ଫ୍ଲୋରିଡା: ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍ଙ୍କ ‘ବ୍ଲୁ ଓରିଜିନ୍’ ସଂସ୍ଥା ଦ୍ବାରା ନିର୍ମିତ ‘ନ୍ୟୁ ଗ୍ଲେନ୍ ରକେଟ୍’ ଆଜି କେପ୍ କାନାଭେରାଲ୍ ସ୍ପେସ୍ ଫୋର୍ସ ଷ୍ଟେସନରୁ ମଙ୍ଗଳ ଅଭିମୁଖେ ଐତିହାସିକ ଉଡ଼ାଣରେ ସଫଳ ହୋଇଛି। ଏହା ନ୍ୟୁ ଗ୍ଲେନ୍ର ଦ୍ୱିତୀୟ ଉଡାଣ ଅଭିଯାନ ହୋଇଥିବା ବେଳେ ‘ନାସା’ ପାଇଁ ଏହା ‘ବ୍ଲୁ ଓରିଜିନ୍’ର ପ୍ରଥମ ମିସନ୍ । ଆଜି ଭାରତୀୟ ସମୟ ରାତି ୨ଟା ୨୫ରେ ଏହି ରକେଟ୍ ମଙ୍ଗଳ ଅଭିମୁଖେ ଉଡ଼ାଣ ଭରିଥିଲା। ଏହି ବହୁ ପ୍ରତୀକ୍ଷିତ ଉତ୍କ୍ଷେପଣ ସୋମବାର ହେବାର ଥିଲା, ଯାହାକୁ ପ୍ରତିକୂଳ ପାଗ ହେତୁ ସ୍ଥଗିତ ରଖାଯିବା ପରେ ଆଜି ଉତ୍କ୍ଷେପଣ ପାଇଁ ଧାର୍ଯ୍ୟ କରାଯାଇଥିଲା। ‘ବ୍ଲୁ ଓରିଜିନ’ ପାଇଁ ଏହି ମିସନ ପ୍ରତିଯୋଗିତାମୂଳକ ବ୍ୟବସାୟିକ ମହାକାଶ ଉତ୍କ୍ଷେପଣ ବଜାରରେ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିବ।
‘ଫାଷ୍ଟ୍ ଷ୍ଟେଜ୍ ବୁଷ୍ଟର’ ଅବତରଣ ସଫଳ
ସୂଚନାଯୋଗ୍ୟ, ୩୨୨ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଭାରୀ ଉତ୍କ୍ଷେପଣ ଯାନଟି ‘ସ୍ପେସ୍ ଏକ୍ସ’ର ଫାଲକନ୍ ରକେଟ୍ ସହିତ ପ୍ରତିଯୋଗିତା କରୁଛି। ଜାନୁଆରି ୨୦୨୫ରେ ଏହାର ପ୍ରଥମ ଉଡ଼ାଣ ସଫଳତାର ସହ କକ୍ଷପଥରେ ପହଞ୍ଚିଥିଲେ ମଧ୍ୟ, ଗୁରୁତ୍ୱପୂର୍ଣ୍ଣ ପ୍ରଥମ-ଷ୍ଟେଜ୍ ବୁଷ୍ଟର ଅବତରଣ ପ୍ରୟାସ ବିଫଳ ହୋଇଥିଲା। ଆଜିର ଉତ୍କ୍ଷେପଣ ସମୟରେ ଯାନର ପୁନଃବ୍ୟବହାରଯୋଗ୍ୟ ସିଷ୍ଟମ୍ (ଫାଷ୍ଟ୍ ଷ୍ଟେଜ୍) ଆଟ୍ଲାଣ୍ଟିକ୍ ମହାସାଗରରେ ଥିବା ପୁନରୁଦ୍ଧାର ଜାହାଜ ‘ଜ୍ୟାକଲିନ୍’ ଉପରେ ସଫଳ ଅବତରଣ କରିଛି। ମହାକାଶକୁ ପ୍ରେରଣ ଖର୍ଚ୍ଚ କମାଇବା ଏବଂ ଆବଶ୍ୟକ ପୁନଃବ୍ୟବହାର କ୍ଷମତା ପ୍ରଦର୍ଶନ କରିବାକୁ ‘ବ୍ଲୁ ଓରିଜିନ୍’ ପାଇଁ ଏକ ସଫଳ ଅବତରଣ ଜରୁରି ଥିଲା।
‘ଏସ୍କାପେଡ୍ ମିସନ’ରେ ‘ବ୍ଲୁ’ ଏବଂ ‘ଗୋଲ୍ଡ’ ନାମକ ଯମଜ ମହାକାଶଯାନ ରହିଛି, ଯାହା ମଙ୍ଗଳର ଚୁମ୍ବକୀୟ କ୍ଷେତ୍ରରେ ସୌର ପବନ କିପରି ଏହାର ବାୟୁମଣ୍ଡଳକୁ ନଷ୍ଟ କରୁଛି ତାହା ଅଧ୍ୟୟନ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ମଙ୍ଗଳ ଗ୍ରହର ଜଳବାୟୁ ଇତିହାସ ଏବଂ ଅତୀତରେ ଜୀବସତ୍ତାର ସ୍ଥିତି ସଂପର୍କରେ ବୁଝିବା ପାଇଁ ଏବଂ ଭବିଷ୍ୟତର ଅନୁସନ୍ଧାନ ଯୋଜନା ପାଇଁ ଏହି ଅଭିଯାନ ଅତ୍ୟନ୍ତ ଜରୁରୀ ବୋଲି ନାସା ପକ୍ଷରୁ କୁହାଯାଇଛି। ‘ବ୍ଲୁ ଓରିଜିନ୍’ର ଏହି ଅତୀବ ଗୁରୁତ୍ବପୂର୍ଣ୍ଣ ମିସନ ଉପରେ ସମଗ୍ର ବିଶ୍ୱର ନଜର ରହିଥିବା ବେଳେ ଏହା ଘରୋଇ ମହାକାଶ ଶିଳ୍ପ ଏବଂ ଆମେରିକାର ସରକାରୀ ମହାକାଶ ଏଜେନ୍ସି ମଧ୍ୟରେ ସହଭାଗିତାର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। ଏସ୍କାପେଡ୍ ମିସନ୍ର ଯାଆଁଳା ମହାକାଶଯାନ ପୃଥିବୀ-ସୂର୍ଯ୍ୟ ଲାଗ୍ରାଞ୍ଜ ପଏଣ୍ଟ-୨ ଦେଇ ଯାତ୍ରା କରିବ ଏବଂ ୨୦୨୭ ସୁଦ୍ଧା ମଙ୍ଗଳର କକ୍ଷପଥରେ ପହଞ୍ଚିବ।
...............................................................................
Follow Us