Image Courtesy of The News Room India
ନୱାଦା: ଜାତୀୟସ୍ତରରେ ୫୪ତମ ସ୍ଥାନ ହାସଲ କରି ନୱାଦା ଉପକାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀ ‘ଆଇଆଇଟି ଜଏଣ୍ଟ୍ ଆଡ୍ମିସନ୍ ଟେଷ୍ଟ୍ ଫର୍ ମାଷ୍ଟର୍ସ’ (ଜେଏଏମ୍) ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଜଣେ ବୈଜ୍ଞାନିକ ହୋଇ ଜାତୀୟ ବିକାଶରେ ଅବଦାନ ଦେବାକୁ ସୂରଜ କୁମାର ଯାଦବ ନାମକ ସେ ବିଚାରାଧୀନ କଏଦୀଙ୍କ ଲକ୍ଷ୍ୟ।
ନରହତ୍ୟା ଅଭିଯୁକ୍ତ ସୂରଜ ଏହି ସଫଳତାର ଶ୍ରେୟ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ୍ ଅଭିଷେକ ପାଣ୍ଡେଙ୍କୁ ଦେଇଛନ୍ତି। ଉପରୋକ୍ତ ପ୍ରବେଶିକା ପରୀକ୍ଷା ଦେବା ପାଇଁ ପାଣ୍ଡେ ତାଙ୍କୁ ପ୍ରେରିତ କରିବା ସହିତ ଆବଶ୍ୟକ ବହିପତ୍ର ଯୋଗାଇ ଦେଇଥିଲେ।
ଚଳିତ ବର୍ଷ ଫେବ୍ରୁଆରି ୧୩ ତାରିଖରେ ଅନୁଷ୍ଠିତ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ପାଣ୍ଡେ ସୂରଜଙ୍କ ପାଇଁ ସ୍ବତନ୍ତ୍ର ଖାଦ୍ୟ ବ୍ୟବସ୍ଥା କରିବା ସହିତ ବ୍ୟକ୍ତିଗତ ଭାବେ ଗାଇଡ୍ କରିଥିଲେ। ନୂଆଦିଲ୍ଲୀ ଯାଇ ପରୀକ୍ଷା ଦେବା ପାଇଁ ସୂରଜଙ୍କୁ ଅଦାଲତ ଗୋଟିଏ ମାସ ପାରୋଲ୍ ଦେଇଥିଲେ।
Image Courtesy of The Times of Indiaଗିରଫ ହେବା ପୂର୍ବରୁ ସୂରଜ ପ୍ରବେଶିକା ପରୀକ୍ଷା ଦେବା ପାଇଁ ରାଜସ୍ଥାନର କୋଟାରେ ଅଧ୍ୟୟନ କରୁଥିଲେ। ୨୦୨୧ରେ କୋଭିଡ୍-୧୯ ଯୋଗୁଁ ଦେଶବ୍ୟାପୀ ଲକ୍ଡାଉନ୍ ଯୋଗୁଁ ସେ ନୱାଦା ଜିଲ୍ଲା ଅନ୍ତର୍ଗତ ୱାରିସାଲିଗଞ୍ଜ ଥାନା ଅଧୀନସ୍ଥ ତାଙ୍କ ପୈତୃକ ଗାଁ’କୁ ଫେରି ଆସିଥିଲେ।
୨୦୨୧ ଏପ୍ରିଲ୍ ମାସରୁ ସୂରଜ ଏବଂ ତାଙ୍କ ବଡ଼ଭାଇ ବୀରେନ୍ଦ୍ର ଯାଦବଙ୍କୁ ନୱାଦା ଉପକାରାଗାରରେ ରଖାଯାଇଛି। ପଡ଼ୋଶୀ ତଥା ଅନ୍ୟତମ ଦୁଷ୍ଟ ଗ୍ରାମବାସୀ ସଞ୍ଜୟ ଯାଦବଙ୍କ ହତ୍ୟାକାଣ୍ଡରେ ସେମାନେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା।
କିନ୍ତୁ, ପ୍ରାପ୍ତ ସୂଚନା ଅନୁସାରେ, ଗାଁର ଗୋଟାଏ ନର୍ଦ୍ଦମା ପ୍ରସଙ୍ଗକୁ ଭିତ୍ତିକରି ସୂରଜଙ୍କ ବାପା ଅର୍ଜୁନ ଯାଦବ ଏବଂ ସଞ୍ଜୟଙ୍କ ବାପା ବାସୋ ଯାଦବଙ୍କ ମଧ୍ୟରେ ଦୀର୍ଘ ଦିନରୁ ବାଦବିସମ୍ବାଦ ଲାଗି ଆସୁଥିଲା। ସେହି କାରଣରୁ ଯୋଗୁଁ ଉପରୋକ୍ତ ହତ୍ୟାକାଣ୍ଡ ଘଟିଥିଲା। ମୋସମା ପଞ୍ଚାୟତର ମୁଖିଆ ରେଣୁ ଦେବୀ କହନ୍ତି, ସୂରଜଙ୍କୁ ଏହି ମାମଲାରେ ଫସାଇ ଦିଆଯାଇଛି। ଶତ୍ରୁ ପକ୍ଷଙ୍କ ପ୍ରତିଶୋଧ ଆଶଙ୍କା କରି ସୂରଜଙ୍କ ପିତାମାତା ଗାଁ ଛାଡ଼ି ଚାଲିଯାଇଥିଲେ। ତାଙ୍କ ଚାଷ ଜମି ପଡ଼ିଆ ପଡ଼ିଛି। ଜେଲ୍ରୁ ମୁକୁଳିଲେ ‘ଆଇଆଇଟି-ରୂର୍କୀ’ରେ ନାଁ ଲେଖାଇବେ ବୋଲି ସୂରଜ ଆଶା ବାନ୍ଧିଛନ୍ତି।
Follow Us