ବଜେଟ୍‌ ପ୍ରତିକ୍ରିୟା: ଅର୍ଥ ବ୍ୟବସ୍ଥା ଶକ୍ତିଶାଳୀ ହେବ, ମୋଦୀ

ଦେଶବାସୀଙ୍କ ଆକାଂକ୍ଷାର ବଜେଟ୍‌: ନିର୍ମଳା

ବଜେଟ୍‌ ପ୍ରତିକ୍ରିୟା: ଅର୍ଥ ବ୍ୟବସ୍ଥା ଶକ୍ତିଶାଳୀ ହେବ, ମୋଦୀ

Business Today

ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ଆଜି ଉପସ୍ଥାପନ ହୋଇଥିବା ବଜେଟ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂୟସୀ ପ୍ରଶଂସା କରିଛନ୍ତି। ମୋଦୀ କହିଛନ୍ତି- ଏହି ଦଶନ୍ଧିର ପ୍ରଥମ ବଜେଟ୍‌ରେ ‘ଭିଜନ’ ବି ଅଛି ଏବଂ ‘ଆକ୍ସନ’ ବି ଅଛି। ଏହା ଦେଶର ଅର୍ଥ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବ। ଦେଶବାସୀଙ୍କ ଆଶା ଓ ଅଭିଳାଷ ପୂରଣ ପାଇଁ ବଜେଟ୍‌ରେ ବ୍ୟାପକ ବ୍ୟବସ୍ଥା ରହିଛି। ଏଥିପାଇଁ ମୁଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଟିମ୍‌କୁ ବହୁତ ଅଭିନନ୍ଦନ ଜଣାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷକଙ୍କ ଆୟ ଦୁଇଗୁଣ କରିବା ପାଇଁ ବଜେଟ୍‌ରେ ବ୍ୟାପକ ପ୍ରୟାସ ହୋଇଛି ଏବଂ ଏଥିପାଇଁ ୧୬ ସୂତ୍ରୀ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି। ଗ୍ରାମୀଣ ଅଂଚଳରେ ଆୟ ବଢ଼ାଇବା ପାଇଁ ନିଆଯାଉଥିବା ପଦକ୍ଷେପ ଏହାଦ୍ବାରା ତ୍ବରାନ୍ବିତ ହୋଇପାରିବ। ବଜେଟ୍‌ରେ ଯେଉଁ ସଂସ୍କାର ଘୋଷଣା କରାଯାଇଛି ତାହା ଆମର ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ସଠିକ୍‌ ଦିଗରେ ଆଗକୁ ବଢ଼ାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କର୍ମନିଯୁକ୍ତି ଏବଂ ଆୟ ବୃଦ୍ଧି ପାଇଁ ବଜେଟ୍‌ରେ ବିଶେଷ ଧ୍ୟାନ ଦିଆଯାଇଛି। କୃଷି, ଭିତ୍ତିଭୂମି, କପଡ଼ା ଏବଂ ବୈଷୟିକ କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି ପାଇଁ ଗୁରୁତ୍ବାରୋପ କରାଯାଇଛି । ଦେଶରେ ନୂତନ ସ୍ମାର୍ଟ ସିଟି, ବିଦ୍ୟୁତ ଉପକରଣ ଉତ୍ପାଦନ, ଡେଟା ସେଣ୍ଟର ପାର୍କ, ବାୟୋ ଟେକ୍‌ନୋଲୋଜି ଏବଂ କ୍ବାଣ୍ଟମ ଟେକ୍‌ନୋଲୋଜି ଭଳି କ୍ଷେତ୍ରରେ ଅନେକ ନୂତନ ଯୋଜନା ପାଇଁ ବ୍ୟବସ୍ଥା ହୋଇଛି ଏବଂ ଏହା ଦ୍ବାରା କର୍ମନିଯୁକ୍ତିର ବ୍ୟାପକ ସୁଯୋଗ ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଦେଶବାସୀଙ୍କ ଆକାଂକ୍ଷାର ବଜେଟ୍‌: ନିର୍ମଳା
ବଜେଟ୍‌-୨୦୨୦କୁ ଦେଶବାସୀଙ୍କ ଆକାଂକ୍ଷାର ବଜେଟ୍‌ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ବଜେଟ୍‌ରେ ଦେଶର ଟିକସ ବ୍ୟବସ୍ଥାକୁ ଅତି ସରଳ କରିଦିଆ ଯାଇଛି ଏବଂ ଲୋକଙ୍କ ହାତକୁ ଅଧିକ ଅର୍ଥ ଯିବା ବ୍ୟବସ୍ଥା ହୋଇଛି। ଲୋକେ ନିଜର ସୁବିଧାକୁ ଦେଖି ଟିକସ ଦେବାପାଇଁ ବିକଳ୍ପ ଚୟନ କରିପାରିବେ ଏବଂ ଏହା ଏ କ୍ଷେତ୍ରରେ ଏକ ବଡ଼ ଉପଲବ୍ଧି ହେବ ବୋଲି ନିର୍ମଳା କହିଛନ୍ତି। ଏବେ ଲୋକେ ଟିକସ ବିଶେଷଜ୍ଞଙ୍କ ସହାୟତା ବିନା ସେମାନଙ୍କ ଟିକସ ପୈଠ କରିପାରିବେ। ଟିକସ ପୈଠ କରିବା ଏବେ ଅତି ସହଜ ଓ ସରଳ ହୋଇଯାଇଛି ଏବଂ ଏ ବାବଦରେ ପୂର୍ବରୁ ରହିଥିବା ସମସ୍ୟା ଦୂର ହୋଇଛି। ଗ୍ରାଚ୍ୟୁଟି, ଅବସରକାଳୀନ ପାଣ୍ଠି ଉପରେ ଟିକସ ଛାଡ଼ ସୁବିଧା ଜାରି ରହିବ । ଏହା ବ୍ୟତୀତ ଇପିଏଫ୍‌ଓ ଉପରେ ମଧ୍ୟ ଟିକସ ଛାଡ଼ ବ୍ୟବସ୍ଥା ଜାରି ରହିବ ବୋଲି ନିର୍ମଳା କହିଛନ୍ତି।

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦୀ ସରକାରଙ୍କ ଦ୍ବିତୀୟ ବଜେଟ୍‌-୨୦୨୦ ଉପସ୍ଥାପନ କରିଛନ୍ତି। ବଜେଟ୍‌ ଉପସ୍ଥାପନ ବେଳେ ନିର୍ମଳା ତାମିଲ କବି ତିରୁବଲ୍ଲୁବରଙ୍କ କବିତା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଥିବା ବେଳେ ବିରୋଧୀ ଦଳମାନଙ୍କୁ ୨୦୨୦ର ବଜେଟ୍‌ ଆଦୌ ପସନ୍ଦ ଆସିନାହିଁ। ତେବେ ଶାସକ ଦଳ ନେତାମାନେ ବଜେଟ୍‌କୁ ଭୂୟସୀ ପ୍ରଶଂସା କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୦୨୦ ବଜେଟ୍‌କୁ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଛନ୍ତି। ଦେଶର କୃଷକ, ଗରିବ, ବେତନଭୋଗୀ ମଧ୍ୟବିତ୍ତ ଶ୍ରେଣୀ ଏବଂ ବ୍ୟବସାୟୀଙ୍କ ପାଇଁ ଏହି ବଜେଟ୍‌ ଅନେକ ଫାଇଦା ଆଣିବ ଏବଂ ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଏହା ଏକ କଲ୍ୟାଣକାରୀ ବଜେଟ୍‌ ବୋଲି ଶାହ କହିଛନ୍ତି। ଅନ୍ୟପକ୍ଷରେ ବିଜେପିର ଜାତୀୟ ସଭାପତି ଜେ.ପି. ନଡ୍ଡା ବଜେଟ୍‌କୁ ନୂଆ ଭାରତର ଦୂରଦର୍ଶୀ ବଜେଟ୍‌ ବୋଲି କହିଛନ୍ତି।

publive-image Photo Credit: IANS

କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍‌ ଭାଷଣକୁ ବହୁତ ଲମ୍ବା ଏବଂ ଫମ୍ପା ବୋଲି କହିଛନ୍ତି। ଏହି ବଜେଟ୍‌ରେ କିଛି ବି ନୂଆ ନାହିଁ ବୋଲି ରାହୁଲ କହିଛନ୍ତି। ଦେଶର ସବୁଠାରୁ ବଡ଼ ପ୍ରସଙ୍ଗ ବେକାରୀ ଥିବା ବେଳେ ଏହି ବଜେଟ୍‌ରେ ଏହି ସମସ୍ୟା ପାଇଁ କୌଣସି ରଣନୀତି ନାହିଁ ବୋଲି ସେ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ନୂଆ ଦଶନ୍ଧିର ଏହି ପ୍ରଥମ ବଜେଟ୍‌ ପ୍ରଗତିଶୀଳ ଏବଂ ଦେଶବାସୀଙ୍କ ଆଶା ପୂରଣ ଦିଗରେ ଏକ ବଡ଼ ପଦକ୍ଷେପ। ଏହି ବଜେଟ୍‌ ଦେଶକୁ ଅଧିକ ସମୃଦ୍ଧ କରିବ।

ମଧ୍ୟପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ବଜେଟ୍‌ ସବୁ କ୍ଷେତ୍ରରେ ବିକାଶର ମାର୍ଗକୁ ପ୍ରଶସ୍ତ କରିବ। ବ୍ୟକ୍ତିଗତ ଆୟ କରକୁ କମ୍‌ କରାଯିବା ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଏହି ବଜେଟ୍‌ ଦେଶର ଅର୍ଥ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ ଏବଂ ବ୍ୟାପକ କର୍ମନିଯୁକ୍ତି ସୃଷ୍ଟି ହେବ। ପୂର୍ବ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ କହିଛନ୍ତି ଯେ ବଜେଟ୍‌ ୨୦୨୦-୨୧ରେ ଦେଶର ଅର୍ଥନୀତିକୁ ସୁଧାରିବା ଦିଗରେ ସାମାନ୍ୟତମ ପଦକ୍ଷେପ ନାହିଁ। ଏହି ବଜେଟ୍‌ ଦ୍ବାରା ସରକାର ଲୋକଙ୍କୁ କି ବାର୍ତ୍ତା ଦେବାକୁ ଚାହୁଛନ୍ତି ତାହା ମୁଁ ବୁଝିପାରୁନାହିଁ ବୋଲି ସେ କହିଛନ୍ତି।

କଂଗ୍ରେସ ପ୍ରବକ୍ତା ଅଭିଷେକ ମନୁ ସିଂଘଭି କହିଛନ୍ତି ଯେ ବନ୍ଧୁମାନେ ଏଭଳି କାମ କରିଛନ୍ତି, ଯାହାକି ଶତ୍ରୁ ବି କରିବ ନାହିଁ। ଦିଗହରା ଅର୍ଥନୀତିକୁ ସୁଧାରିବା ପାଇଁ ଏଥିରେ କୌଣସି ବିଶେଷ ବ୍ୟବସ୍ଥା ନାହିଁ। ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଜେଟ୍‌-୨୦୨୦କୁ କଡ଼ା ସମାଲୋଚନା କରି କହିଛନ୍ତି, ସରକାର ସାର୍ବଜନୀନ ସଂସ୍ଥାଗୁଡ଼ିକୁ ଏବେ ଶେଷ କରିଦେବାକୁ ବସିଛନ୍ତି। ଏଲ୍‌ଆଇସି, ଭାରତୀୟ ରେଳବାଇ ଏବଂ ଏୟାର ଇଣ୍ଡିଆ କ୍ଷେତ୍ରରେ ସରକାରଙ୍କ ବଜେଟ୍‌ ଯୋଜନା ମତେ ବିସ୍ମିତ କରିଛି ବୋଲି ସେ କହିଛନ୍ତି।

ସିପିଏମ୍‌ ସାଧାରଣ ସଂପାଦକ ସୀତାରାମ ୟେଚୁରୀ କହିଛନ୍ତି ଯେ ଏହି ବଜେଟ୍‌ରେ ଲୋକଙ୍କ ସମସ୍ୟା ଦୂର କରିବା ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ। ଏଥିରେ କେବଳ ଫମ୍ପା ପ୍ରତିଶୃତି ରହିଛି ବୋଲି ସେ କହିଛନ୍ତି। ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ବଜେଟ୍‌କୁ ଦିଗହରା ଏବଂ ଦେବାଳିଆ ବଜେଟ୍‌ ବୋଲି କହିଛନ୍ତି। ଏହି ବଜେଟ୍‌ କୃଷକ ଏବଂ ଗରିବଙ୍କ ଜୀବନରେ କୌଣସି ପରିବର୍ତ୍ତନ ଆଣିବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe