ରାଞ୍ଚି : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ୬୬ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଧନବାଦରୁ ବାବୁଲାଲ ମାରାଣ୍ଡିଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଷଢେଇକେଲାରୁ ଚମ୍ପାଇ ସୋରେନଙ୍କୁ ଟିକେଟ ମିଳିଛି । ସେପଟେ ଜେଏମଏମ ଛାଡିଥିବା ସୀତା ସୋରେନଙ୍କୁ ଜାମତାରାରୁ ବିଜେପି ପ୍ରାର୍ଥୀ କରିଛି । ସୀତା ସୋରେନ ହେଉଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ।
ସେହିପରି ଚାଇବାସାରୁ ଗୀତା ବାଲମୁଚୁ, ଜଗନ୍ନାଥପୁରରୁ ଗୀତା କୋଡା ଓ ପୋଟ୍କାରୁ ମୀରା ମୁଣ୍ଡାଙ୍କୁ ଟିକେଟ୍ ଦିଆଯାଇଛି। ଆଜି ମଧ୍ୟ ଜେଏମଏମ ପକ୍ଷରୁ କଂଗ୍ରେସ ସହିତ ନିଜର ଆସନ ବୁଝାମଣା ସଂପର୍କରେ ଘୋଷଣା କରିଥିଲା । ଶନିବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଘୋଷଣା କରିଛନ୍ତି ଯେ 'ଇଣ୍ଡିଆ' ମେଣ୍ଟ ଏକାଠି ନିର୍ବାଚନ ଲଢ଼ିବ। ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ଜେଏମଏମ ଏବଂ କଂଗ୍ରେସ ୭୦ ଟି ଆସନରେ ଲଢ଼ିବେ । ଏହାପରେ ବିଜେପି ମଧ୍ୟ ନିଜର ପ୍ରଥମ ତାଲିକା ଜାରି କରିଛି ।
ସୂଚନାଯୋଗ୍ୟ ଯେ ଝାଡ଼ଖଣ୍ଡରେ ୧୩ ନଭେମ୍ବର ଓ ୨୦ ନଭେମ୍ବରରେ ମତଦାନ ହେବ ଓ ନଭେମ୍ବର ୨୩ରେ ଗଣତି ହେବ। ଝାଡ଼ଖଣ୍ଡରେ ୮୧ ଟି ଆସନ ଥିବାବେଳେ ମୋଟ ୨.୬ କୋଟି ଭୋଟର ଅଛନନ୍ତି। ୧୧.୮ ଲକ୍ଷ ପ୍ରଥମ ଥର ଭୋଟର ଅଛନ୍ତି। ରାଜ୍ୟର ୨୦୨୮୧ ଟି ସ୍ଥାନରେ ୨୯୫୬୨ ଟି ମତଦାନ କେନ୍ଦ୍ର ରହିଛି।
Follow Us