ପାଟନା: ବିହାର ବିଧାନସଭା ନିର୍ବାଚନ ୨ରୁ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ସୂଚନା ଅନୁସାରେ, ନିର୍ବାଚନ ଆୟୋଗ ବିହାରର ନିର୍ବାଚନ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ସମୟରେ ଦୀପାବଳି ଓ ଛଟ୍ ଛୁଟିକୁ ବିଚାର କରିପାରନ୍ତି। ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨, ୨୦୨୫ରେ ଶେଷ ହେବ ଏବଂ ଏହା ପୂର୍ବରୁ ନିର୍ବାଚନ ଶେଷ କରିବାକୁ ପଡ଼ିବ। ଚଳିତ ବର୍ଷ ଅକ୍ଟୋବର କିମ୍ବା ନଭେମ୍ବରରେ ହେବାକୁ ଥିବା ନିର୍ବାଚନରେ ବିହାରର ୨୪୩ଟି ବିଧାନସଭା ଆସନରେ ମତଦାନ ହେବ। ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଆଦର୍ଶ ଆଚରଣବିଧି ଲାଗୁ ହୋଇପାରେ।
ଅକ୍ଟୋବରରୁ ନଭେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ମତଦାନ ଓ ଗଣତି ପ୍ରକ୍ରିୟା ଅନୁଷ୍ଠିତ ହେବ। ତେବେ ନିର୍ବାଚନ ଆୟୋଗଙ୍କ ଆନୁଷ୍ଠାନିକ ପ୍ରେସ୍ ବିବୃତିକୁ ଅପେକ୍ଷା କରାଯାଇଛି। ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଚଳିତ ମାସ ଶେଷ ଆଡ଼କୁ ବିହାର ଗସ୍ତ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିପାରନ୍ତି। ମହାରାଷ୍ଟ୍ର, ହରିୟାଣା ଓ ଦିଲ୍ଲୀରେ ବିରୋଧୀ ଦଳ ବିଶେଷ କରି କଂଗ୍ରେସ ଯେଉଁ ଭୋଟର ତାଲିକା ବିରୋଧରେ ଅଭିଯୋଗ ଆଣିଛନ୍ତି, ତାହାକୁ ଏଡ଼ାଇବା ପାଇଁ ନିର୍ବାଚନ କମିସନ କାର୍ଯ୍ୟ କରୁଛନ୍ତି। ୨୦୨୦ରେ ୩ଟି ପର୍ଯ୍ୟାୟରେ ଏବଂ ୨୦୧୫ରେ ୫ଟି ପର୍ଯ୍ୟାୟରେ ବିହାର ନିର୍ବାଚନ ହୋଇଥିଲା।
Follow Us