀପ ବର୍ମାଙ୍କ ବିପକ୍ଷରେ ଲଢୁଛନ୍ତି ଏବଂ ଏହାର ମେଣ୍ଟ ସହଯୋଗୀ ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ୍ ୟୁନିୟନ (ଏଜେଏସ୍ୟୁ) ମଧ୍ୟ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରୁଛି। ସତ୍ୟପାଠରେ ଶ୍ରୀମତୀ ସୋରେନ୍ ଦର୍ଶାଇଛନ୍ତି ଯେ ତାଙ୍କ ପାଖରେ ୯୧ ଲକ୍ଷ ଟଙ୍କାର ଅଳଙ୍କାର ଥିବା ବେଳେ ସେୟାରରେ ୬୧ ଲକ୍ଷ ଟଙ୍କା ବିନିଯୋଗ ରହିଛି। ପ୍ରତ୍ୟେକ ସଭାରେ ଶ୍ରୀମତୀ ସୋରେନ୍ ଜୋର ଦେଇ କହିଛନ୍ତି ଯେ ବିଜେପି ଓ କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ରର ଅଂଶସ୍ୱରୂପ ତାଙ୍କ ସ୍ୱାମୀଙ୍କୁ ଜେଲ୍ ପଠାଇ ଦିଆଯାଇଛି।

ଗଣ୍ଡେ ନିର୍ବାଚନ ମଣ୍ଡଳୀରେ ମୁସଲମାନ ଓ ଆଦିବାସୀ ଭୋଟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ସେମାନଙ୍କ ଭୋଟ୍ ଏହି ଆସନରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ। ମୁସଲମାନ ଏବଂ ଆଦିବାସୀଙ୍କ ଭୋଟ୍ ପ୍ରତିଶତ ପାଖାପାଖି ୪୦% ରହିଛି ଏବଂ ସେମାନଙ୍କର ମିଳିତ ଭୋଟ୍ କୌଣସି ପ୍ରାର୍ଥୀଙ୍କ ବିଜୟ କିମ୍ବା ପରାଜୟର ମୂଳଦୁଆକୁ ମଜବୁତ କରିଥାଏ। ଟ୍ରାକ୍ ରେକର୍ଡରୁ ଜଣାପଡ଼ୁଛି ଯେ ଆଦିବାସୀମାନେ ଜେଏମ୍ଏମ୍‌କୁ ସମର୍ଥନ କରନ୍ତି ଏବଂ ଏହା ସହିତ ମୁସଲମାନଙ୍କ ସମର୍ଥନ ସେହି ପ୍ରାର୍ଥୀଙ୍କୁ ଯାଉଛି, ଯାହାଙ୍କ ଭୋଟ୍ ବିଜେପିର ପରାଜୟକୁ ସୁନିଶ୍ଚିତ କରିଥାଏ। ଉପନିର୍ବାଚନ ପାଇଁ ମୁସଲମାନ ଓ ଆଦିବାସୀ ଭୋଟ୍‌ ଧ୍ରୁବୀକରଣ ହେବାର ସମ୍ଭାବନା ରହିଛି। ଚଳିତ ବର୍ଷ ଜାନୁଆରି ମାସରେ ଶ୍ରୀମତୀ ସୋରେନଙ୍କୁ ନିର୍ବାଚନ ଲଢ଼ିବା ପାଇଁ ସୁଯୋଗ ଦେବା ନିମନ୍ତେ ବିଧାୟକ ସର୍ଫରାଜ ଅହମଦ ଆସନ ଖାଲି କରିବା ପରେ ଉପନିର୍ବାଚନ ଘୋଷଣା କରାଯାଇଥିଲା। ପରେ ଶାସକ ଜେଏମ୍ଏମ୍ ଦଳ ପ୍ରତି ଆନୁଗତ୍ୟ ପାଇଁ ଶ୍ରୀ ସର୍ଫରାଜଙ୍କୁ ରାଜ୍ୟସଭା ଟିକେଟ୍ ଦେଇଥିଲା। ଯଦି ଶ୍ରୀମତୀ ସୋରେନ ବିଜୟୀ ହୁଅନ୍ତି ତେବେ ସେ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ବିଷୟରେ ପଚରାଯିବାରୁ ଜେଏମ୍ଏମ୍ ମୁଖପାତ୍ର ମନୋଜ ପାଣ୍ଡେ କହିଛନ୍ତି, ସେ ଯେକୌଣସି ପଦବି ସମ୍ଭାଳିବାକୁ ସକ୍ଷମ ଏବଂ ଯଦି ଜେଏମ୍ଏମ୍‌ର ନେତୃତ୍ୱ ନିଷ୍ପତ୍ତି ନିଅନ୍ତି, ତେବେ ନିର୍ଦ୍ଦେଶ ପାଳନ କରିବାକୁ ପଡ଼ିବ। ତେବେ ବର୍ତ୍ତମାନ ସେଭଳି କୌଣସି ନିଷ୍ପତ୍ତି ହୋଇ ନାହିଁ ବୋଲି ପାଣ୍ଡେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe