Image Courtesy of NDTV
ନୂଆଦିଲ୍ଲୀ: ଗୁରୁବାର ଦିନ ଇଂଲଣ୍ଡ୍ର ପ୍ରଧାନମନ୍ତ୍ରୀ ପଦରୁ ବୋରିସ୍ ଜନ୍ସନ୍ ଇସ୍ତଫା ଦେବା ପାଇଁ ପ୍ରସ୍ତୁତି କରୁଥିବା ବେଳେ ବ୍ଲାକ୍ପୁଲ୍ସ୍ଥିତ ବିଶ୍ବ ବିଖ୍ୟାତ ‘ମହମ ପ୍ରତିମୂର୍ତ୍ତି’ ସଂଗ୍ରହାଳୟ ‘ମାଡାମ୍ ଟୁସଦସ୍’ର କର୍ମଚାରୀମାନେ ତାଙ୍କର ମହମ ପ୍ରତିମୂର୍ତ୍ତିକୁ ଉଠାଇ ନେଇ ଗୋଟାଏ ‘ଜବ୍ ସେଣ୍ଟର୍’ ଆଗରେ ଠିଆ କରାଇ ଦେଇଛନ୍ତି।
‘ମାଡାମ୍ ଟୁସଦସ୍’ର ଅନ୍ୟାନ୍ୟ ମହମ ନିର୍ମିତ ପ୍ରତିକୃତି ଭଳି ଜନ୍ସନ୍ଙ୍କର ପ୍ରତିମୂର୍ତ୍ତିଟି ବି ଜୀବନ୍ତ ଦିଶୁଛି। ସୁଟ୍ ସହିତ ଫିକା ନୀଳ ‘ଟାଏ’ ବାନ୍ଧି ଅଣ୍ଟାରେ ହାତ ଦେଇ ମୁରୁକି ହସା ଦେଉଥିବା ବୋରିସ୍ ଜନ୍ସନ୍ଙ୍କ ପ୍ରତିମୂର୍ତ୍ତିଟି ସମ୍ପ୍ରତି ‘ଜବ୍ ସେଣ୍ଟର୍’ ସମ୍ମୁଖ ଫୁଟ୍ପାଥ୍ରେ ଠିଆହୋଇ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରୁଛି। ତାଙ୍କର କେଶ ମଧ୍ୟ ସେଭଳି ଅଲରା ଦିଶୁଛି।
ବୋରିସ୍ଙ୍କ ପ୍ରତିମୂର୍ତ୍ତି ଦେଖି ଅନେକେ ଥଟ୍ଟାପରିହାସ କରୁଥିବା ବେଳେ କେତେକ ତା’ ପାଖରେ ଠିଆ ହୋଇ ସେଲ୍ଫି ଉଠାଉଛନ୍ତି। ଲୋକେ ଉଠାଇଥିବା କେତେକ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି।
Image Courtesy of Twitter‘ଲାନ୍ସ୍ ଲାଇଭ୍’ ରିପୋର୍ଟ ଅନୁସାରେ, ଗତ ମାର୍ଚ ମାସରେ ବୋରିସ୍ଙ୍କ ମହମ ପ୍ରତିମୂର୍ତ୍ତିଟିକୁ ଉନ୍ମୋଚନ କରାଯାଇଥିଲା। ପ୍ରାୟ ୨୦ଜଣ ଶିଳ୍ପୀ ଅନେକ ଘଣ୍ଟା ପରିଶ୍ରମ କରି ଏହି ପ୍ରତିମୂର୍ତ୍ତିଟିକୁ ନିର୍ମାଣ କରିଥିଲେ।
‘ବିବିସି’ ରିପୋର୍ଟ କରିଛି ଯେ, ଜନ୍ସନ୍ ଆଉ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ନ ଥିବାରୁ ତାଙ୍କ ପ୍ରତିକୃତିକୁ ଲଣ୍ଡନ୍ ସେଣ୍ଟର୍ରୁ ହଟାଇ ଦିଆଯିବ ବୋଲି ମଧ୍ୟ ‘ମାଡାମ୍ ଟୁସଦ୍ସ୍’ ସୁନିଶ୍ଚିତ କରି କହିଛି।
Follow Us