ତରଙ୍ଗା ହିଲ-ଅମ୍ବାଜୀ-ଆବୁ ରୋଡ୍‌ ନୂଆ ରେଳ ଲାଇନକୁ କ୍ୟାବିନେଟ୍ ମଞ୍ଜୁରି

Advertisment
କ’ଣ ହେବ ସମ୍ବଲପୁର-ବ୍ରହ୍ମପୁର ରେଳପଥର ଭାଗ୍ୟ?  ୩ ବର୍ଷ ହେଲା ଚୂଡ଼ାନ୍ତ ହୋଇପାରୁନି ଡିପିଆର୍‌

Railway Technology

ନୂଆଦିଲ୍ଲୀ : ୨୭୯୮.୧୫ କୋଟି ଟଙ୍କା ବ୍ୟୟ ଅଟକଳରେ ରେଳ ମନ୍ତ୍ରଣାଳୟ ଦ୍ବାରା ତରଙ୍ଗା ହିଲ-ଅମ୍ବାଜୀ-ଆବୁ ରୋଡ୍‌ ନୂଆ ରେଳଲାଇନ ନିର୍ମାଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଏହି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ନୂଆ ରେଳ ଲାଇନର ଦୈର୍ଘ୍ୟ ୧୧୬.୬୫ କିଲୋମିଟର ହୋଇଥିବା ବେଳେ ଏହି ପ୍ରକଳ୍ପ ୨୦୨୬-୨୭ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ରଖାଯାଇଛି। ଏ ପ୍ରକଳ୍ପ ନିର୍ମାଣ ସମୟରେ ପାଖାପାଖି ୪୦ ଲକ୍ଷ ମାନବ ଦିବସ ଲାଗି ପ୍ରତ୍ୟକ୍ଷ ରୋଜଗାର ସୃଷ୍ଟି ହେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂତନ ଭାରତ ସଂକଳ୍ପ ଅନୁସାରେ ଏ ପ୍ରକଳ୍ପ ରେଳ ଯୋଗାଯୋଗ ବଢ଼ାଇବା ଏବଂ ଗମନାଗମନରେ ସୁଧାର ଆଣିବାକୁ ଯାଉଛି। ଏହାଦ୍ବାରା ସ୍ଥାନୀୟ ଅଞ୍ଚଳରେ ସାମଗ୍ରିକ ସାମାଜିକ-ଆର୍ଥିକ ବିକାଶ ହେବ।

ଅମ୍ବାଜୀ ଏକ ପ୍ରସିଦ୍ଧ ତୀର୍ଥସ୍ଥଳୀ ହୋଇଥିବା ବେଳେ ଏହା ଭାରତର ୫୧ଟି ଶକ୍ତିପୀଠ ମଧ୍ୟରୁ ଅନ୍ୟତମ। ପ୍ରତ୍ୟେକ ବର୍ଷ ଗୁଜରାଟ ସହିତ ଦେଶର ବିଭିନ୍ନ ଭାଗ ଏବଂ ବିଦେଶରୁ ଲକ୍ଷାଧିକ ଭକ୍ତ ଏଠାକୁ ଆସିଥାନ୍ତି। ଏଠାରେ ରେଳ ଲାଇନ ନିର୍ମାଣ ଫଳରେ ଲକ୍ଷାଧିକ ଯାତ୍ରୀଙ୍କୁ ସୁବିଧା ମିଳିପାରିବ। ଏହାବ୍ୟତୀତ, ତରଙ୍ଗା ହିଲ୍‌ରେ ଥିବା ଅଜିତନାଥ ଜୈନ ମନ୍ଦିର (୨୪ଟି ପବିତ୍ର ଜୈନ ତୀର୍ଥଙ୍କର ମଧ୍ୟରୁ ଗୋଟିଏ) ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କୁ ମଧ୍ୟ ଏହି ରେଳ ସଂଯୋଗ ଦ୍ବାରା ଅଧିକ ଲାଭ ମିଳିପାରିବ। ତରଙ୍ଗା ହିଲ୍‌-ଅମ୍ବାଜୀ-ଆବୁ ରୋଡ୍‌ ମଧ୍ୟରେ ଏହି ନୂଆ ରେଳଲାଇନ ଦୁଇଟି ଗୁରୁତ୍ବପୂର୍ଣ୍ଣ ଧାର୍ମିକ ସ୍ଥଳକୁ ରେଳବାଇର ମୁଖ୍ୟ ନେଟ୍‌ୱର୍କ ସହ ଯୋଡ଼ିବ। ଏହି ଲାଇନ କୃଷି ଏବଂ ସ୍ଥାନୀୟ ଉତ୍ପାଦକୁ ସହଜରେ ନେବା-ଆଣିବା ଲାଗି ସୁବିଧା ପ୍ରଦାନ କରିବ ଏବଂ ଗୁଜରାଟ ଓ ରାଜସ୍ଥାନ ମଧ୍ୟରେ ତଥା ଦେଶର ଅନ୍ୟ ଭାଗରେ ମଧ୍ୟ ଲୋକମାନଙ୍କୁ ଉନ୍ନତ ଗମନାଗମନ ସୁବିଧା ପ୍ରଦାନ କରିବ। ଏହି ପ୍ରକଳ୍ପ ବର୍ତ୍ତମାନର ଅହମଦାବାଦ-ଆବୁ ରୋଡ୍‌ ରେଳ ଲାଇନ ପାଇଁ ବିକଳ୍ପ ମାର୍ଗ ମଧ୍ୟ ପ୍ରଦାନ କରିବ। ପ୍ରସ୍ତାବିତ ଦୋହରୀକରଣ ସହ ଯୋଡ଼ି ହେବା ଫଳରେ ରାଜସ୍ଥାନର ସିରୋହୀ ଜିଲ୍ଲା ଏବଂ ଗୁଜରାଟର ବନାସକାଣ୍ଠା ଓ ମେହସାଣା ଜିଲ୍ଲା ଦେଇ ଅତିକ୍ରମ କରିବ। ନୂଆ ରେଳ ଲାଇନ ନିର୍ମାଣ ଫଳରେ ପୁଞ୍ଜିନିବେଶ ବୃଦ୍ଧି ପାଇବା ସହିତ ସ୍ଥାନୀୟ ଅଞ୍ଚଳରେ ସାମଗ୍ରିକ ସାମାଜିକ-ଆର୍ଥିକ ବିକାଶ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe