ଘରେ ଭଗତ ସିଂହଙ୍କ ଫାଶୀ ଦୃଶ୍ୟ ଅଭ୍ୟାସ କଲା ବେଳେ ୧୨ ବର୍ଷିୟ ବାଳକ ମୃତ

Advertisment
ଘରେ ଭଗତ ସିଂହଙ୍କ ଫାଶୀ ଦୃଶ୍ୟ ଅଭ୍ୟାସ କଲା ବେଳେ ୧୨ ବର୍ଷିୟ ବାଳକ ମୃତ

ଚିତ୍ରଦୁର୍ଗ: ଆଗକୁ ସ୍କୁଲ୍‌ରେ ହେବାକୁ ଥିବା ନାଟକ ନିମନ୍ତେ ଘରେ ସ୍ବାଧୀନତା ସଂଗ୍ରାମୀ ଭଗତ ସିଂହଙ୍କୁ ଫାଶୀ ଦିଆଯିବାର ଦୃଶ୍ୟ ଅଭ୍ୟାସ କରୁଥିବା ବେଳେ ଶନିବାର ସନ୍ଧ୍ୟାରେ କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାରେ ଜଣେ ୧୨ ବର୍ଷିୟ ବାଳକର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।

ସଂଗୃହୀତ ସୂଚନା ଅନୁସାରେ, ନଭେମ୍ବର ୧ ତାରିଖ ଦିନ କନ୍ନଡ଼ ରାଜ୍ୟୋତ୍ସବ ନିମନ୍ତେ ସ୍କୁଲ୍‌ରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମ ପାଇଁ ସଞ୍ଜୟ ଗୌଡ଼ା ନାମରେ ୭ମ ଶ୍ରେଣୀର ଛାତ୍ର ଘରେ ଅଭ୍ୟାସ କରୁଥିଲେ।

ପୁଲିସ କହିବା ଅନୁସାରେ, ଅଘଟଣ ଘଟିବା ବ‌େଳେ ସଞ୍ଜୟ ଗୌଡ଼ା ନାମରେ ଉକ୍ତ ବାଳକ ଘରେ ଏକାକୀ ଥିଲେ। ତାଙ୍କର ପିତାମାତା ନାଗରାଜ ଏବଂ ଭାଗ୍ୟଲକ୍ଷ୍ମୀ ସହରର କେଲାଗୋଟେ ବଡ଼ାୱାନେ ଅଞ୍ଚଳ ଅନ୍ତର୍ଗତ ତିପ୍ପାଜି ସର୍କଲ୍‌ ନିକଟରେ ଥିବା ତାଙ୍କ ଘର ପାଖରେ ଭୋଜନାଳୟଟିଏ ଖୋଲିଛନ୍ତି।

ବଡ଼ୱାନେ ଥାନାର ସବ୍‌-ଇନ୍‌ସ୍‌ପେକ୍ଟର୍‌ କେ. ଆର୍‌. ଗୀତାମ୍ମା କହିଛନ୍ତି, ରାତି ପ୍ରାୟ ୯ଟା ବେଳେ ବାଳକଟିର ମାଆ ଘରକୁ ଫେରିବା ପରେ ଘଟଣା ସଂକ୍ରାନ୍ତରେ ଜଣାପଡ଼ିଥିଲା। ଭିତରପଟୁ କୀଳା ଯାଇଥିବା ଜ‌ାଣି ସେ ଓ ପଡ଼ୋଶୀମାନେ କବାଟ ଖଟ ଖଟ କରିଥିଲେ। ପ୍ରତ୍ୟୁତ୍ତର ନ ମିଳିବାରୁ ପଡ଼ୋଶୀମାନେ ଝରକା ବାଟେ ଉଙ୍କି ଦେଖିଲେ ସଞ୍ଜୟ ସିଲିଂ ପଙ୍ଖାରେ ଫାଶୀ ଲଗାଇ ଲଟକିଛି।

publive-image

ତୁରନ୍ତ ମାଆ ଭାଗ୍ୟଲକ୍ଷ୍ମୀ ସ୍ବାମୀ ନାଗରାଜଙ୍କୁ ଫୋନ୍‌ କରି ଡାକିବାରୁ ସେ ଆସି ‘ମାଷ୍ଟର୍‌ କି’ରେ କବାଟ ଖୋଲି ସଞ୍ଜୟଙ୍କୁ ସରକାରୀ ଡାକ୍ତରଖାନାକୁ ନେଲେ। ସେ ମୃତ ବୋଲି ସେଠାରେ ଡାକ୍ତରମାନେ ଘୋଷଣା କରିଥିଲେ।

ପୁଲିସ କହିବା ଅନୁସାରେ, ବାଳକଟି ଖଣ୍ଡେ ଦଉଡ଼ିରେ ଫାଶ ତିଆରି କରି ଭଗତ ସିଂହଙ୍କୁ ଫାଶୀ ଦିଆଯିବା ଦୃଶ୍ୟର ଅଭିନୟ କରିବାକୁ ଉଦ୍ୟମ କରୁଥିଲେ। ମୁଣ୍ଡରେ ‘ହୁଡ୍‌’ ପିନ୍ଧି ବେକରେ ଫାଶ ଗଳାଇ ଥିବା ପିଲାଟି ଖଟରୁ ତଳକୁ କୁଦା ମାରିବାକ୍ଷଣି ମରିଯାଇଥିଲେ।

ଥାନାରେ କରିଥିବା ଅଭିଯୋଗରେ ପିତା ନାଗରାଜ ଲେଖିଛନ୍ତି, ରାଜ୍ୟୋତ୍ସବ ପାଳନ ନିମନ୍ତେ ସ୍କୁଲ୍‌ର ସାଂସ୍କୃତିକ କାର୍ଯ୍ୟକ୍ରମରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସଞ୍ଜୟ ଭଗତ ସିଂହଙ୍କ ଭୂମିକାରେ ଅଭିନୟ କରିଥାଆନ୍ତେ। ଏହାକୁ ସେ ଆକସ୍ମିକ ମୃତ୍ୟୁ ବୋଲି କହିବା ସହ ଏଥିପାଇଁ କାହାରିକୁ ଦାୟୀ କରି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe