www.financialexpress.com
ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦେଖାଦେଇଥିବା ବାତ୍ୟା ‘ବୁଲବୁଲ’ ପଶ୍ଚିମବଙ୍ଗ ଓ ଓଡ଼ିଶାର ଉପକୂଳବର୍ତୀ ଜିଲ୍ଲା ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି । ଏହାର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବା ଲାଗି କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ସମିତି (ଏନସିଏମସି)ର ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ବାତ୍ୟା ମୁକାବିଲା ପାଇଁ ସମସ୍ତ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଛି । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଦଳ ଏବଂ ଅଗ୍ନିଶମ ବାହିନୀକୁ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ କରାଯାଇଛି । ସମୁଦ୍ରରେ ମାଛ ମାରିବାକୁ ବାରଣ କରାଯାଇଛି ଏବଂ ତଳିଆ ଅଂଚଳରେ ରହୁଥିବା ଲୋକଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି । ଏନଡିଆରଏଫର ୧୪ଟି ଟିମକୁ ନିୟୋଜିତ କରାଯାଇଥିବାବେଳେ ରାଜ୍ୟଗୁଡ଼ିକର ଅନୁରୋଧ କ୍ରମେ ଅତିରିକ୍ତ ଦଳକୁ ନିୟୋଜିତ କରାଯାଉଛି । ଉପକୂଳ ସୁରକ୍ଷା ବାହିନୀ, ଭାରତୀୟ ନୌସେନାକୁ ନିୟୋଜିତ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଆବଶ୍ୟକ ସ୍ଥଳେ ସେନା ଓ ବାୟୁସେନାର ସହାୟତା ନିଆଯିବ ।
କ୍ୟାବିନେଟ ସଚିବ ବର୍ତମାନର ସ୍ଥିତି ସହିତ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ପ୍ରସ୍ତୁତି ସମୀକ୍ଷା କରିଥିଲେ । ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଭିତ୍ତିଭୂମି ଏବଂ ଧନଜୀବନ ହାନି ଜନିତ କ୍ଷୟକ୍ଷତି ଏଡ଼ାଇବା ପାଇଁ ସେ ରାଜ୍ୟଗୁଡ଼ିକୁ ପରାମର୍ଶ ଦେବା ସହିତ ଏ ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବିଶେଷ କରି ଜୀବନ ହାନି ଏଡ଼ାଇବା ଲାଗି ସାଗର ଦ୍ୱୀପ, ଉତ୍ତର ଏବଂ ଦକ୍ଷିଣ ୨୪ ପ୍ରଗଣା, ପୂର୍ବ ମେଦିନାପୁର ଆଦି ତଳିଆ ଅଂଚଳରେ ଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା । ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ତୁରନ୍ତ କୂଳକୁ ଫେରାଇ ଆଣିବା ପାଇଁ ଦୁଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା ।
ବୈଠକରେ ସ୍ୱରାଷ୍ଟ୍ର, ପ୍ରତିରକ୍ଷା ମନ୍ତ୍ରାଳୟ ସମେତ ଭାରତୀୟ ପାଣିପାଗ ବିଭାଗ, ଏନଡିଆରଏଫ ଓ ଏନ୍ଡିଏମଏର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ସେହିପରି ଭିଡିଓ କନଫରେନ୍ସିଂ ଜରିଆରେ ପଶ୍ଚିମବଙ୍ଗ ଓ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଭାଗ ନେଇଥିଲେ ।
Follow Us