ନୂଆଦିଲ୍ଲୀ: ବିହାରରେ ଶୁକ୍ରବାର ସକାଳେ ବିଦ୍ୟାଳୟକୁ ଯାଉଥିବା ଏକାଧିକଶିକ୍ଷକ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନାଯୋଗ୍ୟ, ସହରସାଠାରେ ପ୍ରତିଦିନ ଭଳି ନୌକା ନବହଟ୍ଟାର ଇ-୨ ଘାଟରୁ ଡଙ୍ଗା ସକାଳ ୭ ଟାରେ ଯାତ୍ରା ଆରମ୍ଭ କରିଥିଲା। ଏହି ଡଙ୍ଗାରେ ବିଦ୍ୟାଳୟର ପ୍ରାୟ ୧୭ ରୁ ୧୮ ଜଣ ଶିକ୍ଷକ ବସି ଯାତ୍ରା କରୁଥିଲେ। ନଦୀରେ ଅଧିକ ସ୍ରୋତ ଥିବାରୁ ଡଙ୍ଗାଟି ଯେଉଁ ରାସ୍ତାରେ ଯାଉଥିଲା ତା’ଠାରୁ ୪କିଲୋମିଟର ଦୂରକୁ ଚାଲି ଯାଇଥିଲା।
ଯେଉଁ ସମୟରେ ଡଙ୍ଗା କୂଳରେ ଲାଗିବା କଥା ତା’ଠାରୁ ଅଧିକ ସମୟ ହୋଇଯାଇଥିବାରୁ ନାବିକ ଓ ଡଙ୍ଗାରେ ବସିଥିବା ଶିକ୍ଷକମାନେ ଚିନ୍ତାରେ ପଡ଼ିଯାଇଥିଲେ। କିଛିସମୟ ପରେ ନାବିକଙ୍କୁ ସନ୍ଦେହ ହୋଇଥିଲା କି ସେ ରାସ୍ତା ଭୁଲି ଯାଇଛନ୍ତି। ଏହାପରେ ଅନ୍ୟ ନାବିକଙ୍କ ସାହାଯ୍ୟରେ ସେ ଡଙ୍ଗାକୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଥିଲେ। ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ଡଙ୍ଗାରେ ବସିଥିବା ସମସ୍ତ ଶିକ୍ଷକ ଦୀର୍ଘନିଶ୍ବାସ ଛାଡ଼ିଥିଲେ। କାରଣ ନଦୀର ସ୍ରୋତ ପ୍ରଖର ରହିଥିବା ବେଳେ ନାବିକ ରାସ୍ତା ଭୁଲି ଯିବା ଘଟଣା ଅତ୍ୟନ୍ତ ବିପଦସଙ୍କୁଳ ଥିଲା।
କାରଣ କୌଣସି ମୁହୂର୍ତ୍ତରେ ବି ଡଙ୍ଗା ନଦୀକୁ ଓଲଟି ପଡ଼ିଯିବାର ଆଶଙ୍କା ରହିଥିଲା। ତେବେ ସୁରକ୍ଷିତ ଭାବେ ନାବିକ ଡଙ୍ଗାକୁ କୂଳରେ ପହଞ୍ଚାଇ ଦେଇଥିବାରୁ ଶିକ୍ଷକମାନେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ।
ବିହାରରେ ଲଗାତାର ବର୍ଷା ପରେ ଅନେକ ନଦୀର ଜଳ ସ୍ତର ବୃଦ୍ଧି ପାଇଛି। ଯେଉଁ କାରଣରୁ ବିହାରର ତଳିଆ ଅଞ୍ଚଳ ଜଳବନ୍ଦୀ ହୋଇଯାଇଛି। ଅନେକ ସ୍ଥାନରେ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଡଙ୍ଗାର ସାହାଯ୍ୟ ନେଉଛନ୍ତି ।
Follow Us