ବିଏସପି ପରେ ଏବେ ରାଜଭରଙ୍କୁ ବିଜେପିର ବି ଅଣଦେଖା

Advertisment
ବିଏସପି ପରେ ଏବେ ରାଜଭରଙ୍କୁ ବିଜେପିର ବି ଅଣଦେଖା

ନୂଆଦିଲ୍ଲୀ: ଅଖିଳେଶ ଯାଦବ ଏବଂ ସମାଜବାଦୀ ପାର୍ଟି ସହ ମେଣ୍ଟ ଭାଙ୍ଗିଥିବା ସୁହେଲଦେବ ଭାରତୀୟ ସମାଜ ପାର୍ଟିର ମୁଖ୍ୟ ଓମ ପ୍ରକାଶ ରାଜଭରଙ୍କୁ ବହୁଜନ ସମାଜ ପାର୍ଟି (ବିଏସପି) ଗଠବନ୍ଧନ ପାଇଁ ମନା କରିବା ପରେ ଏବେ ବିଜେପି ମଧ୍ୟ ଅଣଦେଖା କରିଛି | ଆଜି ଉତ୍ତରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ ତାଙ୍କ ଦଳ ବିଜେପିକୁ କାହାର ଆବଶ୍ୟକତା ନାହିଁ। ବିଜେପି ଏକ ଶକ୍ତିଶାଳୀ ଦଳ। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଯଦି କେହି ଆସିବାକୁ ଚାହାଁନ୍ତି ତେବେ ଦଳ ଏହାକୁ ବିଚାର କରିବ। ଓମପ୍ରକାଶ ରାଜଭର ବିଜେପିରେ ଯୋଗଦେବା ପ୍ରଶ୍ନରେ ମୌର୍ଯ୍ୟ କହିଛନ୍ତି ଯେ ବର୍ତ୍ତମାନ ଏହା ଆମର ବିଷୟ ନୁହେଁ। ଏଥି ସହ ସମାଜବାଦୀ ପାର୍ଟିକୁ କଟାକ୍ଷ କରି ସେ କହିଛନ୍ତି ଯେ ଖୁବ ଶୀଘ୍ର ସମାଜବାଦୀ ପାର୍ଟି ସମାପ୍ତ ହେବାକୁ ଯାଉଛି | ସେ କହିଛନ୍ତି ଯେ ୨୦୧୪ ତୁଳନାରେ ୨୦୨୪ରେ ବିଜେପି ଏକ ବଡ଼ ବିଜୟ ହାସଲ କରିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପୁଣିଥରେ ସରକାର ଗଠନ ହେବ। ସୂଚନା ଥାଉ କି ସପା ସହ ମେଣ୍ଟରୁ ଓହରିବା ପରେ ସେ ବିଏସପି ସହ ମିଶିବେ ବୋଲି ଇଙ୍ଗିତ ଦେଇଥିଲେ | ଆଉ ମାୟାବତୀଙ୍କ ଭଣଜା ତଥା ବିଏସପି ନେତା ଆକାଶ ଆନନ୍ଦ ତୀବ୍ର ସମାଲୋଚନା କରିଥିଲେ |

ସୂଚନା ଥାଉ କି ଯେ ତିନି ଦିନ ତଳେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ତାଙ୍କ କାକା ଶିବପାଲ ଯାଦବ ଏବଂ ସହଯୋଗୀ ଓମ୍‌ ପ୍ରକାଶ ରାଜଭରଙ୍କୁ କହିଥିଲେ ଯେ ସେମାନେ ନିଜ ଇଚ୍ଛାରେ ଦଳ ଛାଡ଼ିପାରିବେ। ଆଉ ସପା ପକ୍ଷରୁ ଓମ୍‌ ପ୍ରକାଶ ରାଜଭରଙ୍କ ପାଖକୁ ଏକ ଚିଠି ଲେଖାଯାଇଥିଲା । ଏହି ଚିଠିରେ କୁହାଯାଇଥିଲା ଯେ ସେମାନେ ନିଜ ଇଚ୍ଛାରେ ଦଳ ଛାଡ଼ି ପାରିବେ ଏବଂ ସେମାନଙ୍କୁ ଯେଉଁଠି ବେଶୀ ସମ୍ମାନ ମିଳୁଛି ‌ସେମାନେ ସେଠାକୁ ଯାଇ ପାରିବେ। ସପା ପକ୍ଷରୁ ଏହି ଚିଠି ଜାରି ହେବାର କିଛି ଘଣ୍ଟାପରେ ରାଜଭର କହିଥିଲେ ଯେ, ଅଖିଳେଶ ଆମକୁ ତଲାକ ଦେଲେ ଏବଂ ଆମେ ତଲାକ ଗ୍ରହଣ କଲୁ। ଏହା କହି ସେ ମେଣ୍ଟରୁ ଓହରିଯାଇଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe