ତେଜିଲା ସିଏଏ ନିଆଁ : ପୁଲିସ ଗୁଳିରେ ଲକ୍ଷ୍ନୌରେ ୧, ମାଙ୍ଗାଲୁରୁରେ ୨ ମୃତ

Advertisment
ତେଜିଲା ସିଏଏ ନିଆଁ : ପୁଲିସ ଗୁଳିରେ ଲକ୍ଷ୍ନୌରେ ୧, ମାଙ୍ଗାଲୁରୁରେ ୨ ମୃତ

ummid.com

ଦିଲ୍ଲୀ, ୟୁପି, କର୍ଣ୍ଣାଟକରେ ହିଂସାତ୍ମକ ଆନ୍ଦୋଳନ
ମାଙ୍ଗାଲୁରୁ‌େର ଶୁକ୍ରବାର ମଧ୍ୟରାତ୍ରି ଯାଏ କର୍ଫ୍ୟୁ
ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ
ଦେଶରେ ଏବେ ଅଘୋଷିତ ଜରୁରୀ ପରିସ୍ଥିତି: କଂଗ୍ରେସ

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ନିଆଁ ଭଳି ତେଜିବାରେ ଲାଗିଛି। ଆଜି ଦିଲ୍ଲୀ ଓ ଉତ୍ତରପ୍ରଦେଶ ସମେତ ଦେଶବ୍ୟାପୀ ଜୋର୍‌ଦାର ବିରୋଧ ପ୍ରଦର୍ଶନ ହୋଇଛି। ହିଂସାତ୍ମକ ଆନ୍ଦୋଳନ ଯୋଗୁଁ ଦିଲ୍ଲୀର କେତେକ ଉତ୍ତେଜନାପ୍ରବଣ ଅଂଚଳରେ ଯାତାୟାତ ବନ୍ଦ ରଖାଯାଇଥିବା ବେଳେ ଲାଲକିଲ୍ଲା ନିକଟରେ ୧୪୪ ଧାରା ଜାରି କରାଯାଇଛି। ଦିଲ୍ଲୀରେ ପୁଲିସ ପ୍ରାୟ ୧୨୦୦ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି। ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ଜାମ୍ ହୋଇ ଯାତାୟାତ ବାଧାପ୍ରାପ୍ତ ହେବାରୁ ୧୯ଟି ମେଟ୍ରୋ ଷ୍ଟେସନ୍‌ ବନ୍ଦ ରଖାଯାଇଥିବାବେଳେ ୧୯ଟି ବିମାନ ଉଡ଼ାଣ ବାତିଲ ହୋଇଛି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶରେ ମଧ୍ୟ ଆଜି ହିଂସା ବ୍ୟାପିଛି। ଲକ୍ଷ୍ନୌରେ ଜଣେ ଆନ୍ଦୋଳନକାରୀ ପୁଲିସ ଗୁଳିରେ ନିହତ ହେବାରୁ ସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ରହିଛି। ସେହିପରି କର୍ଣ୍ଣାଟକର ମା‌ଙ୍ଗାଲୁରୁରେ ମଧ୍ୟ ଆନ୍ଦୋଳନବେଳେ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ପୁଲିସ ଗୁଳିରେ ୨ ଜଣ ଆନ୍ଦୋଳନକାରୀ ପ୍ରା‌ଣ ହରାଇବା ପରେ ପରିସ୍ଥିତି ଅଣାୟତ୍ତ ହେବାରୁ ସହରରେ କର୍ଫ୍ୟୁ ଜାରି କରାଯାଇଛି। ଅସାନ୍ତାକାଲି ମଧ୍ୟରାତ୍ରି ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବା ବୋଲି ମାଙ୍ଗାଲୁରୁ ପୁଲିସ କମିସନର କହିଛନ୍ତି।

ନାଗରିକତା ଆଇନ ବିରୋଧରେ ବାମପନ୍ଥୀ ସଂଗଠନଗୁଡ଼ିକ ପକ୍ଷରୁ ଆଜି ଦେଶର ବିଭିନ୍ନ ଅଂଚଳରେ ବନ୍ଦ ଡାକରା ଦିଆଯାଇଥିଲା। ଏହାକୁ ସମର୍ଥନ ଜଣାଇ ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ହଜାର ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ ପାଇଁ ରାସ୍ତାକୁ ଓହ୍ଲାଇଥିଲେ। ‌େ‌ତବେ ବିଭିନ୍ନ ସ୍ଥାନରେ ପୁଲିସ ଶୋଭାଯାତ୍ରାକୁ ଅଟକାଇବାକୁ ଚେଷ୍ଟା କରିବାରୁ ବିକ୍ଷୋଭକାରୀଙ୍କ ସହ ସଂଘର୍ଷ ହୋଇଥିଲା। ଉତ୍ତରପ୍ରଦେଶର ସମ୍ଭଲ ଏବଂ ଲକ୍ଷ୍ନୌରେ ହଜାର ହଜାର ଆନ୍ଦୋଳନକାରୀ ହିଂସା ଘଟାଇବାରୁ ପରିସ୍ଥିତି ଅଣାୟତ୍ତ ହୋଇଉଠିଥିଲା। ସମ୍ଭଲରେ ଆନ୍ଦୋଳନକାରୀ ଏକ ପୁଲିସ ଫାଣ୍ଡିକୁ ପୋଡ଼ି ଦେବା ସହ ଅନେକ ଯାନବାହନରେ ନିଆଁ ଲଗାଇ ଦେଇଥିଲେ। ଏଭଳି ହିଂସାକୁ ନିୟନ୍ତ୍ରଣ କରିବାରେ ପୁଲିସ ଏକପ୍ରକାର ଅସମର୍ଥ ହୋଇ ଗୁଳି ଚଳାଇବାରୁ ଜଣେ ବ୍ୟକ୍ତି ଟଳି ପଡ଼ିଥିଲେ ଏବଂ ଅନ୍ୟ କେତେଜଣ ଆହତ ହୋଇଥିଲେ।

ଅନ୍ୟପକ୍ଷରେ କର୍ଣ୍ଣାଟକରେ ମଧ୍ୟ ଆଜି ପ୍ରଥମ ଥର ପାଇଁ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଆଗୁଆ ସତର୍କତା ପଦକ୍ଷେପ ସ୍ବରୂପ ଗତ ରାତିରୁ ବେଙ୍ଗାଲୁରୁରେ ଧାରା ୧୪୪ ଜାରି ହୋଇଥିଲା। ତେବେ ମାଙ୍ଗାଲୁରୁରେ ଆଜି ସକାଳେ ବିକ୍ଷୋଭ ହିଂସାତ୍ମକ ରୂପ ନେବାରୁ ପୁଲିସ-ଜନତା ସଂଘର୍ଷ ହୋଇଥିଲା। ପୁଲିସ ଗୁଳିରେ ୨ ଜଣ ପ୍ରାଣ ହରାଇବା ପରେ ଉତ୍ତେଜନାକୁ ଆଖିରେ ରଖି ସହରରେ କର୍ଫ୍ୟୁ ଜାରି କରା ଯାଇଥିଲା।

ଦିଲ୍ଲୀରେ ବ୍ୟାପକ ହିଂସା ପାଇଁ କେତେକ କଠୋରପନ୍ଥୀ ସଂଗଠନ ଷଡ଼ଯନ୍ତ୍ର ଚଳାଇଥିବା ନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ ସୁରକ୍ଷା ବନ୍ଦୋବସ୍ତ କଡ଼ାକଡ଼ି କରାଯାଇଛି। ସିଏଏକୁ ବିରୋଧ କରି ଦେଖାଦେଇଥିବା ହିଂସାର ମୁକାବିଲା କରିବା ସହ ପରିସ୍ଥିତି ଉପରେ ସମୀକ୍ଷା ପାଇଁ ଆଜି ଗୃହ ମନ୍ତ୍ରାଳୟର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୈଠକରେ ଅଧ୍ୟକ୍ଷତା କରିଥିଲେ। ସିଏଏକୁ ନେଇ ଦେଶବ୍ୟାପୀ ସଚେତନତା ସୃଷ୍ଟି ସହ ଏହା ବିରୋଧରେ ଚାଲିଥିବା ‘ମିଥ୍ୟା ପ୍ରଚାର’କୁ ରୋକିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ହିଂସାତ୍ମକ ଆନ୍ଦୋଳନ ପାଇଁ କେତେକ ସଙ୍ଗଠନ ଖୋଲା ଆହ୍ବାନ ଦେଇଥିବାରୁ ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରାଯିବା ସହ ଗୁରୁଗ୍ରାମ ସୀମାକୁ ବନ୍ଦ ରଖାଯାଇଛି। ଏହା ଫଳରେ ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ଅସ୍ବାଭାବିକ ଭାବେ ଟ୍ରାଫିକ୍‌ ଜାମ୍‌ ସମସ୍ୟା ଉପୁଜିଥିଲା। ପରିସ୍ଥିତିକୁ ନଜରରେ ରଖି ଲାଲ୍‌ କିଲ୍ଲା ମଧ୍ୟରେ ଓ ବାହାରେ ୧୪୪ ଧାରା ଜାରି କରାଯାଇଛି।

ଜାମିଆ ମିଲିଆ ଇସ୍‌ଲାମିୟା ବିଶ୍ବବିଦ୍ୟାଳୟ ଓ ସିଲମପୁରରେ ଆନ୍ଦୋଳନ ପରେ ପୁଲିସ ପକ୍ଷରୁ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ବିଭିନ୍ନ ସ୍ଥାନରେ ଶାନ୍ତି କମିଟିର ବୈଠକ ବସିଛି। କେତେକ ସ୍ପର୍ଶକାତର ଅଞ୍ଚଳରେ ଦିଲ୍ଲୀ ପୁଲିସ ଫ୍ଲାଗ୍‌ ମାର୍ଚ କରିଛି। କେତେକ ଅଞ୍ଚଳରେ ଭଏସ୍‌ ଡାଟା ଓ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖିବାକୁ ମୋବାଇଲ୍‌ ଫୋନ୍‌ ଅପରେଟର୍‌ମାନଙ୍କୁ ସରକାର କହିଛନ୍ତି।

ଅନ୍ୟପକ୍ଷରେ ଦେଶବ୍ୟାପୀ ନାଗରିକତା ଆଇନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଶିକ୍ଷାନୁଷ୍ଠାନ, ଟେଲିଫୋନ ସେବା, ଇଣ୍ଟରନେଟ୍‌ ସେବା ଏବଂ ମେଟ୍ରୋ ସେବା ବନ୍ଦ କରିବା ଅଧିକାର ସରକାରଙ୍କର ନାହିଁ। ଏହା ଭାରତର ଆତ୍ମା ପ୍ରତି ଅପମାନ ବୋଲି ସେ କହିଛନ୍ତି। ଦେଶରେ ବର୍ତ୍ତମାନ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘ୍‌ଭି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe