ନୂଆଦିଲ୍ଲୀ: ରାଜ୍ୟସଭା ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେପି ୮ ରାଜ୍ୟରୁ ୯ଟି ରାଜ୍ୟସଭା ଆସନ ପାଇଁ ତାଲିକା ପ୍ରକାଶ କରିଛି । ହରିୟାଣାରୁ କିରଣ ଚୌଧୁରୀ ଓ ରାଜସ୍ଥାନରୁ କେନ୍ଦ୍ରମନ୍ତ୍ରୀ ରବନୀତ ବିଟ୍ଟୁଙ୍କୁ ପ୍ରାର୍ଥୀ କରାଯାଇଛି। ବିଟ୍ଟୁ ପଞ୍ଜାବରୁ ଲୋକସଭା ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ ମଧ୍ୟ ପରାଜିତ ହେବା ପରେ ଦଳ ତାଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଥିଲା। କେନ୍ଦ୍ରରେ ତୃତୀୟ ଥର ପାଇଁ ମୋଦୀ ସରକାର ଗଠନ ହେବା ପରେ ବିଟ୍ଟୁ ମନ୍ତ୍ରୀ ଭାବେ ଶପଥ ନେଇଥିଲେ।
ସେପ୍ଟେମ୍ବର ୩ତାରିଖରେ ୯ଟି ରାଜ୍ୟର ୧୨ଟି ରାଜ୍ୟସଭା ଆସନ ପାଇଁ ମତଦାନ ହେବ। ନିର୍ବାଚନ ଆୟୋଗ ମଧ୍ୟ ଏହାର କାର୍ଯ୍ୟକ୍ରମ ଘୋଷଣା କରିସାରିଛନ୍ତି। ଏହାପରେ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି ବିଭିନ୍ନ ରାଜ୍ୟରେ ହେବାକୁ ଥିବା ଆଗାମୀ ରାଜ୍ୟସଭା ଉପନିର୍ବାଚନ ପାଇଁ ଏସବୁ ନାମକୁ ଅନୁମୋଦନ କରିଛି।
ଅନ୍ୟ ପ୍ରାର୍ଥୀମାନେ ହେଲେ ଆସାମରୁ ମିଶନ ରଞ୍ଜନ ଦାସ ଓ ରାମେଶ୍ୱର ତେଲି, ବିହାରରୁ ମନନ କୁମାର ମିଶ୍ର, ହରିୟାଣାରୁ କିରଣ ଚୌଧୁରୀ, ମଧ୍ୟପ୍ରଦେଶରୁ ଜର୍ଜ କୁରିୟନ, ମହାରାଷ୍ଟ୍ରର ଧୈର୍ଯ୍ୟଶୀଳ ପାଟିଲ, ଓଡ଼ିଶାରୁ ମମତା ମହାନ୍ତ, ରାଜସ୍ଥାନରୁ ସର୍ଦ୍ଦାର ରବନୀତ ସିଂ ବିଟ୍ଟୁ ଓ ତ୍ରିପୁରାରୁ ରାଜୀବ ଭଟ୍ଟାଚାର୍ଯ୍ୟ।
Follow Us