ସଭିଙ୍କ ମନରେ ଗୋଟିଏ ପ୍ରଶ୍ନ: ପାଖରେ ହସ୍ପିଟାଲ୍‌ ଥାଉ ଥାଉ ୧୯ କିଲୋମିଟର ଦୂରକୁ କାହିଁକି ନେଲେ?

ଦିଲ୍ଲୀରେ ହୋଇଥିବା ବିଏମ୍‌ଡବ୍ଲୁ ଦୁର୍ଘଟଣା ଏବେ ମୋଡ଼ ପରେ ମୋଡ଼ ନେଉଛି। ଅର୍ଥ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ଦୁର୍ଘଟଣାରେ ନୂତନ ବିବରଣୀ ସାମ୍ନାକୁ ଆସିଛି।

New Project (12)

ନୂଆଦିଲ୍ଲୀ: ଦିଲ୍ଲୀରେ ହୋଇଥିବା ବିଏମ୍‌ଡବ୍ଲୁ ଦୁର୍ଘଟଣା ଏବେ ମୋଡ଼ ପରେ ମୋଡ଼ ନେଉଛି। ଅର୍ଥ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ଦୁର୍ଘଟଣାରେ ନୂତନ ବିବରଣୀ ସାମ୍ନାକୁ ଆସିଛି। ମୃତକଙ୍କ ପତ୍ନୀ ତାଙ୍କ ଏଫ୍‌ଆଇଆର୍‌ ବୟାନ‌ରେ ଲେଖିଛନ୍ତି ଯେ ଦୁର୍ଘଟଣା ପରେ ସେ ତାଙ୍କୁ ଏବଂ ତାଙ୍କ ସ୍ୱାମୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଯିବା ପାଇଁ ଅଭିଯୁକ୍ତଙ୍କୁ ବାରମ୍ବାର ଅନୁରୋଧ କରିଥିଲେ। ମାତ୍ର ଅଭିଯୁକ୍ତ ତାଙ୍କ କଥାକୁ ନଶୁଣି ୧୯ କିଲୋମିଟର ଦୂର ଏକ ହସ୍ପିଟାଲ୍‌କୁ  ନେଇ ଯାଇଥିଲେ। 

ମୃତକ ନବଜୋତ ସିଂହ ଅର୍ଥନୈତିକ ବ୍ୟାପାର ବିଭାଗର ଉପସଚିବ ଥିଲେ। ସେ ରବିବାର ଅପରାହ୍ନରେ ତାଙ୍କ ପତ୍ନୀ ସନ୍ଦୀପ କୌରଙ୍କ ସହିତ ବଙ୍ଗଳା ସାହିବ ଗୁରୁଦ୍ୱାରରୁ ଫେରୁଥିଲେ। ସେତେବେଳେ ରିଙ୍ଗ ରୋଡର ଧୌଲା କୁଆଁ ନିକଟରେ ଏକ ଦ୍ରୁତଗାମୀ ନୀଳ ବିଏମ୍‌ଡବ୍ଲୁ ତାଙ୍କ ମୋଟରସାଇକେଲକୁ ପଛରୁ ଧକ୍କା ଦେଇଥିଲା। ପଛରେ ବସିଥିବା କୌରଙ୍କ କହିବାନୁସାରେ ସେ ହେଲମେଟ୍ ପିନ୍ଧିଥିଲେ ଏବଂ ତାଙ୍କ ସ୍ୱାମୀ ତାଙ୍କ ପଗଡ଼ି ବାନ୍ଧିଥିଲେ।

ଧକ୍କାର ପ୍ରଭାବରେ ଉଭୟ ରାସ୍ତା ଉପରେ ପଡ଼ିଗଲେ। ସିଂହଙ୍କ ମୁଣ୍ଡ, ମୁହଁ ଏବଂ ଗୋଡରେ ଗଭୀର ଆଘାତ ଲାଗିଲା ଏବଂ କୌରଙ୍କ ଶରୀରରେ ଓ ମୁଣ୍ଡରେ ଆଘାତ ଲାଗିଥିବାରୁ ୧୪ଟି ସିଲାଇ ହୋଇଛି।

ତେବେ ଏଫଆଇଆର ଅନୁଯାୟୀ, ବିଏମଡବ୍ଲୁ ଚଳାଉଥିବା ମହିଳା ବେପରୁଆ ଭାବରେ ଦ୍ରୁତ ଗତିରେ ଚଳାଉଥିଲେ। କାର ଉପରୁ ନିୟନ୍ତ୍ରଣ ହରାଇ ସିଧାସଳଖ ସେମାନଙ୍କ ମୋଟରସାଇକେଲକୁ ଧକ୍କା ଦେଇଥିଲେ।

କୌର ପୋଲିସକୁ କହିଛନ୍ତି ଯେ ଦୁର୍ଘଟଣା ପରେ ସେ ଡ୍ରାଇଭରଙ୍କୁ ଅନେକ ଥର ଅନୁରୋଧ କରିଥିଲେ ଯେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଯାଆନ୍ତୁ, ଯାହା ଦ୍ଵାରା ତାଙ୍କ ସ୍ୱାମୀ ତୁରନ୍ତ ଚିକିତ୍ସା ପାଇପାରିବେ। କିନ୍ତୁ ତାଙ୍କ ନିବେଦନକୁ ଅଣଦେଖା କରାଯାଇଥିଲା। ସେ କହିଛନ୍ତି ଯେ, ଅଭିଯୁକ୍ତମାନେ ସେମାନଙ୍କୁ ଏକ ଭ୍ୟାନରେ ବସାଇ ପ୍ରାୟ ୧୯  କିଲୋମିଟର ଦୂରରେ ଥିବା ଜିଟିବି ନଗରର ଏକ ଛୋଟ ହସ୍ପିଟାଲକୁ ନେଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe