ନୂଆଦିଲ୍ଲୀ: ଶାସକ ଦଳ ଭାରତୀୟ ଜନତା ପାର୍ଟି(ବିଜେପି)ର ନିର୍ବାଚନୀ ସଫଳତା ପରେ ପରେ ଦଳର ଆୟରେ ବି ବୃଦ୍ଧି ପରିଲକ୍ଷିତ ହୋଇଛି। ୨୦୧୫-୧୬ ଏବଂ ୨୦୧୬-୧୭ରେ ମସିହାରେ ଦଳର ଆୟ ୮୧.୧୮ ପ୍ରତିଶତ ବୃଦ୍ଧି ପାଇଛି ବୋଲି ତଥ୍ୟ ହସ୍ତଗତ ହୋଇଛି। ଏହି ସମାନ ସମୟରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଆୟ ୧୪ ପ୍ରତିଶତ ହ୍ରାସ ପାଇଛି ବୋଲି ଜାଣିବାକୁ ମିଳିଛି।
ଦେଶର ରାଜନୈତିକ ଏବଂ ନିର୍ବାଚନୀ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ସ୍ୱେଚ୍ଛାସେବୀ ସଂଗଠନ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ(ଏଡିଆର୍)ର ରିପୋର୍ଟ ମୁତାବକ, ନିର୍ବାଚନ କମିସନକୁ ବିଜେପି ନିଜର ଆୟ ୧,୦୩୪.୨୭ କୋଟି ଟଙ୍କା ବୋଲି ଦର୍ଶାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ବିଜେପିର ଆୟ ପୂର୍ବ ଥର ଅପେକ୍ଷା ୪୬୩.୪୧ କୋଟି ଟଙ୍କା ବୃଦ୍ଧି ପାଇଛି। ଦଳ ପକ୍ଷରୁ ଆହୁରି ବି ସୂଚନା ଦିଆଯାଇଛି ଯେ ୨୦୧୬-୧୭ ମସିହା ଭିତରେ ଦଳର ବ୍ୟୟ ୭୧୦.୦୫୭ କୋଟି ହୋଇଥିବା ବେଳେ କଂଗ୍ରେସ ଦଳର ବ୍ୟୟ ହୋଇଛି ୩୨୧.୬୬କୋଟି ଟଙ୍କା। ଜାଣିବାକୁ ମିଳିଛି ଯେ କଂଗ୍ରେସର ବ୍ୟୟ ନିଜର ଆୟ ଅପେକ୍ଷା ୯୬.୩୦ କୋଟି ଅଧିକ ହୋଇଛି।
/sambad/media/post_attachments/wp-content/uploads/2018/04/download-24.jpg)
ଅନ୍ୟ ଏକ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ଦେଶର ୭ଟି ଜାତୀୟ ରାଜନୈତିକ ଦଳଙ୍କର ସାମୂହିକ ଆୟ ୧,୫୫୯.୧୭ କୋଟି ଟଙ୍କା ହୋଇଥିବା ବେଳେ ବ୍ୟୟ ରହିଛି ୧,୨୨୮.୨୬ କୋଟି ଟଙ୍କା। ଏହି ଜାତୀୟ ଦଳଗୁଡ଼ିକ ହେଉଛନ୍ତି ବିଜେପି, କଂଗ୍ରେସ, ବହୁଜନ ସମାଜ ପାର୍ଟି(ବିଏସ୍ପି), ନ୍ୟାସ୍ନାଲ କଂଗ୍ରେସ ପାର୍ଟି(ଏନ୍ସିପି), କମ୍ୟୁନିଷ୍ଟ୍ ପାର୍ଟି ଅଫ୍ ଇଣ୍ଡିଆ-ମର୍କସିଷ୍ଟ୍(ସିପିଆଇ-ଏମ୍), କମ୍ୟୁନିଷ୍ଟ୍ ପାର୍ଟି ଅଫ୍ ଇଣ୍ଡିଆ(ସିପିଆଇ) ଏବଂ ତୃଣମୂଳ କଂଗ୍ରେସ।
Follow Us