Image Courtesy of Zee News
ନୂଆଦିଲ୍ଲୀ : ସ୍ବଦେଶୀ ଟିକା କୋଭାକ୍ସିନ ଟିକାକୁ ଅନ୍ତଃରାଷ୍ଟ୍ରୀୟ ମାନ୍ୟତା ଦେବା ପାଇଁ ସରକାରଙ୍କୁ ଜୋରଦାର ପ୍ରୟାସ କରିବାକୁ ପଡିବ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଭଳି ସଂସ୍ଥାମାନଙ୍କ ଦ୍ବାରା ମାନ୍ୟତା ମିଳି ନ ଥିବାରୁ ଏହି ଟିକା ନେଇଥିବା ବ୍ୟକ୍ତିଙ୍କୁ ବିଦେଶ ଯାତ୍ରା ତଥା ଭିଜା ହାସଲରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ତେଣୁ ମାନ୍ୟତା ପାଇଁ ଆବଶ୍ୟକ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଉ। ଗତକାଲି ସଂନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରୋନା ପରିଚାଳନା ସଂପର୍କିତ ସର୍ବଦଳୀୟ ବୈଠକରେ ଯୋଗଦେଇ ବିଜୁ ଜନତା ଦଳ (ବିଜେଡି) ନେତା ପିନାକୀ ମିଶ୍ର ଏହି ପ୍ରସ୍ତାବ ଦେଇଥିଲେ।
ସର୍ବଦଳୀୟ ବୈଠକରେ ପିନାକୀ ମିଶ୍ର ରାଜ୍ୟରେ ଟିକାକରଣର ଗତିକୁ ବ୍ୟାପକ କରିବା ପାଇଁ ରାଜ୍ୟ ସରକାରଙ୍କୁ ୯୫ ପ୍ରତିଶତ ହାରରେ ଟିକା ଦେବାକୁ ଅନୁରୋଧ କରିଥିଲେ। ସେ କହିଥିଲେ, କେନ୍ଦ୍ର ସରକାର ରାଜ୍ୟମାନଙ୍କ ପାଇଁ ୭୫:୨୫ ଅନୁପାତ ସ୍ଥିର କରିଛନ୍ତି। କିନ୍ତୁ ରାଜ୍ୟରେ ଘରୋଇ ହସ୍ପିଟାଲ ସଂଖ୍ୟା କମ୍ ରହିଥିବାରୁ ପ୍ରାଇଭେଟ୍ ହସ୍ପିଟାଲର ଟିକା କୋଟାକୁ ୨୫ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯିବା ଦରକାର ବୋଲି ପିନାକୀ କହିଥିଲେ। ସେ ପୁଣି କହିଥିଲେ ରାଜ୍ୟବାସୀଙ୍କୁ କିଭଳି ତ୍ବରିତ ଟିକାକରଣ କରାଯିବ ସେ ନେଇ ରାଜ୍ୟ ସରକାର ତତ୍ପର, ରାଜ୍ୟର ଅନୁପାତକୁ ୯୫:୫ କରାଗଲେ ଏହି ଅଭିଯାନକୁ ଆହୁରି ଗତି ମିଳିପାରିବ। ସର୍ବଦଳୀୟ ବୈଠକରେ ପିନାକୀ ଓଡିଶାରେ ଟିକାକରଣର ପ୍ରର୍ଦଶନ ଭଲ ରହିଥିବା ତଥା ଓଡିଶାରେ ଟିକାର ଅପଚୟ ଦେଶରେ ସବୁଠାରୁ କମ୍ ବୋଲି କହିଥିଲେ।
Follow Us