Photo Courtesy : NDTV
ବେଙ୍ଗାଲୁର: କର୍ଣ୍ଣାଟକର ବେଙ୍ଗାଲୁରସ୍ଥିିତ ଆଉଟର୍ ରିଙ୍ଗ୍ ରୋଡ୍ର ନାଗଭାରା ନିକଟରେ ଏକ ନିର୍ମାଣଧୀନ ମେଟ୍ରୋ ପିଲାର୍ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ତାଙ୍କ ପୁଅର ମୃତ୍ୟୁ ଘଟିଛି। ୨୮ ବର୍ଷୀୟା ତେଜସ୍ବିନୀ ତାଙ୍କ ସ୍ବାମୀ ଓ ଦୁଇ ଯାଆଁଳା ସନ୍ତାନଙ୍କ ସହ ସେହି ବାଟ ଦେଇ ବାଇକରେ ଯାଉଥିବା ବେଳେ ଗୋଟିଏ ଲୁହା ପିଲାର୍ ସେମାନଙ୍କ ଉପରେ ଖସି ପଡ଼ିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ସଙ୍ଗେ ସଙ୍ଗେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେଠାରେ ତେଜସ୍ବିନୀ ଓ ପୁଅ ବିହାନଙ୍କ ମୃତ୍ୟୁ ହୋଇଥିଲା। ତେବେ ତେଜସ୍ବିନୀଙ୍କ ସ୍ବାମୀ ଲୋହିତ ଓ ଝିଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାର ତଦନ୍ତ ଘୋଷଣା କରିଛନ୍ତି କର୍ଣ୍ଣଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ। ତେଣେ ବାଙ୍ଗାଲୋର ମେଟ୍ରୋ ରେଲ୍ କର୍ପୋରେସନ୍ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତାରାଶି ଦିଆଯିବ ବୋଲି ଘୋଷଣା କରାଯାଇଛି।
ନିର୍ମାଣାଧୀନ ପିଲାର ଭୁଶୁଡ଼ି ପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ୍ ଜାମ୍ ହୋଇଛି। ଟ୍ରାଫିକ୍ ସମସ୍ୟାକୁ ଏଡ଼େଇବା ପାଇଁ ଲୋକମାନେ ରାସ୍ତାରେ ପଡ଼ିଥିବା ପିଲାରକୁ ଉଠାଇବାକୁ ଲାଗି ପଡ଼ିଥିବା ସୂଚନା ରହିଛି। ଏହି ନିଉଜ୍ ରିପୋର୍ଟ ହେବା ପର୍ଯ୍ୟନ୍ତ ଆମ ନିକଟରେ ଏତିକି ସୂଚନା ରହିଛି।
Follow Us