ସମାନ ଦଣ୍ଡ ଭୋଗ କରିବେ ଲାଞ୍ଚ ଗ୍ରହୀତା ଓ ଦାତା

Advertisment
ସମାନ ଦଣ୍ଡ ଭୋଗ କରିବେ ଲାଞ୍ଚ ଗ୍ରହୀତା ଓ ଦାତା

ନୂଆଦିଲ୍ଲୀ: ‘ପ୍ରିଭେନ୍‌ସନ୍‌ ଅଫ୍‌ କରପ୍‌ସନ୍‌ (ସଂଶୋଧନ) ବିଲ୍‌ ୨୦୧୮ ମଙ୍ଗଳବାର ଦିନ ଲୋକସଭା ଅନୁମୋଦନ ଲାଭ କରିଛି। ଉଭୟ ଲାଞ୍ଚ ଗ୍ରହଣ କରୁଥିବା ସରକାରୀ ଚାକିରିଆ ଏବଂ ସେମାନଙ୍କୁ ଲାଞ୍ଚ ଦେଉଥିବା ବ୍ୟକ୍ତିଙ୍କ ନିମନ୍ତେ ଏଥିରେ ଦଣ୍ଡର ପରିମାଣକୁ ବୃଦ୍ଧି କରାଯାଇଛି।
ଲାଞ୍ଚ ଗ୍ରହୀତା ଓ ଦାତାଙ୍କ ନିମନ୍ତେ ବିଧାନ କରାଯାଇଥିବା ସର୍ବନିମ୍ନ ଜେଲ୍‌ଦଣ୍ଡାଦେଶକୁ ୬ ମାସ ପରିବର୍ତ୍ତେ ୩ ବର୍ଷକୁ ବଢ଼ାଇ ଦିଆଯାଇଛି। ସ୍ଥଳବିଶେଷରେ ଏହାକୁ ଜରିମାନା ସହ ୭ ବର୍ଷ ଯାଏଁ ବୃଦ୍ଧି କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି। ଥରକୁ ଥର ଲାଞ୍ଚ ଗ୍ରହଣକାରୀ ଓ ଦାତାଙ୍କ ନିମନ୍ତେ ସର୍ବନିମ୍ନ ଜେଲ୍‌ଦଣ୍ଡାଦେଶ ୫ ବର୍ଷ ଓ ସ୍ଥଳବିଶେଷରେ ଜରିମାନା ସହ ୧୦ ବର୍ଷ ହୋଇପାରେ ବୋଲି ଏଥିରେ ବ୍ୟବସ୍ଥା ରହିଛି।
ରାଜ୍ୟସଭା ଅନୁମୋଦନ ଲାଭ କରି ସାରିଥିବା ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ଆଇନ ହେବାକୁ ଯାଉଥିବା ଏହି ବିଲ୍‌ଟି ଉପହାରକୁ ଅପରାଧ ବିବେଚନା କରିବ। ପ୍ରାପ୍ୟ ବହିର୍ଭୁତ ପାଉଣା ଗ୍ରହଣକୁ ଏହି ଆଇନ୍‌ ଦୁର୍ନୀତି ବୋଲି ବିଚାର କରିବ।
ଜେଲ୍‌ ଦଣ୍ଡାଦେଶ ବୃଦ୍ଧି କରିବା ଛଡ଼ା ଏହି ଆଇନ୍‌ ବଳରେ ସରକାରୀ ଚାକିରିଆମାନଙ୍କ ବେଆଇନ୍‌ ସମ୍ପତ୍ତିକୁ ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଉଣ୍ଡରିଙ୍ଗ୍‌ ଆକ୍ଟ୍‌ରେ ତୁରନ୍ତ ଆଟାଚ୍‌ମେଣ୍ଟ୍‌ ଓ ବ୍ୟାଜାପ୍ତି କରାଇପାରିବ। ବେଆଇନ୍‌ ସମ୍ପତ୍ତିର ଅଧିକାରୀ ହେବା ହିଁ ଅଦାଲତରେ ବିଚାର ସମ୍ମୁଖୀନ ହେବା ପାଇଁ ଯଥେଷ୍ଟ ହେବ। ପ୍ରଥମ ଥର ପାଇଁ ଏହି ବିଲ୍‌ରେ ମାମଲାଗୁଡ଼ିକର ତଦନ୍ତ ଏବଂ ଶୁଣାଣି ଦୁଇ ବର୍ଷ ନଚେତ ଅତିବେଶୀରେ ୪ ବର୍ଷ ମଧ୍ୟରେ ଶେଷ କରିବା ନିମନ୍ତେ ବାଧ୍ୟତାମୂଳକ ବୋଲି ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe