ଫ୍ରାନ୍ସରେ ‘ବ୍ଲକ୍ ଏଭ୍ରିଥିଙ୍ଗ୍’ ବିକ୍ଷୋଭ: ମାକ୍ରନ ଇସ୍ତଫା ଦେବାକୁ ଚାପ, ୩୦୦ରୁ ଅଧିକ ଗିରଫ

ଫ୍ରାନ୍ସରେ ରାଜନୈତିକ ଅସ୍ଥିରତା ଭିତରେ ସରକାରଙ୍କ ଅର୍ଥନୈତିକ ନୀତିକୁ ବିରୋଧ କରି ହିଂସାତ୍ମକ ବିକ୍ଷୋଭ ଆରମ୍ଭ ହୋଇଛି। ଆଜି ଲକ୍ଷାଧିକ ଆନ୍ଦୋଳନକାରୀ ବିକ୍ଷୋଭରେ ସାମିଲ ହୋଇଥିଲେ।

adgdagdzcv

ପ୍ୟାରିସ: ଫ୍ରାନ୍ସରେ ରାଜନୈତିକ ଅସ୍ଥିରତା ଭିତରେ ସରକାରଙ୍କ ଅର୍ଥନୈତିକ ନୀତିକୁ ବିରୋଧ କରି ହିଂସାତ୍ମକ ବିକ୍ଷୋଭ ଆରମ୍ଭ ହୋଇଛି। ଆଜି ଲକ୍ଷାଧିକ ଆନ୍ଦୋଳନକାରୀ ବିକ୍ଷୋଭରେ ସାମିଲ ହୋଇଥିଲେ। ପ୍ୟାରିସ ସମେତ ୨୦ରୁ ଅଧିକ ସ୍ଥାନରେ ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରିବା ସହ ଗାଡ଼ିଗୁଡ଼ିକରେ ନିଆଁ ଲଗାଇଦେଇଛନ୍ତି। ଟ୍ରେନ୍‌ ଅଟକାଯିବା ସହ ବିଭିନ୍ନ ସରକାରୀ ପ୍ରତିଷ୍ଠାନକୁ ଅଚଳ କରାଯାଇଛି। ଏହି ପ୍ରତିବାଦକୁ ‘ବ୍ଲକ୍ ଏଭ୍ରିଥିଙ୍ଗ୍’(ସବୁକିଛି ଅବରୋଧ) ବିକ୍ଷୋଭ କୁହାଯାଉଛି। ଆନ୍ଦୋଳନକାରୀମାନେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କୁ ଇସ୍ତଫା ଦେବା ପାଇଁ ପ୍ରବଳ ଚାପ ସୃଷ୍ଟି କରିଛନ୍ତି। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ପୁଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରାଯାଇଛି।  ଦେଶବ୍ୟାପୀ ବିକ୍ଷୋଭର ପ୍ରଥମ ଘଣ୍ଟାରେ ପ୍ରାୟ ୩୦୦ ଗିରଫଦାରୀ ହୋଇଥିବା ଗୃହମନ୍ତ୍ରୀ  ଘୋଷଣା କରିଛନ୍ତି। ବିକ୍ଷୋଭ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କୁ ପ୍ରାୟ ୮୦,୦୦୦ ପୁଲିସ ନିୟୋଜିତ କରିବାକୁ ପଡ଼ିଛି।

ମାକ୍ରନ ଇସ୍ତଫା ଦେବାକୁ ଚାପ
୩୦୦ରୁ ଅଧିକ ଗିରଫ
ବ୍ୟାପକ ପୋଡ଼ାଜଳା

ଆଭ୍ୟନ୍ତରୀଣ ମନ୍ତ୍ରୀ ବ୍ରୁନୋ ରିଟେଲୋ କହିଛନ୍ତି ଯେ, ପଶ୍ଚିମ ସହର ରେନେସରେ ବ୍ୟାପକ ପୋଡ଼ାଜଳା ଓ ଭଙ୍ଗାରୁଜା ହୋଇଛି। ସେ ଅଭିଯୋଗ କରିଛନ୍ତି ଯେ ବିକ୍ଷୋଭକାରୀମାନେ ‘ବିଦ୍ରୋହର ପରିବେଶ’ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଏହି ଆନ୍ଦୋଳନ  ଛାତ୍ର, ଶ୍ରମିକ, ଗ୍ରାମୀଣ ଓ ସହରାଞ୍ଚଳବାସୀଙ୍କୁ ଏକଜୁଟ କରୁଥିବା ବେଳେ ଆଗକୁ ଏହା ଜଟିଳ ସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି। ବିଶ୍ଳେଷକମାନେ ଚେତାବନୀ ଦେଇଛନ୍ତି ଯେ ରାଷ୍ଟ୍ରପତି ମାକ୍ରନ ସମୟୋଚିତ ପଦକ୍ଷେପ ଗ୍ରହଣ ନକଲେ ହିଂସା ଅଧିକ ଭୟାନକ ହୋଇପାରେ। ସୋମବାର ପ୍ରଧାନମନ୍ତ୍ରୀ ଫ୍ରାନ୍ସୁଆ ବାୟୁର୍‌ ଅନାସ୍ଥା ଭୋଟ୍‌ରେ ହଟିବା ପରେ ମଙ୍ଗଳବାର ରାଷ୍ଟ୍ରପତି ମାକ୍ରନ, ସେବାଷ୍ଟିଆନ୍‌ ଲେକୋର୍ନୁଙ୍କୁ ନୂତନ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି। ଏହା ମାକ୍ରନଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ପଞ୍ଚମ ପ୍ରଧାନମନ୍ତ୍ରୀ ନିଯୁକ୍ତି। ବ୍ୟୟ କମାଇବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଯୁବବର୍ଗଙ୍କୁ ନିରାଶ କରିବା ଭଳି ପଦକ୍ଷେପ ଯୋଗୁଁ ସମଗ୍ର ଦେଶ ଏବେ ହିଂସା ଆଡ଼କୁ ମୁହାଁଇଛି ବୋଲି ବିରୋଧୀ ଦଳ ନେତାମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe