Image Courtesy of The Times of India
ନୂଆଦିଲ୍ଲୀ: ଜମ୍ମୁରେ ଭାରତ-ପାକିସ୍ତାନ ସୀମାନ୍ତର ଠିକ୍ ତଳକୁ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଗୋଟାଏ ସୁଡ଼ଙ୍ଗ ଠାବ କରିଥିବା କଥା ଶନିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।
ଅନୁପ୍ରବେଶରେ ସହାୟତା କରୁଥିବା ଏହି ଧରଣ ଅନ୍ୟ କୌଣସି ଗୁପ୍ତ ଢାଞ୍ଚା ଖୋଜିବା ପାଇବା ଏବଂ ମିଳିଥିବା ସୁଡ଼ଙ୍ଗର ବିଶ୍ଳେଷଣ କରିବା ଲାଗି ‘ବିଏସ୍ଏଫ୍’ ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ତଲାସ ଅଭିଯାନ ଚଳାଇଥିବା କଥା ସେମାନେ କହିଛନ୍ତି।
ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଅନୁପ୍ରବେଶ ନିରୋଧୀ ଗ୍ରିଡ୍ ଅତୁଟ ରହିଛି ଏବଂ ସୀମାନ୍ତର ସେ ଅଞ୍ଚଳରେ କୌଣସି ଫାଙ୍କା ନାହିଁ ବୋଲି ସୁନିଶ୍ଚିତ ହେବାକୁ ‘ବିଏସ୍ଏଫ୍’ର ମହାନିର୍ଦେଶକ ରାକେଶ ଅସ୍ଥାନା ତାଙ୍କ ସୀମାନ୍ତ କମାଣ୍ଡର୍ମାନଙ୍କୁ ନିର୍ଦେଶ ଦେଇଛନ୍ତି।
Image Courtesy of WIONଭାରତୀୟ ପାର୍ଶ୍ବର ସୀମାନ୍ତ ବାଡ଼ ଠାରୁ ପ୍ରାୟ ୫୦ ମିଟର ଦୂରରେ ଥିବା ଏହି ସୁଡ଼ଙ୍ଗଟିକୁ ଗୁରୁବାର ଦିନ ଜମ୍ମୁର ସାମ୍ବା ସେକ୍ଟର୍ରେ ବିଏସ୍ଏଫ୍ ପାଟ୍ରୋଲ୍ ଟିମ୍ ଠାବ କରିଥିଲେ। ପ୍ରାପ୍ତ ତଥ୍ୟ ଅନୁସାରେ, ମୁହଁ ପାଖରେ ସୁଡ଼ଙ୍ଗଟିର ଗଭୀରତା ପ୍ରାୟ ୨୫ ଫୁଟ୍।
ଏହାପରେ ସେମାନେ ସୁଡ଼ଙ୍ଗଟିକୁ ଯାଞ୍ଚ କରି ତା’ ମୁହଁରୁ ୮/୧୦ଟି ପ୍ଲାଟିକ୍ ବାଲିବସ୍ତା ପାଇଥିଲେ। ସେ ପ୍ଲାଷ୍ଟିକ୍ ବସ୍ତାରେ କରାଚି ଏବଂ ଶକରଗଡ଼ ଆଦି ଛାପା ଯାଇଥିଲା। ଏହି ସୁଡ଼ଙ୍ଗ ଠାରୁ ପ୍ରାୟ ୪୦୦ ମିଟର ଦୂରରେ ନିକଟତମ ପାକିସ୍ତାନୀ ବର୍ଡର୍ ପୋଷ୍ଟ୍ ଅବସ୍ଥିତ।
ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ପୂର୍ବରୁ ମଧ୍ୟ ସୀମା ସୁରକ୍ଷା ବଳ ଜମ୍ମୁ ସୀମାନ୍ତରେ ସୁଡ଼ଙ୍ଗମାନ ଠାବ କରିଛି।
Follow Us