ପାଟନା: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ରବିବାର ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାର ଉପରେ ତୀବ୍ର ବର୍ଷିଛନ୍ତି। ଯଦି ତେଜସ୍ବୀ ଯାଦବ କ୍ଷମତାକୁ ଆସିବେ ତେବେ ବିହାର ହତ୍ୟା, ଅପହରଣ ଏବଂ ଦାଦାବଟି ପାଇଁ ୩ଟି ନୂଆ ମନ୍ତ୍ରାଳୟ ଦେଖିବ ବୋଲି ଶାହ କହିଛନ୍ତି। ମୁଜାଫରପୁରରେ ଏକ ନିର୍ବାଚନ ରାଲିରେ ଶାହ ବିରୋଧୀ ଏବଂ ଏନଡିଏ ମେଣ୍ଟ ମଧ୍ୟରେ ତୁଳନା କରି କହିଛନ୍ତି, ଯଦି ଏନ୍ଡିଏ ମେଣ୍ଟ କ୍ଷମତା ବଜାୟ ରଖେ ତେବେ ବିହାର ବନ୍ୟାମୁକ୍ତ ହେବ।
ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ପାଇଁ ଏନ୍ଡିଏ ସରକାର ଏକ ସ୍ବତନ୍ତ୍ର ମନ୍ତ୍ରାଳୟ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଆର୍ଜେଡି ନେତୃତ୍ବାଧୀନ ‘ଜଙ୍ଗଲ ରାଜ’ କ୍ଷମତାକୁ ଫେରିବା ବିରୋଧରେ ସେ ଚେତାବନୀ ଦେଇଛନ୍ତି। ଶାହ କଟାକ୍ଷ କରି କହିଛନ୍ତି, ଯଦି ଲାଲୁଙ୍କ ପୁଅ (ତେଜସ୍ବୀ) ବିହାର ମୁଖ୍ୟମନ୍ତ୍ରୀ ହେବେ ତେବେ ଅପହରଣ, ଦାଦାବଟି ଏବଂ ହତ୍ୟା ପାଇଁ ୩ଟି ନୂଆ ମନ୍ତ୍ରାଳୟ ସୃଷ୍ଟି ହେବ। ଅନ୍ୟପକ୍ଷେ ଏନ୍ଡିଏକୁ ଆପଣମାନଙ୍କ ଭୋଟ୍ ବିହାରକୁ ଆର୍ଜେଡିର ଜଙ୍ଗଲରାଜ୍ କବଳରୁ ସୁରକ୍ଷା ଦେବ। ନୂଆ ଚେହେରା ସହ ‘ଜଙ୍ଗଲ ରାଜ୍’ ଫେରାଇ ଆଣିବାପାଇଁ ଉଦ୍ୟମ ଚାଲିଛି ବୋଲି ସେ କହିଛନ୍ତି। ଶାହ ପୁଣିଥରେ ଅଭିଯୋଗ କରିଛନ୍ତି ଯେ ଲାଲୁ ପ୍ରସାଦ ଏବଂ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ବଂଶବାଦକୁ ଆଗକୁ ବଢ଼ାଇବା ଲକ୍ଷ୍ୟ ରଖିଛନ୍ତି। ଉଭୟ ଉଭୟଙ୍କ ପୁଅକୁ ଶୀର୍ଷ ରାଜନୈତିକ ପଦରେ ବସାଇବା ପାଇଁ ଉଦ୍ୟମ କରିଛନ୍ତି।
Follow Us