ସାଓ ପାଉଲୋ: ବାମପନ୍ଥୀ ଲୁଇଜ୍ ଇନାସିଓ ଲୁଲା ଡା ସିଲ୍ଭାଙ୍କ ଠାରୁ ନିର୍ବାଚନରେ ପରାସ୍ତ ହୋଇଥିବା ଦକ୍ଷିଣପନ୍ଥୀ ରାଷ୍ଟ୍ରପତି ଜାଇର୍ ବୋଲ୍ସୋନାରୋଙ୍କୁ କ୍ଷମତାରେ ରଖିବା ନିମନ୍ତେ ହସ୍ତକ୍ଷେପ କରିବା ଲାଗି ବୁଧବାର ଦିନ ତାଙ୍କର ଅସଂଖ୍ୟ ସମର୍ଥକ ବ୍ରାଜିଲ୍ ସେନାକୁ ଅନୁରୋଧ କରିଛନ୍ତି।
କେତ ଦିନ ମୌନ ରହିବା ପରେ ମଙ୍ଗଳବାର ଦିନ ବୋଲ୍ସୋନାରୋ ସଂକ୍ଷିପ୍ତ ଭାଷଣ ଦେଇଥିଲେ। ସେଥିରେ ସେ ତାଙ୍କର ପରାଜୟ ସ୍ବୀକାର କରି ନ ଥିଲେ କି, ବିଜୟୀ ଲୁଲାଙ୍କୁ ଅଭିନନ୍ଦନ ଜଣାଇ ନ ଥିଲେ। କିନ୍ତୁ, ତାଙ୍କ ପରେ ଡାଏସ୍କୁ ଆସିଥିବା ‘ଚିଫ୍ ଅଫ୍ ଷ୍ଟାଫ୍’ କହିଥିଲେ ଯେ, ନୂଆ ସରକାର ପାଇଁ ରାଷ୍ଟ୍ରପତି କ୍ଷମତା ହସ୍ତାନ୍ତର ସ୍ବୀକୃତି ଦେଇଛନ୍ତି।
ସେବେଠାରୁ ବୋଲ୍ସୋନାରୋଙ୍କ ସମର୍ଥକମାନେ ବ୍ରାଜିଲ୍ର ପ୍ରମୁଖ ନଗରୀମାନଙ୍କରେ ଥିବା ସାମରିକ କେନ୍ଦ୍ର ସମ୍ମୁଖରେ ତାଙ୍କର ସମର୍ଥକମାନେ ରାଲି କରି ପଦକ୍ଷେପ ଗ୍ରହଣ କରିବାକୁ ଦାବି କରୁଛନ୍ତି।
ଆଞ୍ଜେଲା କୋଜାକ୍ ନାମ୍ନୀ ଜଣେ ୭୦ ବର୍ଷୀୟ ପ୍ରତିବାଦକାରିଣୀ କହିଛନ୍ତି, ଆମେ ଆମର ସ୍ବାଧୀନତା ଦାବି କରୁଥିବାରୁ ସେନା ହସ୍ତକ୍ଷେପ ଚାହୁଁଛୁ। ଜଣେ ଚୋର ଆମକୁ ଶାସନ କରୁ, ତାହା ଆମେ ସ୍ବୀକାର କରିବୁ ନାହିଁ।
 Image Courtesy of Japan Timesସୂଚନାଯୋଗ୍ୟ, ଦୁର୍ନୀତି ଅଭିଯୋଗରେ ଲୁଲା ଜେଲ୍ ଯାଇଥିଲେ।
ବେଳକୁ ବେଳ ବୋଲ୍ସୋନାରୋଙ୍କ ସମର୍ଥକମାନଙ୍କ ପ୍ରତିବାଦ ଉଗ୍ରତର ହୋଇଥିଲା। ଗତକାଲିକୁ ମିଶାଇ ସମର୍ଥକମାନଙ୍କ ପ୍ରତିବାଦ ପ୍ରଦର୍ଶନ ୩ୟ ଦିନରେ ପହଞ୍ଚିଥିଲା।
ସୂଚନାଯୋଗ୍ୟ, ଗତ ସପ୍ତାହାନ୍ତରେ ହୋଇଥିବା ତୀବ୍ର ପ୍ରତିଦ୍ବନ୍ଦ୍ବିତାରେ ଲୁଲା ସମ୍ପ୍ରତି ବ୍ରାଜିଲ୍ର ରାଷ୍ଟ୍ରପତି ଥିବା ଉଗ୍ର ଦକ୍ଷିଣପନ୍ଥୀ ବୋସୋନାରୋଙ୍କୁ ସ୍ବଳ୍ପ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ। ‘ସୁପ୍ରିମ୍ ଇଲେକ୍ଟୋରାଲ୍ କୋର୍ଟ ଅଫ୍ ଦି କଣ୍ଟ୍ରି’ କହିବା ଅନୁସାରେ, ବୋଲ୍ସୋନାରୋ ୪୯.୧% ଭୋଟ୍ ପାଇଥିବା ବେଳେ ଲୁଲା ୫୦.୯% ଭୋଟ୍ ପାଇଥିଲେ।
ବାମପନ୍ଥୀ ଗଣତାନ୍ତ୍ରିକ ନେତା ଲୁଲା ତୃତୀୟ ଥର ପାଇଁ ବ୍ରାଜିଲ୍ର ରାଷ୍ଟ୍ରପତି ହେବେ। ପୂର୍ବରୁ ୨୦୦୩ରୁ ୨୦୧୦ ପର୍ଯ୍ୟନ୍ତ ସେ ଦୁଇ ପାଳି ବ୍ରାଜିଲ୍ର ରାଷ୍ଟ୍ରପତି ହୋଇଥିଲେ।
  
 Follow Us