ହିନ୍ଦୀଭାଷୀ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ବଦଳରେ ‘ସାମୂହିକ ନେତୃତ୍ୱ’ ଉପରେ ନିର୍ଭର କରି ନିର୍ବାଚନ ଲଢ଼ିବ ବିଜେପି

Advertisment
ହିନ୍ଦୀଭାଷୀ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ବଦଳରେ ‘ସାମୂହିକ ନେତୃତ୍ୱ’ ଉପରେ ନିର୍ଭର କରି ନିର୍ବାଚନ ଲଢ଼ିବ ବିଜେପି

ମୁମ୍ବାଇ: ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ୫ଟି ରାଜ୍ୟ ନିର୍ବାଚନ ମଧ୍ୟରୁ ବିଶେଷ କରି ସଂଖ୍ୟାଗରିଷ୍ଠ ହିନ୍ଦୀଭାଷୀ ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଭାରତୀୟ ଜନତା ପାର୍ଟି (ବିଜେପି) କୌଣସି ପ୍ରାର୍ଥୀଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ପ୍ରଦର୍ଶିତ ବା ଘୋଷଣା କରିବ ନାହିଁ। ବିଜେପିର ବରିଷ୍ଠ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ୩ ରାଜ୍ୟର ନିର୍ବାଚନ ଏବଂ ତେଲେଙ୍ଗାନା ଓ ମିଜୋରାମରେ ହେବାକୁ ଥିବା ନିର୍ବାଚନ ଜିତିବା ପାଇଁ ଦଳ ‘ସାମୂହିକ ନେତୃତ୍ୱ’ ଉପରେ ନିର୍ଭର କରିବାକୁ ଯୋଜନା କରିଛି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ବିଜେପିର ଏହି ରଣନୀତି ସମ୍ପର୍କରେ ସୂଚନା ମିଳିଛି। ୬୪ ବର୍ଷୀୟ ଶ୍ରୀ ଚୌହାନଙ୍କୁ ଏପର୍ଯ୍ୟନ୍ତ ପ୍ରାର୍ଥୀ କରାଯାଇ ନଥିବାରୁ ଦଳ ତାଙ୍କୁ ନିର୍ବାଚନରେ ପ୍ରାର୍ଥୀ କରି ନପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ତେବେ, ଦଳ ସଙ୍କେତ ଦେଇଛି ଯେ, ଯଦି ଦଳ ନିର୍ବାଚନ ଜିତିବ, ତା’ହେଲେ ନବନିର୍ବାଚିତ ବିଧାୟକମାନେ ମୁଖ୍ୟମନ୍ତ୍ରୀ ଚୟନ କରିବେ।

ଅନ୍ୟପକ୍ଷରେ ରାଜସ୍ଥାନରେ ବିଜେପି ବର୍ତ୍ତମାନ ବିରୋଧୀ ଦଳରେ ଥିବା ବେଳେ ଏହି କୌଶଳର ଅର୍ଥ ହେଉଛି ପ୍ରଥମ ଥର ପାଇଁ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ବିନା ନିର୍ବାଚନ ଲଢ଼ିବ। ସିନ୍ଧିଆ ରାଜପରିବାରର ପ୍ରମୁଖ ଚେହେରା ତଥା ରାଜ୍ୟରେ ଦଳର ସବୁଠାରୁ ବଡ଼ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ମଧ୍ୟ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଦେଖିବାକୁ ମିଳିବନି। ଜାନୁଆରି ମାସରେ ଶ୍ରୀମତୀ ରାଜେଙ୍କୁ ଏହି ପଦବୀ ପାଇଁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ବର୍ତ୍ତମାନ ବିଜେପି ରାଜସ୍ଥାନକୁ ପୁଣି ଥରେ ଅକ୍ତିଆର କରିବା ପାଇଁ ‘ସାମୂହିକ ନେତୃତ୍ୱ’ ଉପରେ ନିର୍ଭର କରୁଥିବା ଜଣାପଡିଛି।

ସେହିପରି କଂଗ୍ରେସ ଶାସିତ ଛତିଶଗଡ଼ରେ ବିଜେପି ପାଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏବଂ ରାଜ୍ୟ ମୁଖ୍ୟ ଅରୁଣ ସାଓଙ୍କ ଭଳି ‘ପାରମ୍ପରିକ’ ବିକଳ୍ପ ରହିଛି। କିନ୍ତୁ ଏଠି ବି ଦଳ ‘ସାମୂହିକ ନେତୃତ୍ୱ’ ମାର୍ଗରେ ଯିବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe