ଗାନ୍ଧୀନଗର: ବିମାନ ପରେ ଏବେ ହୋଟେଲକୁ ବୋମା ଧମକ ମିଳିଛି। ଗୁଜରାଟର ରାଜକୋଟରେ ଆଜି କିଛି ପଞ୍ଚ ତାରକା ହୋଟେଲ ସମେତ ମୋଟ୍ ୧୦ଟି ହୋଟେଲକୁ ବୋମା ବିସ୍ଫୋରଣ ଧମକ ମିଳିଛି। ଇମେଲ୍ ଯୋଗେ ଏହି ଧମକ ମିଳିଛି। ଟାର୍ଗେଟ୍ କରାଯାଇଥିବା ହୋଟେଲ୍ ଗୁଡ଼ିକ ହେଉଛି ଇମ୍ପେରିଆଲ ପ୍ୟାଲେସ୍, ସାୟାଜି ହୋଟେଲ୍, ସିଜନ୍ସ ହୋଟେଲ ଏବଂ ଗ୍ରାଣ୍ଡ୍ ରିଜେନ୍ସି। ସମସ୍ତ ହୋଟେଲ୍ ଗୁଡ଼ିକ ଜଣାଶୁଣା। ରାଜକୋଟ ପୁଲିସ ଉକ୍ତ ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି। ଟାର୍ଗେଟ୍ କରାଯାଇଥିବା ହୋଟେଲ ଗୁଡ଼ିକରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଯାଇଛି। ଇମେଲ୍ ଦ୍ବାରା ବୋମା ବିସ୍ଫୋରଣ ହେବା ନେଇ ଯେଉଁ ଧମକ ଦିଆଯାଇଛି ସେଥିରେ ଲେଖାଯାଇଛି, ମୁଁ ହୋଟେଲର ପ୍ରତି ସ୍ଥାନରେ ବୋମା ଖଞ୍ଜିଛି। କିଛି ସମୟ ମଧ୍ୟରେ ବିସ୍ଫୋରଣ ହେବ ଏବଂ ଅନେକ ନିରୀହଙ୍କ ଜୀବନ ଯିବ। ଖୁବ୍ଶୀଘ୍ର ହୋଟେଲ୍ ଖାଲି କର। ପାର୍ବଣ ଋତୁ ସମୟରେ ଏଭଳି ଧମକ ମିଳିଥିବାରୁ ହୋଟେଲ୍ରେ ରହୁଥିବା ଲୋକଙ୍କର ଚିନ୍ତା ବଢ଼ିଛି। ଧମକପୂର୍ଣ୍ଣ ଇମେଲ୍ର ମୂଳ ଉତ୍ସ ଜାଣିବାପାଇଁ ରାଜକୋଟ ପୁଲିସ ଉକ୍ତ ଘଟଣାରେ ତଦନ୍ତ ଜାରି ରଖିଛି।
ସେହିପରି ଆନ୍ଧ୍ରପ୍ରଦେଶର ତିରୁପତିରେ ମଧ୍ୟ ଆଜି ୩ଟି ପ୍ରମୁଖ ହୋଟେଲକୁ ବୋମା ଧମକ ମିଳିଛି। ଏହି ଧମକ ମିଳିବାପରେ ପୁଲିସ ଏବଂ ସ୍ନାଇଫର ଡଗ୍ ହୋଟେଲ୍ରେ ସର୍ଚ୍ଚ ଅପରେସନ୍ କରିଥିଲେ। ତେବେ ଏହା ମିଥ୍ୟା ଧମକ ବୋଲି ପୁଲିସ ସ୍ପଷ୍ଟ କରିଛି। ଉଲ୍ଲେଖଯୋଗ୍ୟ ଯେ ଗତ ୧୦ ଦିନ ମଧ୍ୟରେ ୨୫୦ରୁ ଅଧିକ ବିମାନକୁ ବୋମା ଧମକ ମିଳିଥିବାବେଳେ ଏବେ ପୁଣି ହୋଟେଲକୁ ବୋମା ଧମକ ମିଳିଛି। ଶୁକ୍ରବାର ସ୍ପାଇସ ଜେଟ୍, ଇଣ୍ଡିଗୋ, ଏୟାର ଇଣ୍ଡିଆ ଏବଂ ଭିସ୍ତାରାର ୨୭ ବିମାନକୁ ବୋମା ଧମକ ମିଳିଥିଲା। ଏହା ପୂର୍ବରୁ ଗୁରୁବାର ଇଣ୍ଡିଗୋ, ଏୟାର ଇଣ୍ଡିଆ, ଭିସ୍ତାରା, ସ୍ପାଇସ ଜେଟ୍, ଆଲିଆନ୍ସ ଏୟାର ଏବଂ ଆକାଶ ଏୟାରର ୯୫ଟି ବିମାନକୁ ଏଭଳି ବୋମା ଧମକ ମିଳିଥିଲା।
Follow Us