ୱାୟନାଡ଼: କେରଳର ୱାୟନାଡ଼ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ବିଜେପି ଆଜି ନବ୍ୟା ହରିଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ନବ୍ୟା ଏହି ଆସନରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିପକ୍ଷରେ ଲଢ଼ିବେ। ନବ୍ୟା ହରିଦାସ ଜଣେ ମେକାନିକାଲ ଇଞ୍ଜିନିୟର ଏବଂ ସେ ୨୦୦୭ ମସିହାରେ କାଲିକଟ ବିଶ୍ୱବିଦ୍ୟାଳୟର କେଏମ୍ସିଟି ଇଞ୍ଜିନିୟରିଂ କଲେଜରୁ ବି-ଟେକ୍ ଡିଗ୍ରି ହାସଲ କରିଥିଲେ। ନବ୍ୟାଙ୍କ ବିରୋଧରେ କୌଣସି ଆପରାଧିକ ମାମଲା ନାହିଁ ଏବଂ ତାଙ୍କ ପାଖରେ ୧,୨୯,୫୬,୨୬୪ ଟଙ୍କାର ସମ୍ପତ୍ତି ରହିଛି। ତାଙ୍କ ଟ୍ୱିଟର ପ୍ରୋଫାଇଲ ଅନୁଯାୟୀ, ସେ କୋଝିକୋଡ଼ ନିଗମର ଜଣେ କାଉନସିଲର ଏବଂ ବର୍ତ୍ତମାନ ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦିକା ଅଟନ୍ତି।
ଫେସ୍ ବୁକ୍ ପେଜ୍ରେ ସେ ନିଜକୁ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ବୋଲି ଦର୍ଶାଇଛନ୍ତି। ୱାୟନାଡ଼ ଆସନର କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଅକ୍ଟୋବର ୨୩ରେ ପ୍ରାର୍ଥୀପତ୍ର ଦାଖଲ କରିବେ। ଭାରତୀୟ ନିର୍ବାଚନ ଆୟୋଗ ମଙ୍ଗଳବାର ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ନଭେମ୍ବର ୧୩ରେ ମତଦାନ ହେବ ଏବଂ ନଭେମ୍ବର ୨୩ରେ ଫଳାଫଳ ପ୍ରକାଶ ପାଇବ। ୱାୟନାଡ଼ ସହିତ ଆଜି ବିଜେପି ୮ଟି ରାଜ୍ୟର ବିଧାନସଭା ଉପନିର୍ବାଚନ ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ମଧ୍ୟ ଜାରି କରିଛି।
Follow Us