୫ ମାସ ପରେ ବି ବୋଟ୍‌ ନିଖୋଜ, ୨୪୩ ଯାତ୍ରୀଙ୍କ ପତ୍ତା ମିଳୁନି

Advertisment
୫ ମାସ ପରେ ବି ବୋଟ୍‌ ନିଖୋଜ, ୨୪୩ ଯାତ୍ରୀଙ୍କ ପତ୍ତା ମିଳୁନି

ନୂଆଦିଲ୍ଲୀ : ୫ ମାସ ବିତିଗଲାଣି। ଗତ ଜାନୁଆରି ୧୨ରେ କେରଳର ମୁନମବମରୁ ୨୪୩ ଯାତ୍ରୀଙ୍କୁ ଧରି ନ୍ୟୁଜିଲାଣ୍ଡ୍‌ ଅଭିମୁଖେ ଯାତ୍ରା କରିଥିବା‌ ଏକ ବୋଟ୍‌ କୁଆଡ଼େ ନିଖୋଜ ହୋଇଯାଇଛି। ଏଯାଏ ବୋଟ୍‌ର କିଛି ପତ୍ତା ମିଳିନି କି ୨୪୩ ଯାତ୍ରୀଙ୍କର ଖୋଜ ଖବର ନାହିଁ। ଦକ୍ଷିଣ ଦିଲ୍ଲୀର ମଦନଗିରିର ୧୬୪ ଜଣଙ୍କ ବାଦ୍‌ ଅନ୍ୟ ୭୯ ଜଣ ସେଦିନ ନ୍ୟୁଜିଲାଣ୍ଡ୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଉଦ୍ଦେଶ୍ୟ ଥିଲା ନ୍ୟୁଜିଲାଣ୍ଡ୍‌ରେ ଭଲ ଅର୍ଥ ରୋଜଗାର କରି ଜୀବନ‌ୈଶଳୀକୁ ଉନ୍ନତ କରିବା। କିନ୍ତୁ ଭାଗ୍ୟର ବିଡ଼ମ୍ବନା। ସମସ୍ତେ ନିଖୋଜ ଅଛନ୍ତି। କୋଚିର ମୁନମବମ୍ ପୋତାଶ୍ରୟ ନିକଟରୁ ଜଣେ ଶିଶୁ ଓ ଜଣେ ମହିଳାଙ୍କ ଚପଲ ମିଳିଛି। ସେହିପରି ଏର୍ନାକୁଲମ୍‌ର ଉତ୍ତର ଉପକୂଳରେ ବ୍ୟାଗ୍‌, ପୋଷାକ ଆଦି ମିଳିଛି। ନିଖୋଜ ହୋଇଯାଇଥିବା ୨୪୩ ଜଣଙ୍କ ପରିବାର ସଦସ୍ୟ ଏବେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଫୋନ୍‌ କଲ୍‌କୁ ଚାତକ ପରି ଅନାଇ ବସିଛନ୍ତି। ହେଲେ ଫୋନ୍‌ କଲ୍ ଆସୁନି। ବିଦେଶ ମନ୍ତ୍ରାଳୟ ଏ ବିଷୟରେ କିଛି ଜାଣିନାହିଁ। କେରଳ ପୁଲିସ ମଧ୍ୟ ଅନ୍ଧାରରେ। ତଟରକ୍ଷୀ ବାହିନୀ ଏବଂ ନୌସେନା ପାଖରେ କିଛି ଖବର ନାହିଁ। ନିଜ ପରିବାର ସଦସ୍ୟଙ୍କର କିଛି ଖବର ନମିଳିବାପରେ ଏବେ ନିଖୋଜ ହୋଇ ଯାଇଥିବା ଲୋକଙ୍କ ପରିବାର ସଦସ୍ୟମାନେ କେରଳ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ମାମଲାରେ କେରଳ ସରକାର ହସ୍ତକ୍ଷେପ କରିବାପାଇଁ ସେମାନେ ଅନୁରୋଧ କରିଛନ୍ତି।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ସେଦିନ ବୋଟ୍‌ରେ ଯାତ୍ରା କରିଥିବା‌ ସମସ୍ତ ଲୋକଙ୍କୁ ଚୋରା ଚାଲାଣ କରାଯାଉଥିଲା। ଏକ ମାଛଧରା ବୋଟ୍‌ ଧାୟା ମାଥା-୨‌ରେ ସମସ୍ତ ଯାତ୍ରୀ ଯାତ୍ରା କରିଥିଲେ। ସେମାନଙ୍କ ମଧ୍ୟରେ ପୁରୁଷ ଏବଂ ମହିଳାଙ୍କ ସମେତ କିଛି ଶିଶୁ ମଧ୍ୟ ଥିଲେ। ଏର୍ନାକୁଲମ୍‌ ଗ୍ରାମୀଣର ଏଏସ୍‌ପି ଏମ୍‌ ଜେ ସୋଜାନ୍‌ କହନ୍ତି ଯେ ବୋଟ୍‌ରେ ଯିବାପାଇଁ ପ୍ରତ୍ୟେକ ବ୍ୟକ୍ତି ୩ ଲକ୍ଷ ଟଙ୍କା ଦେଇଛନ୍ତି। ଏଥିପାଇଁ କିଛି ଲୋକଙ୍କୁ ଜମି ଏବଂ ଘର ବାଡ଼ି ମଧ୍ୟ ବିକିବାକୁ ପଡ଼ିଛି। ପୁଲିସ ଏବେ ଉକ୍ତ ଘଟଣାର ଖୋଳତାଡ଼ କରି ୧୦ ଜଣଙ୍କୁ ଗିରଫ କରିଛି। କିନ୍ତୁ ମୂଳ ଅଭିଯୁକ୍ତ ଏଯାଏଁ ଧରାପଡ଼ିନି। ନିଖୋଜ ହୋଇଥିବା ଜଣେ ବ୍ୟକ୍ତିଙ୍କ ପରିବାର ସଦସ୍ୟ ହନୁମନ୍ତ କହିଛନ୍ତି, ତାଙ୍କ ପରିବାରରୁ ୧୦ ଜଣ ସେଦିନ ନ୍ୟୁଜିଲାଣ୍ଡ୍‌ ଅଭିମୁଖେ ଯାତ୍ରା କରିଥିଲେ। ତାଙ୍କ ବୋହୂ ତାଙ୍କୁ ଫୋନ୍‌ ‌ଯୋଗେ କହିଥିଲେ ଯେ ସେ ବିଦେଶରୁ ଟଙ୍କା ପଠାଇବେ କିନ୍ତୁ ଫୋନ୍‌ କ‌ଲ୍‌ ଆସିଲାନି। ସେହିପରି ଅନ୍ୟ ଜ‌ଣେ ନିଖୋଜ ବ୍ୟକ୍ତିଙ୍କ ପରିବାର ସଦସ୍ୟ ସତମ୍ମ କହିଛନ୍ତି ଯେ ତାଙ୍କ ପୁଅ ବୋହୂ ଏବଂ ନାତି ନ୍ୟୁଜିଲାଣ୍ଡ୍‌ ଯିବାପାଇଁ ଘରଦ୍ବାର ବିକି ୩ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ। ନ୍ୟୁଜିଲାଣ୍ଡ୍‌ ଯାଇ ଭଲ ଟଙ୍କା ରୋଜଗାର କରିବା ସେମାନଙ୍କ ଉଦ୍ଦେଶ୍ୟ ଥିଲା କିନ୍ତୁ ଏଯାଏଁ କିଛି ଖୋଜ ଖବର ମିଳିଲାନି। ଅନ୍ୟପ‌କ୍ଷେ କେରଳ ଖବରକାଗଜରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ ଏହି ବୋଟ୍‌ଟି ଇଣ୍ଡୋନେସିଆରେ ଅଟକି ଡିଜେଲ୍‌ ଏବଂ ଲାଇଫ୍‌ ଜ୍ୟାକେଟ୍‌ କିଣିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe