Bomb Photograph: (sambad.in)
ଅହମଦାବାଦ: କୁଏତରୁ ଶୁକ୍ରବାର ସକାଳେ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ବୋମାରେ ଉଡ଼େଇ ଦେବା ଓ ଅପହରଣ କରିବାକୁ ଧମକ ପରେ ଅହମଦାବାଦ ବିମାନବନ୍ଦରରେ ଏହା ଜରୁରୀକାଳୀନ ଅବତରଣ କରିଛି। ବିମାନରେ ବୋମା ରହିଥିବା ଏବଂ ଏହାକୁ ଅପହରଣ କରାନିଆଯିବ ବୋଲି ଲେଖା ହୋଇଥିବା ଏକ ଟିସୁ ପେପର ଜଣେ ବିମାନ କର୍ମଚାରୀ ପାଇବା ପରେ ଆତଙ୍କ ଖେଳିଯାଇଥିଲା।
ପାଇଲଟ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ସତର୍କ କରିବା ସହିତ ବିମାନକୁ ଅହମଦାବାଦ ବିମାନବନ୍ଦର ଅଭିମୁଖେ ଅବତରଣ ପାଇଁ ନିଆଯାଉଥିବା ସୂଚନା ଦେଇଥିଲେ। ବିମାନରେ ଥିବା ସମସ୍ତ ୧୮୦ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଖାଲି କରିବା ପରେ ସେମାନଙ୍କ ଜିନିଷପତ୍ର କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। ଏହାସହିତ ସମସ୍ତ ଯାତ୍ରୀଙ୍କ ପରିଚୟ ମଧ୍ୟ ଯାଞ୍ଚ କରାଯାଇଛି। ବିମାନଟି ସକାଳ ୬ଟା ୪୦ ମିନିଟରେ ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା। ତେବେ ବିମାନ ଭିତରୁ କୌଣସି ସନ୍ଦିଗ୍ଧ ଜିନିଷ ମିଳିନାହିଁ ବୋଲି ଯାଞ୍ଚ କରୁଥିବା ଅଧିକାରୀ କହିଛନ୍ତି। ଏୟାରପୋର୍ଟ ପୁଲିସ ଷ୍ଟେସନ ସୂଚନା ଅନୁଯାୟୀ, ବୋମା ନିଷ୍କ୍ରିୟକାରୀ ଦଳ ପୂରା ବିମାନର ଯାଞ୍ଚ କରିଥିଲେ। ଯାଞ୍ଚ ଶେଷ ହେବା ପରେ ବିମାନ ଦିଲ୍ଲୀ ଅଭିମୁଖେ ଉଡ଼ାଣ କରିବ। ଏହାପୂର୍ବରୁ ୧୮ ଜାନୁଆରି ଓ ୨୨ ଜାନୁଆରିରେ ବିମାନକୁ ବୋମାରେ ଉଡ଼େଇ ଦେବାକୁ ଧମକ ମିଳିଥିଲା।
Follow Us