Representional Picture (Pinterest)
ଗୌହ୍ଵାଟି: ବିମାନଯାତ୍ରା ଯେଭଳି ଆରାମଦାୟକ ଓ ଗନ୍ତବ୍ୟସ୍ଥଳରେ ପହଞ୍ଚବାଲାଗି ସହଜ,ଠିକ୍ ସେହିଭଳି ବିପଜ୍ଜନକ ମଧ୍ୟ। ଛୋଟ ଛୋଟ କାରଣ ଲାଗି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଯାଏ। ଗୌହ୍ଵାଟି ବିମାନ ବନ୍ଦରରେ ଅବତରଣ କରିବା ସମୟରେ ଏକ ଏୟାର୍ ଇଣ୍ଡିଆ ବିମାନ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇଛି। ଯାହାଫଳରେ ଏଥିରେ ବସିଥିବା ୧୬୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୁଣି ଏହି ଯାତ୍ରୀଙ୍କ ମଧ୍ୟରେ ରହିଛନ୍ତି ମଣିପୁରର ମୁଖ୍ୟମନ୍ତ୍ରୀ ନଙ୍ଗ୍ଥମ୍ବାମ୍ ବୀରେନ୍।
ଏୟାର ଇଣ୍ଡିଆର ଦିଲ୍ଲୀ-ଗୌହ୍ଵାଟିି-ଇମ୍ଫାଲ ବିମାନ ଦିଲ୍ଲୀରୁ ଗୌହ୍ଵାଟିି ଆସି ପହଞ୍ଚବା ସମୟରେ ଏକ ଉଡ଼ନ୍ତା ପକ୍ଷୀ ଜୋରରେ ମାଡ଼ ହୋଇଯାଇଥିଲା ବିମାନରେ। ଫଳରେ ବିମାନରେ ଇମ୍ଫାଲ ଯାତ୍ରାକୁ ତୁରନ୍ତ ବାତିଲ କରାଯାଇଥିଲା। ଯାତ୍ରୀମାନେ ଗୌହ୍ଵାଟି ବିମାନ ବନ୍ଦରରେ ଅଟକି ରହିଥିଲେ। ଇମ୍ଫାଲ୍ ଯାଉଥିବା ଯାତ୍ରୀଙ୍କ ଲାଗି ଆଉ ଏକ ବିମାନ ଯୋଗାଇବାରେ ବ୍ୟବସ୍ଥା ହୋଇ ପାରି ନ ଥିଲା।
The Indian Expressଘଟଣାରୁ ପ୍ରକାଶ କି, ବିମାନ ଅବତରଣ କରିବା ସମୟରେ ଏକ ଉଡ଼ନ୍ତା ପକ୍ଷୀ ଖୁବ୍ ଜୋର୍ରେ ବିମାନ ସହ ଧକ୍କା ଖାଇଥିଲା। ଏହାର ପ୍ରଭାବରେ ବିମାନରେ ଏକ ଗର୍ତ୍ତ ସୃଷ୍ଟି ହେବା ଭଳି ଅବସ୍ଥା ଉତ୍ପନ୍ନ ହୋଇଥିଲା। ପାଇଲଟ୍ ବିମାନକୁ ସତର୍କତାର ସହ ଅବତରଣ କରାଇବା ପରେ ଫ୍ଲାଇଟ୍ ଇଂଜିନିୟର୍ମାନେ ବିମାନର ତଦାରଖ କରି ଏହା ଯାତ୍ରା ଲାଗି ଅନୁପଯୋଗୀ ବୋଲି ଘୋଷଣା କରିଥିଲେ। ମାତ୍ର ଯାତ୍ରୀମାନଙ୍କର ଇମ୍ଫାଲ୍ ଯାତ୍ରା ଲାଗି କୌଣସି ବ୍ୟବସ୍ଥା ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କରିପାରି ନଥିଲେ। ଏମିତିକି ଅନେକ ଯାତ୍ରୀ ଘଣ୍ଟା ଘଣ୍ଟା ଧରି ବିମାନ ମଧ୍ୟରେ ଅଖିଆ ଅପିଆ ବସିରହିଥିଲେ। ସେମାନଙ୍କ ବିଶ୍ରାମ ଲାଗି କୌଣସି ବ୍ୟବସ୍ଥା ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କରି ନ ଥିଲେ।
ଇମ୍ଫାଲ୍ ମୁଖ୍ୟମନ୍ତ୍ରୀ ବୀରେନ୍ ଅସନ୍ତୋଷ ପ୍ରକାଶ କରି ଟ୍ଵିଟ୍ କରିଛନ୍ତି। ସେ ତାଙ୍କ ଟ୍ଵିଟ୍ରେ ଲେଖିଛନ୍ତି କି ଗୌହ୍ଵାଟି ବିମାନ ବନ୍ଦରରେ ଏୟାର ଇଣ୍ଡିଆର ପରିଚାଳନା ଅତ୍ୟନ୍ତ ଦୁର୍ବଳ ଥିଲା, ଆଦୌ ପର୍ଯ୍ୟାପ୍ତ ନଥିଲା। କେବଳ ତିନିଜଣ କର୍ମଚାରୀଙ୍କୁ ଦେଖିବାକୁ ମିଳିଥିଲା। ଯାତ୍ରୀଙ୍କ ସୁବିଧା ଲାଗି ବିକଳ୍ପ ବ୍ୟବସ୍ଥା ମଧ୍ୟ ହୋଇପାରିନଥିଲା।
ଅନ୍ୟପକ୍ଷରେ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଥିଲା କି ଯାତ୍ରୀଙ୍କ ସୁବିଧା ଲାଗି ଯାହା ସମ୍ଭବ ତାହା କରାଯାଇଛି।
Follow Us