Image Courtesy India Today
ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ‘ଏକ୍ସାଇଜ୍ ଡିୟୁଟି’ ହ୍ରାସ କରିବା ପରେ ଇନ୍ଧନ ଦର କମାଇବା ଲାଗି ରାଜ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କ ଅନୁରୋଧ କଥା ଶୁଣି କଂଗ୍ରେସ ନେତା ପି. ଚିଦମ୍ବରମ୍ ଆଚମ୍ବିତ ହୋଇ ପଚାରିଛନ୍ତି, ରାଜ୍ୟମାନେ କ’ଣ ‘ଭ୍ୟାଟ୍’ ରାଜସ୍ବ ଛାଡ଼ କରିବାକୁ ସମର୍ଥ ହେବେ?
କେତେଗୁଡ଼ିଏ ଟୁଇଟ୍ କରି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍ କହିଛନ୍ତି, ଶନିବାର ଦିନ ଘୋଷିତ ହ୍ରାସ ହେଉଛି ‘ଅତିରିକ୍ତ ଏକ୍ସାଇଜ୍ ଡିୟୁଟି’। ତାହା ରାଜ୍ୟମାନଙ୍କ ସହ ସେୟାର୍ କରାଯାଏ ନାହିଁ। କେନ୍ଦ୍ର ଯଦି ଅଧିକ ପାଣ୍ଠି ଅଥବା ଅଧିକ ଅର୍ଥ ମଞ୍ଜୁର ନ କରେ ରାଜ୍ୟମାନେ କ’ଣ ସେହି ରାଜସ୍ବକୁ ଛାଡ଼ କରିବାରେ ସମର୍ଥ ହୋଇପାରିବେ?
Image Courtesy of News9liveଶନିବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତୈଳ ଉପରୁ ‘ଏକ୍ସାଇଜ୍ ଡିୟୁଟି’ ହ୍ରାସ ଘୋଷଣା କରିଥିଲେ। ଲିଟର୍ପିଛା ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଯଥାକ୍ରମେ ଟ. ୮/- ଓ ଟ. ୬/- ହ୍ରାସ ଘୋଷିତ ହୋଇଥିଲା। ଏଥିଯୋଗୁଁ ଲିଟର୍ପିଛା ପେଟ୍ରୋଲ୍ ଓ ଡିଜେଲ୍ ଦର ଯଥାକ୍ରମେ ଟ.୯.୫୦ ଓ ଟ.୭/- କମିଯିବ।
ଟୁଇଟ୍ କରି ସୀତାରମଣ ଲେଖିଥିଲେ, ସମସ୍ତ ରାଜ୍ୟ ସରକାର ବିଶେଷକରି, ଗତ ପର୍ଯ୍ୟାୟରେ (୨୦୨୧ ନଭେମ୍ବର) ଯେଉଁ ରାଜ୍ୟଗୁଡ଼ିକରେ ମୂଲ୍ୟ ହ୍ରାସ ହୋଇ ନ ଥିଲା ସେମାନଙ୍କୁ ମୋର ପରାମର୍ଶ ସେମାନେ ଏହି ଧରଣର ମୂଲ୍ୟ ହ୍ରସ କରି ଜନସାଧାରଣଙ୍କୁ ଆଶ୍ବସ୍ତି ଦିଅନ୍ତୁ।
ଏହା ଉପରେ ମନ୍ତବ୍ୟ ଦେଇ ପି. ଚିଦମ୍ବରମ୍ କହିଥିଲେ, ଟିକସ କାଟ ଘୋଷଣା କରିବା ବେଳେ ସୀତାରମଣ ‘ଏକ୍ସାଇଜ୍ ଡିୟୁଟି’ ବୋଲି କହିଥିଲେ। କିନ୍ତୁ, ଏହା ‘ଏକ୍ସାଇଜ୍ ଡିୟୁଟି’ ନୁହେଁ, ‘ଆଡିସ୍ନାଲ୍ ଏକ୍ସାଇଜ୍ ଡିୟୁଟି’ ହ୍ରାସ। ଯାହା ରାଜ୍ୟମାନଙ୍କୁ ଦିଆଯାଏ ନାହିଁ।
ତେଣୁ, ସମୁଦାୟ ବୋଝ କେନ୍ଦ୍ର ସରକାରଙ୍କ ଉପରେ ପଡ଼ିବ ବୋଲି ଗତକାଲି ମୁଁ ଯାହା କହିଥିଲି, ତାହାକୁ ସଂଶୋଧନ କରୁଛି। ସେହିପରି, ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଲାଗୁ ହେଉଥିବା ‘ଭ୍ୟାଟ୍’ରୁ ରାଜ୍ୟ ସରକାରମାନେ ଅତି ସ୍ବଳ୍ପ ରାଜସ୍ବ ପାଆନ୍ତି। ତେଣୁ, ରାଜ୍ୟମାନେ ଏହାକୁ ଛାଡ଼ କରି ପାରିବେ ବୋଲି ମୋର ମନେହୁଏ ନହିଁ।
Follow Us