ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଅଷ୍ଟମ ବାର୍ଷିକୀ ପାଳନ ଅବସରରେ ଦେଶର ସଂଖ୍ୟାଲଘୁ ଏବଂ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ଉପରେ ବିଶେଷ ଗୁରୁତ୍ୱ ଦେଇ ଭାରତୀୟ ଜନତା ପାର୍ଟି (ବିଜେପି) ଆସନ୍ତା ମେ ୩୦ରୁ ସମାଜର ସବୁ ବର୍ଗଙ୍କ ନିକଟରେ ପହଞ୍ଚିବା ପାଇଁ ଏକ ବିଶାଳ ଅଭିଯାନ ଆରମ୍ଭ କରିବ। ପ୍ରସ୍ତାବିତ ଅଭିଯାନ ତମାମ ଦେଶରେ ଦୀର୍ଘ ୧୫ ଦିନ ଧରି ଚାଲିବ।
ଦଳୀୟ ସାଂସଦ ଏବଂ ବିଧାୟକଙ୍କ ସମେତ ଦଳର ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ବୁଥରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ଏହି ସାର୍ବଜନୀନ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବେ। ଏହି ଅଭିଯାନ କାଳରେ ସାରା ଦେଶରେ ରାଲି ଏବଂ ‘ପ୍ରଭାତ ଫେରି’ ଆୟୋଜନ କରାଯିବ ଏବଂ ମୋଦୀ ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ଏକ ରିପୋର୍ଟ କାର୍ଡ ପ୍ରକାଶ ପାଇବ ବୋଲି ବୁଧବାର ପ୍ରକାଶ ପାଇଥିବା ଏକ ଦଳୀୟ ଇସ୍ତାହାରରେ କୁହାଯାଇଛି।
ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ‘ଏ ରିପୋର୍ଟ ଟୁ ଦି ନେସନ’ ଶୀର୍ଷକ ଏକ ପୁସ୍ତକ ଉନ୍ମୋଚନ ସହିତ ମେ ୩୦ରେ ‘୮ ବର୍ଷ: ସେବା, ସୁଶାସନ ଏବଂ ଗରିବଙ୍କ କଲ୍ୟାଣ’ ଶୀର୍ଷକରେ ଏହି ଅଭିଯାନର ଶୁଭାରମ୍ଭ କରିବେ। ଅଭିଯାନ କାଳରେ ପ୍ରତ୍ୟେକଟି ଦିନ କୃଷକ, ମହିଳା, ଏସସି, ଏସଟି, ଓବିସି, ଦୁର୍ବଳ ବର୍ଗ, ସହରୀ ଗରିବ ଏବଂ ଅନ୍ୟମାନଙ୍କ ପରି ସମାଜର ନିର୍ଦ୍ଦିଷ୍ଟ ବର୍ଗଙ୍କ ପାଇଁ ଉତ୍ସର୍ଗୀକୃତ ହୋଇ ରହିଛି।
ଏହି ଅଭିଯାନ ଅଧୀନରେ, ସଂଖ୍ୟାଲଘୁ ଏବଂ ଆଦିବାସୀଙ୍କ ଉପରେ ଧ୍ୟାନ ଦେଇ କଲ୍ୟାଣ କାର୍ଯ୍ୟକ୍ର ମଉପରେ ଆଲୋକପାତ କରିବା ପାଇଁ ବିଜେପି ତିନି ଦିନ ଧାର୍ଯ୍ୟ କରିଛି। ଜୁନ୍ ୬ ରୁ ୮ ପର୍ଯ୍ୟନ୍ତ, ଦଳ ଏହି କାର୍ଯ୍ୟକ୍ରମ ଅଧୀନରେ ସଂଖ୍ୟାଲଘୁମାନଙ୍କ ପାଖରେ ପହଞ୍ଚିବ। ’ସଂଖ୍ୟାଲଘୁମାନଙ୍କ ସହ କଥାବାର୍ତ୍ତା’ କାର୍ଯ୍ୟକ୍ରମରେ ଦଳର ସଂଖ୍ୟାଲଘୁ ସେଲ୍ ସଦସ୍ୟମାନେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଭେଟି ମୋଦୀ ସରକାରଙ୍କ ଦ୍ୱାରା ନିଆଯାଇଥିବା ସମ୍ପ୍ରଦାୟର ନିର୍ଦ୍ଦିଷ୍ଟ କଲ୍ୟାଣ କାର୍ଯ୍ୟକ୍ରମ ବିଷୟରେ ସେମାନଙ୍କୁ ଅବଗତ କରାଇବେ।
ଜୁନ୍ ୩ରୁ ୫ ପର୍ଯ୍ୟନ୍ତ ରାଞ୍ଚିରେ ‘ବିର୍ସା ମୁଣ୍ଡା ବିଶ୍ୱାସ ରାଲି ଏବଂ ଆଦିବାସୀ ମେଳା’ ଅନୁଷ୍ଠିତ ହେବ, ଯେଉଁଠାରେ ସାଂସଦଙ୍କ ସମେତ ବିଜେପିର ଆଦିବାସୀ ନେତାମାନେ ଆଦିବାସୀ ସମ୍ପ୍ରଦାୟର ଉତ୍ଥାନ ପାଇଁ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରିବେ।
ବିଜେପିର ଯୁବ ଶାଖା ଭାରତୀୟ ଯୁବ ଜନତା ମୋର୍ଚ୍ଚାକୁ ’ପ୍ରଭାତ ଫେରି’ ଆୟୋଜନ କରିବାକୁ ଦାୟିତ୍ୱ ଦିଆଯାଇଛି। ଯେଉଁଥିରେ ଯୁବ ସ୍ୱେଚ୍ଛାସେବୀମାନେ ମୋଦୀ ସରକାରଙ୍କ ସଫଳତାକୁ ଆଲୋକିତ କରି ସକାଳେ ଶୋଭାଯାତ୍ରା କରିବେ। ଦଳର ଯୁବ ମୋର୍ଚ୍ଚା ସମସ୍ତ ଜିଲ୍ଲାରେ ‘ବିକାଶ ତିରଥ’ ବାଇକ୍ ରାଲି ମଧ୍ୟ ବାହାର କରିବ। ଯେଉଁଠାରେ ସ୍ଥାନୀୟ ବିଧାୟକ ଏବଂ ସାଂସଦମାନେ ମଧ୍ୟ ଅଂଶଗ୍ରହଣ କରିବେ।
ମଧ୍ୟପ୍ରଦେଶର ମାଉରେ ଏକ ରାଲି ଆୟୋଜନ ସହିତ ଦଳ ଅନୁସୂଚିତ ଜାତି ସମ୍ପ୍ରଦାୟ ନିକଟରେ ପହଞ୍ଚିବ। ସାଂସଦ ଏବଂ ବିଧାୟକଙ୍କ ସମେତ ଦଳର ସମସ୍ତ ବରିଷ୍ଠ ଦଳିତ ନେତା ଏହି ସମାବେଶରେ ଯୋଗଦେବେ।
Follow Us