ଲୋକସଭା ଓ ୪ ବିଧାନସଭା ନିର୍ବାଚନୀ ଖର୍ଚ୍ଚ: ବିଜେପିର ୧୨୬୪ କୋଟି, କଂଗ୍ରେସର ୮୨୦ କୋଟି

ଅମରିନ୍ଦରଙ୍କୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ: କଂଗ୍ରେସ କହିଲା ସୁବିଧାବାଦୀ

Patrika

ନୂଆଦିଲ୍ଲୀ: ବିଜେପି ୨୦୧୯ ଲୋକସଭା ନିର୍ବାଚନ ଏବଂ ଗତ ଏପ୍ରିଲ-ମେ’ରେ ହୋଇଥିବା‌ ୪ଟି ରାଜ୍ୟ ବିଧାନଭସଭା ନିର୍ବାଚନରେ ୧୨୬୪ କୋଟି ଟଙ୍କା ଖର୍ଚ୍ଚ କରିଛି। ୨୦୧୪ ଲୋକସଭା ନିର୍ବାଚନରେ ବିଜେପିର ଖର୍ଚ୍ଚ ତୁଳନାରେ ଏହା ୭୭ ପ୍ରତିଶତ ବୃଦ୍ଧି ପାଇଛି। ବିଜେପି ୧୦୭୮ କୋଟି ଟଙ୍କା ଦଳୀୟ ପ୍ରଚାର ପାଇଁ ଏବଂ ୧୮୬.୫ କୋଟି ଟଙ୍କା ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ କରିଛି। ବିଜେପି ଦ୍ବାରା ନିର୍ବାଚନ କମିସନ୍‌ଙ୍କ ନିକଟରେ ଦାଖଲ ହୋଇଥିବା ନିର୍ବା‌ଚନୀ ଖର୍ଚ୍ଚ ବିବରଣୀରୁ ଏହା ଜଣାପଡ଼ିଛି। ପ୍ରାର୍ଥୀଙ୍କ ପାଇଁ ବିଜେପି ଯେଉଁ ଖର୍ଚ୍ଚ କରିଛି ସେଥିରୁ ଗଣମାଧ୍ୟମ ବାବଦରେ ୬.୩୩ ଲକ୍ଷ, ପ୍ରଚାର ସାମଗ୍ରୀ ପାଇଁ ୪୬ ଲକ୍ଷ, ସାଧାରଣ ବୈଠକ ଏବଂ ଶୋଭାଯାତ୍ରା ପାଇଁ ୯.୯୧ କୋଟି ଏବଂ ଅନ୍ୟ ଖର୍ଚ୍ଚ ପାଇଁ ୨.୫୨ କୋଟି ଖର୍ଚ୍ଚ କରିଛି। ଅନ୍ୟପ‌କ୍ଷେ କଂଗ୍ରେସ ୨୦୧୯ ‌ଲୋକସଭା ନିର୍ବାଚନୀ ଖର୍ଚ୍ଚ ୮୨୦ କୋଟି ଟଙ୍କା ଦର୍ଶାଇଛି। ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସ ୫୧୬ କୋଟି ଖର୍ଚ୍ଚ କରିଥିଲା।

ବିଜେପିର ମୁଖ୍ୟାଳୟ ଦ୍ବାରା ଲୋକସଭା ନିର୍ବାଚନ ଏବଂ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଉଦ୍ଦେଶ୍ୟରେ ସମୁଦାୟ ୭୫୫ କୋଟି ଖର୍ଚ୍ଚ ହୋଇଛି। ଏଥି ମଧ୍ୟରୁ ୧୭୫.୬୮ କୋଟି ଟଙ୍କା ତାରକା ପ୍ରଚାରକଙ୍କ ପାଇଁ ଖର୍ଚ୍ଚ ହୋଇଥିଲା। ଗଣମାଧ୍ୟମ ବିଜ୍ଞାପନ ପାଇଁ ୩୨୫ କୋଟି, ପୋଷ୍ଟର, ବ୍ୟାନର ଏବଂ କଟ୍‌ଆଉଟ୍‌ ପାଇଁ ୨୫.୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଉଲ୍ଲେଖଯୋଗ୍ୟ ବିଜେପିର ୨୦୧୮-୧୯ ବର୍ଷର ରୋଜଗାର ୨,୪୧୦ କୋଟି ଥିଲା ବୋଲି ଘୋଷଣା କରାଯାଇଥିଲା। ଏହା ୨୦୧୭-୧୮ ତୁଳନାରେ ୧୩୪ ପ୍ରତିଶତ ବୃଦ୍ଧି ପାଇଥିଲା। ୨୦୧୮-୧୯ ପାଇଁ ବିଜେପି ଦ୍ବାରା ଇସିଙ୍କ ନିକଟରେ ଦାଖଲ ହୋଇଥିବା ବାର୍ଷିକ ଅଡିଟ୍‌ ରିପୋର୍ଟରେ କୁହାଯାଇଛି ୨୪୧୦ କୋଟି ଟଙ୍କାରୁ କେବଳ ୧୪୫୦ କୋଟି ଟଙ୍କା ନିର୍ବାଚନୀ ବଣ୍ଡ୍‌ରୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe