ଅହମଦାବାଦ: ଲୋକସଭା ନିର୍ବାଚନ ପୂର୍ବରୁ ଗୁଜରାଟରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ନିର୍ବାଚନ ପୂର୍ବରୁ ଦଳ ସାଂଗଠନିକସ୍ତରରେ ଦୁର୍ବଳ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଧାରା ପ୍ରତି ଆକର୍ଷିତ ହୋଇ ଗୁଜରାଟ କଂଗ୍ରେସର ୩ ନେତା ହାତ ଛାଡି ପଦ୍ମ ଧରିଛନ୍ତି। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଗୁଜରାଟରେ ପହଞ୍ଚିବାର ୩ ଦିନ ପୂର୍ବରୁ ରାଜ୍ୟ କଂଗ୍ରେସରେ ଏଭଳି ସଙ୍କଟ ସୃଷ୍ଟି ହୋଇଛି। ପୂର୍ବ କଂଗ୍ରେସ ବିଧାୟକ ଅଜୁର୍ନ ମୋଢୱାଡ଼ିଆ, ମୁଲୁ ଭାଇ କନ୍ଦୋରିଆ ଏବଂ ଅମ୍ବରିଶ ଡେର ମଙ୍ଗଳବାର ବିଜେପିରେ ଯୋଗ ଦେଇଛନ୍ତି।
ମଧ୍ୟାହ୍ନ ୧୨ଟାରେ ତିନି ନେତାଙ୍କୁ ବିଜେପି ଦଳୀୟ କାର୍ଯ୍ୟାଳୟରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ୩ କଂଗ୍ରେସ ନେତା ବିଜେପି ପ୍ରଦେଶ ଅଧ୍ୟକ୍ଷ ସିଆର ପାଟିଲଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ଏହି ୩ ନେତା ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ। କଂଗ୍ରେସ ଛାଡିବା ପୂର୍ବରୁ ଅଜୁର୍ନ ଦଳୀୟ ବିଚାରଧାରାକୁ କଡ଼ା ସମାଲୋଚନା କରିଥିଲେ। ଏହା ସହିତ କଂଗ୍ରେସର ବିଭିନ୍ନ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ କଂଗ୍ରେସ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବକୁ ବହିଷ୍କାର କରିବା ଏକ ବଡ଼ ଭୁଲ।
କୁହାଯାଉଛି ବିଜେପି ଅଜୁର୍ନଙ୍କୁ ପ୍ରାର୍ଥୀ କରିବାର ଯୋଜନା ରହିଛି। ଅଜୁର୍ନ ପୂର୍ବରୁ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ରହିଥିଲେ। ସେ କଂଗ୍ରେସ ଟିକେଟରେ ତୃତୀୟ ଥର ପାଇଁ ବିଧାନସଭା ନିର୍ବାଚନ ମଧ୍ୟ ଜିତିଥିଲେ। ଅର୍ଜୁନଙ୍କ ଏଭଳି ପଦକ୍ଷେପ ଦ୍ବାରା ରାଜ୍ୟରେ କଂଗ୍ରେସର ସ୍ଥିତି ଉପରେ ସଙ୍କଟ ସୃଷ୍ଟି ହେବ ବୋଲି ରାଜନୈତିକସ୍ତରରେ ଚର୍ଚ୍ଚା ହେଉଛି।
Follow Us