ଇସ୍ତାହାରରେ ଭାରତର ‘କ୍ଷତବିକ୍ଷତ’ ମାନଚିତ୍ର ପ୍ରକାଶ କରିଥିବାରୁ କଂଗ୍ରେସ ସଭାପତି ପ୍ରାର୍ଥୀ ଥରୁରଙ୍କୁ କଟାକ୍ଷ କଲା ବିଜେପି

Advertisment
ଇସ୍ତାହାରରେ ଭାରତର ‘କ୍ଷତବିକ୍ଷତ’ ମାନଚିତ୍ର ପ୍ରକାଶ କରିଥିବାରୁ କଂଗ୍ରେସ ସଭାପତି ପ୍ରାର୍ଥୀ ଥରୁରଙ୍କୁ କଟାକ୍ଷ କଲା ବିଜେପି

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶଶି ଥରୁର ନିଜ ଇସ୍ତାହାରରେ ଭାରତର ଏକ ‘କ୍ଷତବିକ୍ଷତ’ ମାନଚିତ୍ର ପ୍ରକାଶ କରିଥିବାରୁ ତାଙ୍କୁ କଟାକ୍ଷ କରିଛି ବିଜେପି। ବିଜେପି କହିଛି ଯେ ଥରୁର ତାଙ୍କ ଇସ୍ତାହାରରେ ଜମ୍ମୁ- କଶ୍ମୀରର କିଛି ଅଂଶ ନଥିବା ଏକ ‘କ୍ଷତବିକ୍ଷତ’ ମାନଚିତ୍ର ପ୍ରକାଶ କରିଛନ୍ତି। ଏବଂ ଏପରି କରିବା ପଛରେ ନିର୍ବାଚନରେ ଗାନ୍ଧୀ ପରିବାରର ଅନୁଗ୍ରହ ଖୋଜିବା ଉଦ୍ଦେଶ୍ୟ ହୋଇପାରେ ବୋଲି ବିଜେପି ଅଭିଯୋଗ କରିଛି।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ଦଳର ସଭାପତି ପଦବୀ ନିମନ୍ତେ ହେଉଥିବା ନିର୍ବାଚନରେ ଥରୁର ଶୁକ୍ରବାର ଦିନ ନିଜର ନାମାଙ୍କନ ଦାଖଲ କରି ଏକ ଇସ୍ତାହାର ପ୍ରକାଶ କରିଛନ୍ତି, ଯେଉଁଥିରେ ଭାରତର ମାନଚିତ୍ର ସ୍ଥାନ ପାଇଛି। ତେବେ, ଥରୁରଙ୍କ ଦ୍ୱାରା ପ୍ରକାଶିତ ଭାରତର ମାନଚିତ୍ରରେ ଜମ୍ମୁ- କଶ୍ମୀର ଏବଂ ଲଦାଖର କିଛି ଅଂଶ ବାଦ ଦିଆଯାଇଥିବା ଦେଖିବାକୁ ମିଳିଛି।

publive-image

ଏହି ଘଟଣା ଉପରେ ଏକ ଟ୍ଵିିଟ୍‌ କରି ବିଜେପିର ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି ଯେ ଥରୁର ତାଙ୍କ ଇସ୍ତାହାରରେ ଭାରତର ଏକ କ୍ଷତବିକ୍ଷତ ମାନଚିତ୍ର ରଖିଛନ୍ତି। ଏ ପ୍ରସଙ୍ଗରେ ଥରୁରଙ୍କୁ କଟାକ୍ଷ କରି ସେ କହିଛନ୍ତି, ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାରେ ଥିବା ବେଳେ ତାଙ୍କ ଦଳର ସଭାପତି ପ୍ରାର୍ଥୀ ଭାରତକୁ ବିଚ୍ଛିନ୍ନ କରିବାକୁ ଅଣ୍ଟା ଭିଡିଛନ୍ତି।

ଅନ୍ୟପକ୍ଷରେ ବିଜେପିର ଜାତୀୟ ମୁଖପାତ୍ର ଆରପି ସିଂ କହିଛନ୍ତି, ଏହା ଥରୁରଙ୍କ ଦ୍ୱାରା ଏକ ଭୁଲ ନୁହେଁ ବରଂ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ କଂଗ୍ରେସର ନୀତି ନିର୍ଦ୍ଧାରଣ କରିଛି।

ତେବେ, ଇତିମଧ୍ୟରେ ଶଶୀ ଥରୁରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇ ମାନଚିତ୍ରକୁ ସଂଶୋଧନ କରାଯାଇ ସାରିଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe