ଜୟପୁର: ରାଜସ୍ଥାନ ସରକାରୀ ସ୍କୁଲ୍ଗୁଡ଼ିକ ପାଇଁ ଶିକ୍ଷକ ଚୟନ ନିମନ୍ତେ ଆୟୋଜିତ ଗୁରୁତ୍ବପୂର୍ଣ୍ଣ ପରୀକ୍ଷାରେ କପି କରିବାକୁ ଉଦ୍ୟମ କରି ୫ଜଣ ପରୀକ୍ଷାର୍ଥୀ ଗିରଫ ହୋଇଛନ୍ତି। ସେମାନେ ପିନ୍ଧିଥିବା ଚପଲ ‘ସୋଲ୍’ରେ ‘ବ୍ଲୁଟୁଥ୍ ଡିଭାଇସ୍’ ଖଞ୍ଜା ଯାଇଥିବା କଥା ପୁଲିସ ଅଧିକାରୀମାନେ କହିଛନ୍ତି।
କପି କରୁଥିବା ବେଳେ ଆଜ୍ମେର୍ରେ ଜଣେ ବ୍ୟକ୍ତି ଧରାପଡ଼ିବା ପରେ ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ‘ରାଜସ୍ଥାନ ଇଲିଜିବିଲିଟି ଏକ୍ଜାମିନେସନ୍ ଫର୍ ଟିଚର୍ସ’ରେ (ରିଟ୍) ରାଜ୍ୟବ୍ୟାପୀ ‘କପି ରୢାକେଟ୍’ ସକ୍ରିୟ ଥିବା କଥା ପୁଲିସ ଜାଣିପାରିଥିଲା। ବିକାନେର୍ ଏବଂ ସିକରରେ ମଧ୍ୟ ସେହିପରି ‘ବ୍ଲୁଟୁଥ୍’ ଲାଗିଥିବା ଚପଲ ମିଳିଥିଲା।
Image Courtesy of NDTVପୁଲିସ ଅଧିକାରୀ ରତନ୍ ଲାଲ୍ ଭାର୍ଗବ କହନ୍ତି, ଉକ୍ତ ଚପଲ ଭିତରେ ଗୋଟାଏ ‘ଫୋନ୍’ ଏବଂ ଗୋଟାଏ ‘ବ୍ଲୁଟୁଥ୍ ଡିଭାଇସ୍’ ରହିଛି। ପରୀକ୍ଷାର୍ଥୀଙ୍କ କାନରେ ମଧ୍ୟ ଗୋଟାଏ ‘ଡିଭାଇସ୍’ ଲାଗିଛି। ଏହି ସବୁ ଉପକରଣ ମାଧ୍ୟମରେ ପରୀକ୍ଷା ହଲ୍ ବାହାରୁ କେହି ଜଣେ ପରୀକ୍ଷାର୍ଥୀଙ୍କୁ କପି ଦେବାରେ ସାହାଯ୍ୟ କରୁଥିଲେ।
Image Courtesy of Newsroom Postକ୍ଷୁଦ୍ର ଶିଳ୍ପ ବୋଲି ମନେହେଉଥିବା ଏହି ‘କପି ରୢାକେଟ୍’ର ସନ୍ଧାନ ନେବା ଲାଗି ପୁଲିସ ଉଦ୍ୟମ ଚଳାଇଛି। ‘କପି ନିମନ୍ତେ ଉଦ୍ଦିଷ୍ଟ ଚପଲ’ଗୁଡ଼ିକୁ ଅତି ଚତୁରତାର ସହ ତିଆରି କରାଯାଇଛି। କେତେକ ରିପୋର୍ଟ ଅନୁସାରେ, ସମସ୍ତ ‘ହାର୍ଡୱେର୍’ ସହ ଏହି ଚପଲ ହଳକୁ ୨ ଲକ୍ଷ ଟଙ୍କାରେ ବିକ୍ରୟ କରାଯାଉଛି।
‘ରିଟ୍’ ପରୀକ୍ଷାରେ କପି ରୋକିବା ନିମନ୍ତେ ରାଜସ୍ଥାନର କେତେକ ଜିଲ୍ଲାରେ ୧୨ ଘଣ୍ଟା ପର୍ଯ୍ୟନ୍ତ ମୋବାଇଲ୍ ଓ ‘ଏସ୍ଏମ୍ଏସ୍’ କାଟି ଦିଆଯାଇଥିଲା। ସରକାରୀ ସ୍କୁଲ୍ମାନଙ୍କରେ ଖାଲି ଥିବା ୩୧୦୦୦ ପଦବୀ ନିମନ୍ତେ ୧୬ ଲକ୍ଷ ପରୀକ୍ଷାର୍ଥୀ ଉପରୋକ୍ତ ପରୀକ୍ଷା ଦେଇଛନ୍ତି।
Follow Us