ଲକ୍ଷ୍ନୌ: ଉତ୍ତରପ୍ରଦେଶର ୯ଟି ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ହେବ। ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଳିତ ଭାବେ ବିଜେପି ବିରୋଧରେ ଲଢ଼ିଥିଲେ। କିନ୍ତୁ ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ପରେ କଂଗ୍ରେସଠାରୁ ସମାଜବାଦୀ ପାର୍ଟି ଦୂରେଇ ଯାଇଛି। ଉତ୍ତରପ୍ରଦେଶର ସମସ୍ତ ୯ଟି ବିଧାନସଭା ଆସନରେ ନିଜର ପ୍ରାର୍ଥୀ ଠିଆ କରାଇବ ବୋଲି ଆଜି ସ୍ପଷ୍ଟ କରିଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ‘ସମ୍ବିଧାନ ବଞ୍ଚାଅ’ ପୋଷ୍ଟକୁ ନେଇ ବିଜେପି ଓ ସମାଜବାଦୀ ପାର୍ଟି ମୁହାଁମୁହିଁ ହୋଇଛନ୍ତି।
ସାମାଜିକ ଗଣମାଧ୍ୟମ ଏକ୍ସରେ ଅଖିଳେଶ ଲେଖିଛନ୍ତି, ଆମେ ସମ୍ବିଧାନ, ସଂରକ୍ଷଣ ଓ ଭାଇଚାରାକୁ ବଞ୍ଚାଇବାକୁ ଏବଂ ବାପୁ (ମହାତ୍ମା ଗାନ୍ଧୀ), ବାବାସାହେବ (ଆମ୍ବେଦକର), ଲୋହିଆ (ରାମ ମନୋହର ଲୋହିଆ)ଙ୍କ ସ୍ବପ୍ନ ଅନୁସାରେ ଦେଶର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛୁ। ଏହି ପୋଷ୍ଟରେ ଅଖିଳେଶ ଓ ରାହୁଳ ଗାନ୍ଧୀଙ୍କ ଫଟୋ ରହିଛି। ଅଖିଳେଶ ଉଲ୍ଲେଖ କରିଛନ୍ତି, ଆସନ ବୁଝାମଣା ଗଣିତକୁ ନେଇ ମେଣ୍ଟ ଗଠନ ହୋଇନାହିଁ। କିନ୍ତୁ ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପିର ସଂଖ୍ୟାଧିକ ଆସନକୁ ହାତେଇବାକୁ ଏହା ଗଠିତ ହୋଇଛି। ଏହି ନିଷ୍ପତ୍ତି ପରେ ଇଣ୍ଡି ମେଣ୍ଟର ସମସ୍ତ କାର୍ଯ୍ୟକର୍ତ୍ତା ଏକଯୁଟ ହୋଇ ନୂତନ ଉତ୍ସାହରେ ସମସ୍ତ ୯ଟି ଆସନରେ ଜିତିବାକୁ କାର୍ଯ୍ୟକରିବେ। ସମସ୍ତ ପ୍ରାର୍ଥୀ ସମାଜବାଦୀ ପାର୍ଟିର ନିର୍ବାଚନ ଚିହ୍ନରେ ଲଢ଼ିବାକୁ ସ୍ଥିର ହୋଇଛି। କଂଗ୍ରେସ ମଧ୍ୟ ଅଖିଳେଶଙ୍କ ଏହି ଯୋଜନାକୁ ସମର୍ଥନ କରିଛି।
‘ଜିତିବା ନିମନ୍ତେ ଚିହ୍ନ ଗୁରୁତ୍ବ ରଖୁନାହିଁ’ ବୋଲି କଂଗ୍ରେସ ନେତା ସୁରେନ୍ଦ୍ର ରାଜପୁତ କହିଛନ୍ତି। ଅଖିଳେଶ ଓ କଂଗ୍ରେସର ଏହି ପୋଷ୍ଟକୁ ନେଇ ବିଜେପି ତୀବ୍ର କଟାକ୍ଷ କରିଛି। ବିଜେପି ରାଜ୍ୟ ମୁଖପାତ୍ର ରାକେଶ ତ୍ରିପାଠୀ କହିଛନ୍ତି, ହରିୟାଣା ନିର୍ବାଚନ ପରେ ଇଣ୍ଡି ମେଣ୍ଟ ଭାଙ୍ଗି ଖଣ୍ଡଖଣ୍ଡ ହୋଇଯାଇଛି। ବିଜେପିର କଂଗ୍ରେସ ମୁକ୍ତ ଭାରତର ଅଭିଯାନକୁ ସମାଜବାଦୀ ପାର୍ଟି ବାସ୍ତବରେ ପରିଣତ କରୁଛି। ସୂଚନାଯୋଗ୍ୟ, ୯ଟି ବିଧାନସଭା ଆସନ ପାଇଁ ନଭେମ୍ବର ୧୩ରେ ମତଦାନ ଅନୁଷ୍ଠିତ ହେବ। ନଭେମ୍ବର ୨୩ରେ ଫଳାଫଳ ଘୋଷଣା ହେବ।
  
 Follow Us