ରାଜ୍ୟସଭାରେ ଏନ୍‌ସିଟି ବିଲ୍‌କୁ ବିଜେଡିର ବିରୋଧ, କକ୍ଷତ୍ୟାଗ

Advertisment

ବଦଳୁଛି ବିଜେଡି-ବିଜେପି ସମୀକରଣ?

ବଦଳୁଛି ବିଜେଡି-ବିଜେପି ସମୀକରଣ?

ନୀତୀଶ ଏନ୍‌ଡିଏ ଛାଡ଼ିବା ପରେ ରାଜ୍ୟସଭା ଗଣିତ ବଦଳିବ

ନୂଆଦିଲ୍ଲୀ : ଦିଲ୍ଲୀ ସରକାର କୌଣସି ପ୍ରଶାସନିକ ନିଷ୍ପତ୍ତି ନେବା ପୂର୍ବରୁ ଉପରାଜ୍ୟପାଳଙ୍କ ମତାମତ ଲୋଡ଼ିବା ବାଧ୍ୟତାମୂଳକ। ଏଭଳି ଏକ ବଡ଼ ପଦକ୍ଷେପ ନେବାକୁ ଯାଇ କେନ୍ଦ୍ର ସରକାର ଆଣିଥିବା କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀର ଉପରାଜ୍ୟପାଳଙ୍କ କ୍ଷମତା ବୃଦ୍ଧି ସକ୍ରାନ୍ତ ବିଲ୍‌ (ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ସରକାର (ସଂଶୋଧନ) ବିଲ୍ ୨୦୨୧)କୁ ରାଜ୍ୟସଭାରେ ବିଜୁ ଜନତା ଦଳ କଡ଼ା ବିରୋଧ କରିଛି। କେବଳ ସେତିକି ନୁହେଁ, ବିଜେଡି ନେତାମାନେ କକ୍ଷତ୍ୟାଗ ବି କରିଥିଲେ।

ଦିଲ୍ଲୀ ସଂପର୍କିତ ଏକ ବିଲ୍‌ ଉପରେ ବିଜେଡିର ଏଭଳି ଆଭିମୁଖ୍ୟ ରାଜ୍ୟ ରାଜନୀତି ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି। ଆଗକୁ ପିପିଲି ଉପନିର୍ବାଚନ ରହିଛି ଓ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏଭଳି ସମୟରେ ବିଜେଡିର ଏଭଳି ଆଭିମୁଖ୍ୟ କେଉଁଠି ନା କେଉଁଠି ସୂଚାଉଛି ଯେ ଆଗକୁ ବିଜେଡି-ବିଜେପି ରାଜନୈତିକ ସମୀକରଣ ବଦଳିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।

ବୁଧବାର ଦିନ ରାଜ୍ୟସଭାରେ ବିଜେଡିର ନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ସରକାର (ସଂଶୋଧନ) ବିଲ୍ ରାଜ୍ୟର ନିର୍ବାଚିତ ସରକାରଙ୍କର କ୍ଷମତାକୁ ଦୁର୍ବଳ କରିଦେଉଛି। ଏହା କୋଅପରେଟିଭ ଫେଡେରାଲିଜିମ୍‌ ବା ସଂଘୀୟ ବ୍ୟବସ୍ଥାରେ କୌଣସି ପ୍ରକାର ସହାୟକ ହେବନାହିଁ। ବ୍ୟାପକ ଆଲୋଚନା ପରେ ସରକାରଙ୍କୁ ଏହି ବିଲ୍ ଆଣିବାର ଥିଲା। ଏହି ବିଲ୍‌ ଦ୍ବାରା ସଂଘୀୟ ସହଭାଗିତା ବ୍ୟାହତ ହେବାର ସମ୍ଭାବନା ଅଛି।

ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ ବିଜୁ ଜନତା ଦଳ ଏଭଳି କୌଣସି ଆଇନ ପାରିତ କରିବାରେ ଅଂଶୀଦାର ହୋଇ ପାରିବ ନାହିଁ; ଯେଉଁ ଥିରେ ଲୋକଙ୍କ ଦ୍ବାରା ନିର୍ବାଚିତ ସରକାର/ ବିଧାନସଭାର କ୍ଷମତାକୁ କ୍ଷୁଣ୍ଣ କରିବ। ଏଣୁ ବିଜେଡି ସମ୍ମାନଜନକ ଭାବେ କକ୍ଷତ୍ୟାଗ କରୁଛି ବୋଲି ପ୍ରସନ୍ନ କହିଥିଲେ। ଉଲ୍ଲେଖଯୋଗ୍ୟ ଯେ ସୋମବାର ଏହି ବିଲ୍ ଲୋକସଭାରେ ଗୃହୀତ ହୋଇଥିବା ବେଳେ ଆଜି ଏହି ବିଲ୍ ରାଜ୍ୟସଭାରେ ଗୃହୀତ ହୋଇଛି। ବିରୋଧୀ ଦଳ କକ୍ଷତ୍ୟାଗ କରିଥିଲେ। ହେଲେ ଆଲୋଚନା ବେଳେ ବିଜେଡି ସମେତ ସପା, ଏସଏଏଡି ଏବଂ ୱାଇଏସଆରସିପି ଦଳମାନେ କଠୋର ଆଭିମୁଖ୍ୟ ଗ୍ରହଣ କରି କକ୍ଷତ୍ୟାଗ କରିଥିଲେ।

ପୂର୍ବରୁ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍ ପ୍ରସଙ୍ଗରେ ବିଜେଡି କେନ୍ଦ୍ର ବିଜେପି ନେତୃତ୍ବାଧୀନ ସରକାରକୁ ଖୋଲା ସମର୍ଥନ ଦେଇ ଆସିଥିଲା। ଏଭଳି ପରିପ୍ରେକ୍ଷୀରେ ଆଜିର ନିଷ୍ପତ୍ତି ଆଗାମୀ ଦିନରେ ଓଡ଼ିଶା ରାଜନୀତି ପାଇଁ ବଡ଼ ସଙ୍କେତ ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe