ଦକ୍ଷିଣରେ ସାଫ୍, ଉତ୍ତରରେ ହାଫ୍: ପ୍ରଥମ ପର୍ଯ୍ୟାୟ ମତଦାନ ପରେ କଂଗ୍ରେସର ବଡ ଦାବି

ଦକ୍ଷିଣରେ ସାଫ୍, ଉତ୍ତରରେ ହାଫ୍: ପ୍ରଥମ ପର୍ଯ୍ୟାୟ ମତଦାନ ପରେ କଂଗ୍ରେସର ବଡ ଦାବି

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ମତଦାନ ପରେ କଂଗ୍ରେସ ଏକ ବଡ଼ ଦାବି କରିଛି। କଂଗ୍ରେସ ଦଳର ମିଡିଆ ସେଲ ଦାୟିତ୍ୱରେ ଥିବା ଜୟରାମ ରମେଶ କହିଛନ୍ତି ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଦକ୍ଷିଣରେ ଏବଂ ଉତ୍ତରରେ ବିଜେପିର ଗ୍ରାଫ ସ୍ପଷ୍ଟ ହୋଇଛି। ସେ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ୨୧ ଟି ରାଜ୍ୟରେ ୧୦୨ ଟି ଆସନରେ ମତଦାନ ହୋଇଥିଲା। ଗ୍ରାଉଣ୍ଡ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ଇଣ୍ଡିଆ ସହଯୋଗୀ ଦଳ ବିଜେପିଠାରୁ ବହୁ ଆଗରେ ଅଛି। ଦକ୍ଷିଣରେ ବିଜେପି ସାଫ୍ ହୋଇଥିବାବେଳେ ଉତ୍ତରରେ ହାଫ୍ ହୋଇଥିବା ସେ କହିଛନ୍ତି।

ଆମେ ତାମିଲନାଡୁ ଏବଂ ମହାରାଷ୍ଟ୍ରକୁ ସ୍ବିପ୍ କରିଛୁ। ବିହାର, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ଆମର ପ୍ରଦର୍ଶନ ଅତ୍ୟନ୍ତ ଭଲ ହୋଇଛି। ଜୟରାମ କହିଛନ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଜେପିର ପ୍ରଦର୍ଶନ ବିଶେଷ ଖରାପ ହୋଇଛି। ଏହାଯୋଗୁ ଗତକାଲି ଠାରୁ ବିଜେପି ନେତାମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ଟ୍ୱିଟ୍ ଏହି ନର୍ଭସେସ୍‌ର ଏକ ସୂଚକ। ମୋଦୀ ଲହର ନ ଥିବାରୁ ବିଜେପି ପ୍ରାର୍ଥୀଙ୍କୁ ଏଥର କଠିନ ପରିଶ୍ରମ କରିବାକୁ ପଡିବ।

କଂଗ୍ରେସ ନେତା କହିଛନ୍ତି ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ଏବଂ ସାକ୍ଷାତକାରରେ ସମ୍ପୂର୍ଣ୍ଣ ପ୍ରଭାବହୀନ ଦେଖାଯାଉଛନ୍ତି। ଇଣ୍ଡିଆ ଉପରେ ତାଙ୍କର ଆକ୍ରମଣ କ୍ଳାନ୍ତ ଏବଂ ଅବସାଦରେ ପରିପୂର୍ଣ୍ଣ ମନେ ହେଉଛି। ସେ କିଛି ବି କହୁଛନ୍ତି, ତାହାର କିଛି ମୂଲ୍ୟ ନାହିଁ। ନିର୍ବାଚନ ଏଜେଣ୍ଡା ସ୍ଥିର କରିବାରେ ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ୪୦୦ ଅତିକ୍ରମ କରିବା ଏବଂ ସମ୍ବିଧାନ ପରିବର୍ତ୍ତନ ବିଷୟରେ ମନ୍ତବ୍ୟ ବିପରୀତ ପ୍ରଭାବ ପକାଇଛି।

ଜୟରାମ ରମେଶ କହିଛନ୍ତି ଗ୍ୟାରେଣ୍ଟି କାର୍ଯ୍ୟକାରୀ କରିବାରେ ଆମ ରାଜ୍ୟ ସରକାରଙ୍କର ଏକ ଉତ୍କୃଷ୍ଟ ରେକର୍ଡ ରହିଛି, ଯେଉଁଥିପାଇଁ କଂଗ୍ରେସ ଗ୍ୟାରେଣ୍ଟି ସମଗ୍ର ଦେଶରେ ଲୋକପ୍ରିୟ ହେବାରେ ଲାଗିଛି ଏବଂ ଏକ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରଥମ ପର୍ଯ୍ୟାୟ ଭୋଟ୍ ପରେ ପ୍ରଧାନମନ୍ତ୍ରୀ ମୋଦୀ ଦାବି କରିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣରେ ଏନଡିଏକୁ ସମର୍ଥନ କରି ବିପୁଳ ଭୋଟ୍ ଦିଆଯାଇଛି। ସମଗ୍ର ଦେଶରୁ ଭଲ ମତାମତ ଗ୍ରହଣ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ୬୮ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ତ୍ରିପୁରା ସର୍ବାଧିକ ଭୋଟ୍ ହାର ୮୦.୧୭ ପ୍ରତିଶତ ରେକର୍ଡ କରାଯାଇଥିଲା। ସର୍ବନିମ୍ନ ଭୋଟ୍ ବିହାରରେ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୬୨୫ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଥିଲେ।
ସୂଚନାଯୋଗ୍ୟ,ଲୋକସଭା ନିର୍ବାଚନ ପାଇଁ ଭୋଟ୍ ମୋଟ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ୍ ଦିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ୨୬ ଏପ୍ରିଲରେ ହେବ। ଜୁନ୍ ୪ରେ ଫଳାଫଳ ଘୋଷଣା ହେବ। କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe