NDTV.com
କିବ୍: ୟୁକ୍ରେନରେ ରୁଷ୍ ଆକ୍ରମଣ ଥମିବାର ନାଁ ନେଉନି। ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆଜି ୧୭ ଦିନରେ ପହଞ୍ଚିଛି। ରାଜଧାନୀ କିବ୍ ସମେତ ୟୁକ୍ରେନର ଅନ୍ୟାନ୍ୟ ପ୍ରମୁଖ ସହରରେ ରୁଷ୍ ଭୟଙ୍କର ବୋମାବର୍ଷା କରିଛି। କିବ୍ ଅକ୍ତିଆର ପାଇଁ ଜୋରଦାର ଲଢ଼େଇ ଜାରି ରହିଛି। ରୁଷ୍ର ବିମାନ ଆକ୍ରମଣ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ବୋଲି ୟୁକ୍ରେନ୍ ଉପ ପ୍ରଧାନମନ୍ତ୍ରୀ କହିଛନ୍ତି। ମାରିୟୁପୋଲ୍ରେ ଫସି ରହିଥିବା ଲୋକ ଉଦ୍ଧାର ପାଇଁ ଅତି ବ୍ୟାକୁଳ ଭାବେ ଅପେକ୍ଷା କରି ରହିଛନ୍ତି ବୋଲି ଜାତିସଂଘ ମାନବୀୟ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସହରରେ ଲୁଟ୍ପାଟ୍ ବଢ଼ିଯାଇଛି। ରୁଷ୍ର ରକେଟ୍ ମାଡ଼ରେ କିବ୍ ଅଞ୍ଚଳର ବସିଲକିବ୍ ନିକଟରେ ଏକ ବାୟୁସେନା ଘାଟି ଧ୍ବଂସ ହୋଇଯାଇଛି।
ରୁଷ୍ କିବ୍, ଖାରକିଭ ଏବଂ ଡୋନବାସ୍ରେ ପୁଣିଥରେ ବଡ଼ ଧରଣର ଆକ୍ରମଣ କରିପାରେ। ଅନ୍ୟପକ୍ଷେ ଶନିବାର ସକାଳେ ୟୁକ୍ରେନ୍ ରାଜଧାନୀ କିବ୍ର ଉତ୍ତର ଏବଂ ଦକ୍ଷିଣ ଅଂଶରେ ରୁଷ୍ର କ୍ଷେପଣାସ୍ତ୍ର ମାଡ଼ ଏବଂ ବିମାନ ଆକ୍ରମଣ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। କିବ୍ଠାରୁ ୧୦୦ କିମି ଉତ୍ତର ଚେର୍ନିହିବରେ ଏକ ବହୁ ପୁରୁଣା ହୋଟେଲ୍କୁ ରୁଷ୍ ସେନା ଉଡ଼ାଇ ଦେଇଛନ୍ତି। ଚେର୍ନିହିବରେ ପୁଣିଥରେ ବିମାନ ଆକ୍ରମଣ ଏବଂ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଅନେକ ଲୋକ ମୃତାହତ ହୋଇଛନ୍ତି। ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍ କରି ରୁଷ୍ ବୋମାବର୍ଷା କରୁଛି। ରୁଷ୍ର ଗୋଳାବର୍ଷା ଯୋଗୁଁ ମାରିୟୁପୋଲ୍ରେ ପ୍ରାୟ ୧୫୮୨ ଜଣଙ୍କ ମୃତ୍ୟୁ ହୋଲାଣି। ଶନିବାର ସକାଳେ ୟୁକ୍ରେନର ଅଧିକାଂଶ ସହରରେ ଏୟାର ରେଡ୍ ସାଇରନ୍ ବାଜିଥିଲା। ନିକୋଲେଭ ସହରର ଏକ କ୍ୟାନସର ହସ୍ପିଟାଲରେ ରୁଷ୍ ଗୋଳା ବର୍ଷା କରିଛି। ଆକ୍ରମଣ ସମୟରେ ହସ୍ପିଟାଲରେ ଶତାଧିକ ବ୍ୟକ୍ତି ଥିଲେ। କିନ୍ତୁ ଏଥିରେ କେହି ମୃତାହତ ହୋଇନାହାନ୍ତି ବୋଲି ହସ୍ପିଟାଲର ମୁଖ୍ୟ ଡାକ୍ତର କହିଛନ୍ତି। ଯୁଦ୍ଧରେ ୟୁକ୍ରେନର ଏକାଧିକ କ୍ଷୁଦ୍ର ସହର ବିଲୀନ ହୋଇଯାଇଛି ବୋଲି ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି।
କିବ୍ : ରୁଷ୍-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ୭୯ ଶିଶୁଙ୍କ ପ୍ରାଣ ଗଲାଣି ଏବଂ ୧୦୦ରୁ ଅଧିକ ଆହତ ହେଲେଣି। କିବ୍, ଖାରକିଭ, ଡୋନଷ୍ଟେକ୍, ସୁମି, ଖେରସନ୍ ଏବଂ ଜିଟୋମିରରେ ଅଧିକାଂଶ ଶିଶୁଙ୍କ ଜୀବନ ଯାଇଛି। ରୁଷ୍ ଆକ୍ରମଣ ଯୋଗୁଁ ୨୮୦ ଶିକ୍ଷାନୁଷ୍ଠାନ ନଷ୍ଟ ହୋଇଛି ଏବଂ ଏଥି ମଧ୍ୟରୁ ୯ଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ଗତ ବୁଧବାର ଦିନ ଦକ୍ଷିଣ ପୂର୍ବ ମାରିୟୁପୋଲ୍ର ଏକ ଶିଶୁ ଚିକିତ୍ସାଳୟ ଉପରେ ଆକ୍ରମଣ ହେବା ପରଠାରୁ ଚିନ୍ତା ବଢ଼ିଛି। ଏହି ଆକ୍ରମଣ ଯୋଗୁଁ ଶିଶୁଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୭ ଜଣ ଆହତ ହୋଇଥିଲେ। ରୁଷ୍ ଯୁଦ୍ଧ ଅପରାଧ କରୁଛି ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି କହିଥିଲେ।
Follow Us